Latest Odisha News

ପଣିକିଆ କହି ନପାରିବାରୁ ପିଠି ଫଟାଇଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ

କେନ୍ଦ୍ରାପଡ଼ା: ପଣିକିଆ କହିପାରିଲେନି । ରାଗରେ ତମତମ ହୋଇ ପିଲାଙ୍କୁ ଗାଈଗୋରୁଙ୍କୁ ପିଟିଲା ଭଳି ପିଟିଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ । ମାଡ଼ ମାରି ପିଠି ଫଟାଇ ଦେଇଛନ୍ତି । ମାଡ଼ରେ ଗୁରୁତର ହୋଇଛନ୍ତି ଦୁଇ ଶିଶୁ । ପିଠି ସାରା ମାଡ଼ର ଦାଗ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ । ଆହତ ଦୁଇ ପିଲା ତୃତୀୟ ଶ୍ରେଣୀର ଛାତ୍ର ।

ପିଲାଙ୍କ ଅଭିଭାବକ ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସଂପୃକ୍ତ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ ରାଜେନ୍ଦ୍ର କୁମାର ରାଉତଙ୍କୁ ଗିରଫ କରିଛି । ଅଭିଯୋଗ ହୋଇଛି, ପିଲାଙ୍କୁ ସେ ପଣିକିଆ ପଚାରିଥିଲେ । ସେମାନେ କହି ନପାରିବାରୁ ଏକ କେବୁଲ ତାରରେ ମନଇଚ୍ଛା ପିଟିଥିଲେ । ଘରକୁ ଫେରିବା ପରେ ପରିବାର ଲୋକ ସେମାନଙ୍କର ପିଠି ଦେଖିବା ପରେ ଆବାକ ହୋଇଥିଲେ ।

ପାଠ ଆସିଲାନି ବୋଲି ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଏତେ ନିର୍ଦ୍ଦୟ ଓ ବିବେକହୀନ ହେଲା କେମିତି ? ଅବୋଧ ଶିଶୁଙ୍କ ଉପରେ ଏଭଳି ବର୍ବରକାଣ୍ଡ କରିବା ବେଳେ ତା ହାତ ଥରି ଉଠିଲାନି କେମିତି ? ଦୁଇ ଶିଶୁଙ୍କୁ ଚିକିତ୍ସା କରାଯାଇଛି । ଅଭିଯୁକ୍ତ ରାଜେନ୍ଦ୍ରକୁ ପଚରାଉଚରା କରୁଛି ମାର୍ଶାଘାଇ ଥାନା ପୋଲିସ ।

 

Leave A Reply

Your email address will not be published.