Latest Odisha News

BREAKING NEWS

ଗଣ ଆନ୍ଦୋଳନ ଆଜି ବିପଥଗାମୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…

ଆମେ ଜାଣନ୍ତି, ଟ୍ରେଡ୍‌ ୟୁନିୟନ ଓ ଗଣତାନ୍ତ୍ରିକ ଆନ୍ଦୋଳନ ଧାରା ଅତି ପୁରୁଣା ଓ ଚିରାଚରିତ । ଶହେ ବର୍ଷ ପୂର୍ବେ ସେତେବେଳର ପୁଞ୍ଜିବାଦର ଉତ୍ପତ୍ତି ଓ କ୍ରମୋନ୍ନତିକୁ ବିରୋଧ କରିବା ପାଇଁ ଶ୍ରମିକ ଆନ୍ଦୋଳନ ଜନ୍ମ ନେଇଥିଲା । ବର୍ତ୍ତମାନର ପୁଞ୍ଜିବାଦ କ୍ଷୟିଷ୍ଣୁ ଚରିତ୍ରସମ୍ପନ୍ନ ହେଲେ ମଧ୍ୟ ଅତି ପରିପକ୍ୱ, ପରିଣତ ଓ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯାହାର ଉଗ୍ର ଗତିପଥକୁ ରୋକିବା ପାଇଁ ଗଣଆନ୍ଦୋଳନର ନୂତନ କୌଶଳ, ନୂଆ ହତିଆର ଏକାନ୍ତ ଅପରିହାର୍ଯ୍ୟ ହୋଇ ପଡ଼ିଛି । ସମୟ ଆସିଛି ଆମେ ସମସ୍ତେ ସକ୍ରିୟ ଭାବେ ଏହି ଧ୍ୱଂସମୁଖୀ ବ୍ୟବସ୍ଥାର ସାମନା କରି ସମାଜକୁ ମୁକ୍ତ ଏବଂ ସୁରକ୍ଷିତ କରି ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ନିମନ୍ତେ ଐକ୍ୟବଦ୍ଧ ଓ ସଂକଳ୍ପବଦ୍ଧ ଭାବେ ସଂଗ୍ରାମ ଆରମ୍ଭ କରିବା । ଏକ ନୂତନ ବିକଳ୍ପ, ଯାହାକି ସମ୍ପୂର୍ଣ୍ଣ ନୂଆ ଦୃଷ୍ଟିକୋଣ ନେଇ ଏହି ଜନବିରୋଧୀ ଓ ଧ୍ୱଂସମୁଖୀ ଶକ୍ତି ସମୂହକୁ ପ୍ରତିରୋଧ କରିବା ପାଇଁ ଶକ୍ତିଶାଳୀ ଗଣ ଆନ୍ଦୋଳନ ଏକାନ୍ତ ଆବଶ୍ୟକ ।

ଆଜି ସମଗ୍ର ଭାରତବର୍ଷରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଆକାଶ ଛୁଆଁ ଦରବୃଦ୍ଧି ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଜନବିରୋଧୀ ବଜେଟ୍‌ରେ ଯାତ୍ରୀଭଡ଼ା, ପରିବହନ ଶୁଳ୍କ ଓ ଟିକସ୍ ବୃଦ୍ଧିକୁ ସାଧାରଣ ଲୋକଙ୍କ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଛି । ଯାହା ଗରିବ, ଖଟିଖିଆ, ଶ୍ରମଜିବୀ, ସହରୀ ଓ ଗାଉଁଲି ଜୀବନ ଧାରା ପ୍ରତି ଏକ ଶକ୍ତ ଧକ୍କା । ଅତ୍ୟନ୍ତ ଭୟଙ୍କର ଭାବେ ବେକାରୀ ସମସ୍ୟା ସାଙ୍ଗକୁ କ୍ରମାଗତ ଭାବେ କଳକାରଖାନା, ଖଣି ଖାଦାନ ବନ୍ଦ ଏବଂ ଶ୍ରମିକ ଛଟେଇ, ନିଯୁକ୍ତି ସଙ୍କୋଚନ , ସ୍ୱଳ୍ପ ଜମି ଥିବା ଚାଷୀ ଧୀରେ ଧୀରେ ଜମି ହରେଇ ଦାଣ୍ଡର ଭିକାରୀ ସାଜିବା, ଶିକ୍ଷା ଅତି ଶସ୍ତାରୁ ଶସ୍ତା ହୋଇଯିବା, ଶିକ୍ଷା ସଂସ୍କୃତି ଓ ଜୀବନ ପ୍ରଣାଳୀକୁ ଉନ୍ନତ କରିବା ପରିବର୍ତ୍ତେ ବ୍ୟବସାୟିକ ପଦ୍ଧତିରେ ସମାଜକୁ ଧ୍ୱଂସ ଆଡ଼କୁ ଟାଣି ନେଇଯାଉଛି ।

