ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ କରାଯାଇଥିବା ଭୟାବହ ଏୟାରଷ୍ଟ୍ରାଇକରେ ଅତିକମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ସେହିପରି, ହିଜବୁଲ୍ଲାର ଆକ୍ରମଣରେ ଇସ୍ରାଏଲର ୪ ଜଣ ସୈନିକ ପ୍ରାଣ ହରାଇଛନ୍ତି ।
ଇସ୍ରାଏଲ ସେନାର ନର୍ଦ୍ଦନ କମାଣ୍ଡ ମୁଖ୍ୟ ମେଜର ଜେନେରାଲ ଓରି ଗୋର୍ଡିନ କହିଛନ୍ତି ଯେ ସେମାନେ କେବଳ ହିଜବୁଲ୍ଲାର ଆଡ୍ଡାକୁ ଟାର୍ଗେଟ କରୁଥିଲେ । ମାତ୍ର ଏହି ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ହିଜବୁଲ୍ଲା ପକ୍ଷରୁ ଭୟଙ୍କର ପାଲଟା ଆକ୍ରମଣ କରାଯାଇଛି । “ଆମର ପାରାମେଡିକାଲ ସେଣ୍ଟର ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଉତ୍ତର ଇସ୍ରାଏଲର କିରୟାତ ଶମୋନା ସହର ଏବଂ ଏକ ପ୍ରମୁଖ ସାମରିକ ଘାଟିକୁ ଲକ୍ଷ୍ୟ କରି ପ୍ରାୟ ୩୦ଟି ରକେଟ୍ ମାଡ଼ କରାଯାଇଛି” ବୋଲି ହିଜବୁଲ୍ଲାର ବୟାନ ଦେଇଛି ।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ର ସୂଚନା ଅନୁସାରେ, ଏହି ରକେଟ୍ ମାଡ଼ରେ ଅନେକ ସେନା ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ୪ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ IDFର ୫୨ତମ ବାଟାଲିୟନର କମାଣ୍ଡର ୩୨ ବର୍ଷୀୟ ଲେଫ୍ଟନାଣ୍ଟ କର୍ଣ୍ଣଲ ଡୋର ଗେଦାଲିଆ ବେନ ସିମୋନ ସାମିଲ ଅଛନ୍ତି ।
ଏହି ରକ୍ତାକ୍ତ ସଂଘର୍ଷ ଏପରି ଏକ ସମୟରେ ଘଟିଛି, ଯେତେବେଳେ ସୁଇଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥଗିତ ହୋଇଯାଇଛି । ଏହାକୁ ନେଇ ମଧ୍ୟ-ପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
