Latest Odisha News

BREAKING NEWS

ଏବେ ଟ୍ରେଣ୍ଡରେ ‘ମାସ୍କ’ ଫ୍ୟାସନ

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ଭୟରେ ବାହାରକୁ ବାହାରିବା ଉପରେ କଟକଣା । ମଲ, ସିନେମା ହଲ ସବୁ ବନ୍ଦ । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ବ୍ୟବହାରକୁ ଦୃଷ୍ଟିରେ ରଖି ବଜାରରେ ଭଳିକି ଭଳି ମାସ୍କ ମିଳୁଛି । ତେବେ ଏବେ ଟ୍ରେଣ୍ଡରେ ରହିଛି ଫ୍ୟାସନେବଲ ମାସ୍କ ।

ଓଡିଶାର ବିଭିନ୍ନ ପ୍ରସିଦ୍ଧ ହସ୍ତତନ୍ତ ବୟନ ଶୈଳୀରେ ପ୍ରସ୍ତୁତ ମାସ୍କଗୁଡିକର ଏବେ ବେଶ ଚାହିଦା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଓ ବେସରକାରୀ ଉଦ୍ୟମରେ ଏବେ ପ୍ରସ୍ତୁତ ହେଉଛି ରଙ୍ଗ ବେରଙ୍ଗର ଭଳିକି ଭଳି ମାସ୍କ । ଡଙ୍ଗରିଆ, ସଉରା, କନ୍ଧ ଆଦିଙ୍କର ସ୍ୱତନ୍ତ୍ର ବୟନ ଶୈଳୀକୁ ନେଇ ବିଭିନ୍ନ ପ୍ରକାରର ମାସ୍କ ଏବେ ରାଜ୍ୟ ଆଦିବାସୀ ଜନଜାତି ସଂଗ୍ରହାଳୟ, ଟିଡିସିସି ପକ୍ଷରୁ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି ।

ସେହିଭଳି ଖୋର୍ଦ୍ଧା ମ୍ୟୁନିସିପାଲିଟି ଓ ପ୍ରଶାସନ ସହାୟତାରେ ଏସ୍‌ଏଚ୍‌ଜି ଗ୍ରୁପଗୁଡିକ ପକ୍ଷରୁ ପ୍ରସ୍ତୁତ ହୋଇଛି ପ୍ରସିଦ୍ଧ ଖୋର୍ଦ୍ଧା ଗାମୁଛାରୁ ତିଆରି ହୋଇଥିବା ମାସ୍କ ।

ତେବେ ସବୁଠାରୁ ବେଶୀ ଲୋକପ୍ରିୟ ହେବା ସାଙ୍ଗକୁ ବହୁ ସଂଖ୍ୟାରେ ବ୍ୟବହାର ହେଉଛି ସମ୍ବଲପୁରୀ କପଡାରୁ ପ୍ରସ୍ତୁତ ମାସ୍କ । ରଙ୍ଗବେରଙ୍ଗର ସୁନ୍ଦର ଡିଜାଇନ ସାଙ୍ଗକୁ ନରମ କପଡା ଓ ସହଜ ତିଆରି ପ୍ରକ୍ରିୟା ପାଇଁ ଅଧିକାଂଶ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଭୁବନେଶ୍ୱରର ‘ଆଇମା’ ସଂସ୍ଥା ପକ୍ଷରୁ ତିଆରି ହେଉଥିବା ମାସ୍କର ଦାମ ପ୍ରାୟ ୩୦ ଟଙ୍କାରୁ ୧୫୦ ଟଙ୍କା ଭିତରେ ମିଳୁଛି । ଏହା ସମ୍ପୂର୍ଣ୍ଣ କଟନ ଓ ତିନି ଲେୟର ବିଶିଷ୍ଟ ହୋଇଥିବାରୁ ଏହାର ବେଶ୍ ଚାହିଦା ରହୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

କିଛି ଦିନ ତଳେ ଆଇଏଏସ୍ ଉଷା ପାଢୀ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ ଝିଅ ମଧ୍ୟ ଘରେ ସମ୍ବଲପୁରୀ କପଡାରୁ ନିଜେ ମାସ୍କ ସିଲେଇ କରୁଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।

Leave A Reply

Your email address will not be published.