ଏସବୁ ସାଙ୍ଗକୁ ସମାଜରେ ଆଖିବୁଜା ଆତଙ୍କରାଜର ଉତ୍ପାତ, ହିଂସାକାଣ୍ଡର କ୍ରମାଗତ ବୃଦ୍ଧି, ହତ୍ୟା, ଗଣହତ୍ୟା, ଅପହରଣ, ନାରୀ ନିର୍ଯ୍ୟାତନା, ଉତ୍ପୀଡନ ଏବଂ ସାମ୍ପ୍ରଦାୟିକତା ମନୋଭାବରୁ ଚାରିଆଡେ ଦୁଃସହ ଦଙ୍ଗାହଙ୍ଗାମା, ନିରୀହ ଜନଗଣଙ୍କ ନିଷ୍ଠୁର ହତ୍ୟାଲୀଳା, ଧନସମ୍ପତ୍ତି ଲୁଟତରାଜ, ଦୋକାନ ଓ ବାସଗୃହକୁ ଜାଳି ଧ୍ୱଂସ କରିଦେବା, ଘରର ମହିଳାମାନେ ଗଣଧର୍ଷଣର ଶିକାର ହେବା, ସର୍ବୋପରି ଧର୍ମ ନାଁରେ ଏସବୁ ଅପକର୍ମ ଏ ଦେଶର ଜୀବନଧାରାକୁ ହାଣ ମୁହଁକୁ ମୁହାଁଇ ନେଇଛି । ଜଣାଶୁଣା ବାମପନ୍ଥୀ ଓ ଧର୍ମନିରପେକ୍ଷ ଦଳ ଓ ସଙ୍ଗଠନ ଗୁଡିକ ଏ ଘୋର ଅନ୍ୟାୟ ବିରୁଦ୍ଧରେ ଦୁର୍ବାର ଗଣ ଆନ୍ଦୋଳନ କରିବାର ଆଶା ଯାହା କରାଯାଉଥିଲା, ତାହା ପାଣି ଫୋଟକା ପରି ମିଳେଇ ଯାଇଛି । ସେମାନଙ୍କ ମଧ୍ୟରୁ କେତେକ ନୀରବ-ନିଷ୍କ୍ରିୟ ଭାବରେ ବସି ରହିଥିବା ବେଳେ ଅନ୍ୟ କେତେକ କେବଳ ସାମ୍ବିଧାନିକ ଧାରାରେ ଉଚ୍ଚାସ୍ୱରରେ ଭାଷଣ ଦେବା ଛଡା ଆଉ କିଛି କରିପାରୁନାହାଁନ୍ତି ।

ସମୟ ଥିଲା , ସବୁଠୁ ସଙ୍ଗଠିତ ଥିଲା ଶ୍ରମିକ ଆନ୍ଦୋଳନ । ସେତେବେଳେ ଶ୍ରମିକମାନେ, ଶ୍ରମିକ ନେତାମାନେ ସତ୍ ମନରେ ଆପଣାର ଅଧିକାର ସାବ୍ୟସ୍ତ କରିବା ପାଇଁ ଲଢେଇ କରୁଥିଲେ । ଯେଉଁ ଦିନଠାରୁ ମାଲିକ ଶ୍ରେଣୀ ନେତା କିଣିବା ଆରମ୍ଭ କଲେ ; ଏପରିକି ମନ୍ତ୍ରୀ, ଏମ୍‌.ଏଲ୍‌.ଏ., ଅଫିସର ଏବଂ ନେତାମାନଙ୍କୁ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ଦେଲେ, ସେବେଠୁଁ ନେତାମାନେ ବକ୍ରି ହୋଇ ହାଟରେ ବିକ୍ରି ହେଲେଣି । ଶ୍ରମିକ ଶ୍ରେଣୀ ପାଇଁ ଲଢେଇ କରୁଥିବା ନେତାମାନଙ୍କର ସତତା, ଦୂରଦୃଷ୍ଟି, ସାଧୁତା ଅଭାବରୁ ଶ୍ରମିକ ଆନ୍ଦୋଳନ ବିପଥଗାମୀ ହେବାରେ ଲାଗିଛି । ଯେଉଁ ନେତାମାନେ ମାଲିକର ଦଲାଲ ହେଲେ ନାହିଁ ସେମାନେ ମଧ୍ୟ ସଠିକ୍ ରାସ୍ତାରେ ସଠିକ୍ ନେତୃତ୍ୱ ଦେବାରେ ସକ୍ଷମ ହୋଇ ପାରୁନଥିବାରୁ ଶ୍ରମିକ ଶ୍ରେଣୀ ନାନାବିଧ ସମସ୍ୟା ଓ କ୍ଷତି ସହିବାରେ ଲାଗିଛନ୍ତି ।

