Latest Odisha News

୨ଟି ଫୁଲମାଳରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହେଲା ୬ ଯୋଡ଼ା ବର, କନ୍ୟା

ବରଗଡ଼: ହୋମ ଯଜ୍ଞକୁ ସାକ୍ଷୀ ରଖି ବାହାଘର ହୁଏ, ୭ ଘେରା ବୁଲନ୍ତି ନବ ଦମ୍ପତି । ହେଲେ ଏଠି କେବଳ ଦୁଇଟି ଫୁଲମାଳ ଓ ସମ୍ବିଧାନକୁ ସାକ୍ଷୀ ରଖି ବାହାଘର ଚାଲିଛି । ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୬ ଯୋଡ଼ା ବର, କନ୍ୟା ।

ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବରଗଡ଼ରେ ପ୍ରତିବର୍ଷ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ହେଉଛି ଏଭଳି ଆଦର୍ଶ ଗଣବିବାହ । ବିନା ବାଜା, ବାଣ ରୋଷଣୀରେ ଦୁଇଟି ମନର ମିଳନ ହୋଇଛି ।

ଜାତି, ଯୌତୁକ ବିହୀନ ଓ ଆର୍ଥିକ ମୁକ୍ତି ଏବଂ ସାମାଜିକ ପରିବର୍ତ୍ତନ ଉଦ୍ଦେଶ୍ୟରେ ୧୭ ବର୍ଷ ତଳେ ପବିତ୍ର ଦେହେରିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ଗଣବିବାହ । ଯାହା ଆଜି ପର୍ଯ୍ୟନ୍ତ ଆୟୋଜନ କରି ଆସୁଛି ସମ୍ବିଧାନ ସୁରକ୍ଷା ମଞ୍ଚ ।

୧୭ ବର୍ଷ ମଧ୍ୟରେ ମଞ୍ଚ ପକ୍ଷରୁ ମୋଟ ୧୮୨ଟି ବିବାହ ସ୍ୱଳ୍ପ ଖର୍ଚ୍ଚରେ ହୋଇ ସାରିଲାଣି । ଏଭଳି ଆଦର୍ଶ ବିବାହ ଗରିବଙ୍କ ଲାଗି ବରଦାନ ସାଜିଥିବା ବେଳେ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ । ବର୍ଣ୍ଣାଢ୍ୟ ପରିବେଶରୁ ବାହାରି ଦୁଇଟି ଫୁଲ ମାଳ ଓ ସମ୍ବିଧାନକୁ ସାକ୍ଷୀ ରଖି ଆଦର୍ଶ ବିବାହକୁ ସମର୍ଥନ ମିଳିବାରେ ଲାଗିଛି ।

Comments are closed.