Latest Odisha News

BREAKING NEWS

ପୁରୀ ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର: ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବା ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୧୯ ତାରିଖରୁ ଦୈନିକ କୋଭିଡ୍ ସଂକ୍ରମଣ ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ ସକ୍ରିୟ ସଂକ୍ରମଣ ମାମଲା ୪୫୬କୁ ବୃଦ୍ଧି ପାଇଛି । ପୁରୀରେ ଏବେ ସକ୍ରିୟ ସଂକ୍ରମଣ ମାମଲା ୧୫ ଥିଲେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ସଜାଗ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ବିଭାଗ କୋଭିଡ୍ ଉପରେ ତୀକ୍ଷଣ ନଜର ରଖିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଟେଷ୍ଟିଂ ବୃଦ୍ଧି କରିବା ଲାଗି ସମସ୍ତଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା କହିଛନ୍ତି ମନ୍ତ୍ରୀ । ସମସ୍ତେ ଯେଭଳି କୋଭିଡ୍ ନିୟମ ମାନିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ । ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ କୋଭିଡର ପ୍ରଥମ ଓ ଦ୍ଵିତୀୟ ଲହର ଭଳି କରୋନା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସଂକ୍ରମଣ ବଢ଼ୁଥିବାରୁ ରଥଯାତ୍ରା ସମୟରେ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଯେଉଁମାନଙ୍କ ଠାରେ କୋଭିଡର କୌଣସି ଲକ୍ଷଣ ରହିଛି ସେମାନେ ପୁରୀ ଆସନ୍ତୁ ନାହିଁ । ଘରେ ବସି ଟିଭିରେ ରଥଯାତ୍ରା ଦେଖି ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖନ୍ତୁ ।

Leave A Reply

Your email address will not be published.