 

ଆମ ଆଖି ଆଗରେ ଆନ୍ଦୋଳନଗୁଡିକ ଶତ୍ରୁ ପକ୍ଷର ସାମାନ୍ୟ ଧକ୍କାରେ ଛିନ୍ନଛତ୍ର ହେବାରେ ଲାଗିଛି । ଆନ୍ଦୋଳନ ଆରମ୍ଭରେ ଆମେ କେତେ ବଡ ବଡ ସ୍ଲୋଗାନ୍ କଣ୍ଠ ଫଟେଇ, ରଡି ଛାଡି, ରାସ୍ତା ଦଖଲ କରି ଶୋଭାଯାତ୍ରାରେ ଯାଇଛନ୍ତି । ଆମ ଶୋଭାଯାତ୍ରା, ଭାଷଣକୁ ଟିଭି, ରେଡିଓ, ଖବରକାଗଜ ବଡ଼ ବଡ଼ ହରଫରେ ଛାପୁଥିଲେ। ରେଡିଓ କହୁଥିଲା , ଟିଭି ଆମ ଚେହେରା ଦେଖାଉଥିଲା । ଆମେ ସବୁ ଗର୍ବ ଅଂହକାରରେ ଫାଟି ପଡୁଥିଲେ । ସତେ ଯେମିତି ଆମର ଜୟ ହାତ ମୁଠାରେ । ଗୋଟିଏ ଗୋଟିଏ ଆନ୍ଦୋଳନ ଗଢି ତୋଳିବା ପାଇଁ କର୍ମକର୍ତ୍ତା , ଆଗୁଆମାନେ କେତେ ପରିଶ୍ରମ କରି ନଥିବେ ! କେତେ କୁଆଡୁ ଚାନ୍ଦା ଆଦାୟ କରିଥିବେ ! ଶୋଭାଯାତ୍ରାରେ ଯୋଗ ଦେଇଥିବା ସ୍ଲୋଗାନକାରୀମାନେ ପକେଟରୁ କେତେ ଟଙ୍କା ଖର୍ଚ୍ଚ କରିନଥିବେ । ଆଉ ଅଧିକାଂଶ ଶୋଭାଯାତ୍ରା ଆନ୍ଦୋଳନରେ ଲୋକ ଯୋଗାଡ କରିବା ପାଇଁ ଗାଡି ମଟର, ଖାଇବା ପିଇବା, ମଜୁରୀ ବାବଦ କେତେ ଟଙ୍କା ଖର୍ଚ୍ଚ ହୋଇନଥିବ ! ଏସବୁ ହିସାବ କିତାବ ସାଧାରଣ ଲୋକେ ଜାଣିବା ଆବଶ୍ୟକ କି ନୁହେଁ । ସେ ଆଡକୁ କାହାର ନଜର ନାହିଁ ।

ଆନ୍ଦୋଳନ ଯେ ପର୍ଯ୍ୟନ୍ତ ନିରାପଦ ଥିବ ଭାରି ବଢିଆ ; ଟିକେ ଆକ୍ରମଣ ହେଲେ ଛିନ୍ନଛତ୍ର । ପୁଣି ଆକ୍ରମଣ ପରେ , ଆକ୍ରମଣ, ଗିରଫ, ଜେଲ, ନିର୍ଯ୍ୟାତନା ହେଲେ କଥା ସରିଲା । ଲୋକେ ଆନ୍ଦୋଳନ ବିମୁଖ ହୋଇପଡନ୍ତି । ଦାବି ସବୁ ଫସର ଫାଟିଯାଏ ।ଲୋକଙ୍କର ସବୁବେଳେ ବିପଦ ଅଛି – ନେତାମାନେ ବିପଦରୁ ମୁକ୍ତି କରିଦେଇ ସବୁ ଦାବି ହାସଲ କରିଦେବେ ବୋଲି କହନ୍ତି । ଲୋକେ ବି ଖୁସି ହୁଅନ୍ତି । ସ୍ୱପ୍ନ ଦେଖନ୍ତି । ମାତିଯାଆନ୍ତି । ହଜାର ହଜାର ଲୋକ ଏକାଠି ହେଲେ – ଭାବନ୍ତି ଏଥର ଦାବିପୂରଣ ନହୋଇ ଯିବ କୁଆଡେ ? ମାତୁ ମାତୁ, ହଠାତ୍ ପୁଲିସର ଲାଠି, ଗୁଳି ଦେଖି କିଛି ଲୋକଙ୍କ ଅଧା ସାହାସ କମିଯାଏ । କିଛି ଲୋକ ମହାବୀରର ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ।

 

 

ଆନ୍ଦୋଳନକାରୀମାନେ ସଠିକ୍ ରାସ୍ତା ଓ ନେତୃତ୍ୱ ଦୃଢ ସଙ୍ଗଠନ ଅଭାବରୁ ଅଧାରୁ ଛତ୍ରଭଙ୍ଗ ଦିଅନ୍ତି । ସ୍ୱପ୍ନ ସବୁ ଭାଙ୍ଗି ଚୁରମାର ହୋଇଯାଏ । ଅଧିକାଂଶ ଶତ୍ରୁର ଶରଣାପନ୍ନ ହୁଅନ୍ତି । ବିଶେଷ କରି ଶ୍ରମିକ ନେତା, ଗଣ ଆନ୍ଦୋଳନର ନେତା, ଅର୍ଥନୈତିକ ସୁବିଧାବାଦର ଶିକାର ହେବା ଫଳରେ ସବୁ ଆନ୍ଦୋଳନ ଗର୍ଜନ, ନିଆଁଗିଳା ସ୍ଲୋଗାନରେ ଫସର ଫାଟି ଯାଉଛି ଏବଂ ସ୍ଥଳବିଶେଷରେ ବିପଥଗାମୀ ହେବାରେ ଲାଗିଛି । ବହୁ ନେତା ବିନା ବ୍ୟବସାୟରେ କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି । ମାଲିକମାନଙ୍କ ଜାଲିଆତି ଜାଲରେ ଶ୍ରମିକ ଶ୍ରେଣୀ ଛନ୍ଦି ହୋଇଗଲେଣି । କମ୍ ଶ୍ରମିକ କର୍ମଚାରୀରେ ବେଶୀ ଲାଭର ଲାଳସା ମାଲିକମାନଙ୍କୁ ପାଗଳ କରି ଦେଇଛି । ଶ୍ରମଶକ୍ତି ବଦଳରେ ଯନ୍ତ୍ରଶକ୍ତି ବ୍ୟବହାର କରି ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଛଟେଇ କରି ଭିକାରିରେ ପରିଣତ କରିଛନ୍ତି । ଆଗକୁ ବେକାରବାହିନୀର ଭୟଙ୍କର ରୂପ ଦେଖିବାକୁ ବାକି ରହିଲା ।

 

ବର୍ତ୍ତମାନର ଭସ୍ମୀଭୂତ ଭାରତବର୍ଷ ଓ ସନ୍ତ୍ରସ୍ତ ସମାଜ ବ୍ୟବସ୍ଥା ପାଇଁ ପରିତ୍ରାଣର ପନ୍ଥା ଖୋଜା ଚାଲିଛି ବିଭିନ୍ନ ସ୍ତରରେ । ଭସ୍ମସ୍ତୂପ ମଧ୍ୟରୁ ଭବିଷ୍ୟତକୁ ଉଦ୍ଧାର କରିବା ଏବଂ ଭଗ୍ନସ୍ତୂପ ମଧ୍ୟରୁ ଜନଜୀବନକୁ ରକ୍ଷା କରିବା ନିମନ୍ତେ ଆଜି ଯେଉଁ ଅଙ୍ଗୀକାରବଦ୍ଧ ଆନ୍ଦୋଳନ ଓ ଗଣସଂଗ୍ରାମ ଏକାନ୍ତ ପ୍ରୟୋଜନ, ସେଥି ନିମନ୍ତେ ଆମ ସମସ୍ତଙ୍କର ସମ୍ମିଳିତ ସଙ୍କଳ୍ପ ଅପରିହାର୍ଯ୍ୟ ।

ଆଜି ମନ୍ଦିର-ମସ୍‌ଜିଦ୍‌କୁ ନେଇ ଝଗଡା । ଧର୍ମ-ବିଧର୍ମକୁ ନେଇ ବିବାଦ । ସୀମା-ସନ୍ତ୍ରାସକୁ ନେଇ ତୁମ୍ବି ତୋଫାନ୍ । ରାଷ୍ଟ୍ର, ଧର୍ମ, ପତାକା, ଜାତୀୟତା ଇତ୍ୟାଦିକୁ ଆଳ କରି ସାରା ପୃଥିବୀରେ ସମ୍ପ୍ରତି ପୁଞ୍ଜିବାଦ ତା’ର ଚକ୍ରାନ୍ତର ଚମତ୍କାରିତା ପ୍ରଦର୍ଶନ କରିଚାଲିଛି । ମାଟିଠୁ ମଣିଷକୁ ଅଲଗା କରି ଦିଆଯାଉଛି । ଲକ୍ଷ୍ୟଠୁ ଲୋଚନକୁ ଦୂରେଇ ରଖା ଯାଉଛି, ସ୍ୱପ୍ନଠୁ ସଙ୍କଳ୍ପକୁ ହଟାଇ ନିଆଯାଇଛି । ସବୁ ସ୍ତରରେ ଲେଲିହାନ୍ ଲୋକଜିହ୍ୱା ବିସ୍ତାର କରି ଚାଲିଛି ଅତିଷ୍ଠ ଅସନ୍ତୋଷର ଅଗ୍ନିଶିଖା । ଅଥଚ ଗଦିରେ ଘୁମେଇ ଗାଦିରେ ବସିଥିବା ଆଜିର ଶାସକ ଶ୍ରେଣୀ, ଖଟରେ ଶୋଇ ମଠରେ ମାମଲାତି କରୁଥିବା ଯାଜକବୃନ୍ଦ, କୁର୍ସିରେ ବସି ଆର୍ସି ଆଗରେ ଚେହେରା ସଜଉଥିବା ପ୍ରଶାସକ ବର୍ଗ ସମକାଳୀନ ସମାଜର ଏ ଉତ୍କଟ ଅସୁସ୍ଥତା ପ୍ରତି ଏକାନ୍ତ ଉଦାସୀନ ।

 

ହାଣ ମୁହଁକୁ ମୁହାଇଁ ଚାଲିଥିବା ଆମର ଏ ଯୁଗ ଯୁଗର ଐତିହ୍ୟମୟ ଦେଶ ଓ ସମାଜ ଜୀବନକୁ କ’ଣ ଧ୍ୱଂସ ହେବା ପାଇଁ ଆମେ ଛାଡି ଦେବା ? ଗୋଟିଏ କୁରୁକ୍ଷେତ୍ରରେ ଦିନେ ନିଶ୍ଚିହ୍ନ ହୋଇଯାଇଥିଲା ମହାଭାରତ ! ଆଜି ଆମ ସାମ୍ନାରେ ଶହ ଶହ କୁରୁକ୍ଷେତ୍ର ! ଆମର ଏ ମହାନ୍ ଭାରତକୁ କ’ଣ ଆମେ ଆଜି ବଳି ପକାଇ ଦେବା ତା’ ଭିତରେ ? ନା, ପରିତ୍ରାଣ ପାଇଁ ଆମକୁ ଆଜି ଶିରସ୍ତ୍ରାଣ ପିନ୍ଧି ହାତରେ ଧରିବାକୁ ପଡିବ ଗଣସଂଗ୍ରାମର ଅମୋଘ ଅସ୍ତ୍ର । ସତ୍ ମନର ସ୍ୱପ୍ନ ଯଦି ସଙ୍କଳ୍ପରେ ପରିଣତ ହୁଏ, ତେବେ ନିଶ୍ଚିତ ଭାବରେ ସାର୍ଥକ ହେବ ଆମର ଆଗାମୀ ସମାଜର ସଜର୍ନା ଓ ସଂରଚନା ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.