କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ଗଣିତ ଆଉ କବିତା ପରସ୍ପରର ବିରୋଧୀ ବୋଲି ଏକ ସାଧାରଣ ଧାରଣା ଆମର ରହିଛି । ଗଣିତ ମୂଳତଃ ଯୁକ୍ତି ଓ ଜ୍ଞାନ ସମ୍ମତ ହୋଇଥିବା ବେଳେ କବିତା ଭାବପ୍ରଧାନ ଓ କଳ୍ପନା ଆଧାରରେ ଗଢା ହୋଇଥାଏ ବୋଲି ଆମେ ଭାବୁ । ଉପରୁ ଦେଖିଲେ ଏ ଧାରଣା ଠିକ୍ । କିନ୍ତୁ ଯୁକ୍ତି ଓ ଜ୍ଞାନ ବିବର୍ଜିତ କବିତା ଅନେକ ସମୟରେ ’ଫବିତା’ ହୋଇଯିବାର ସମ୍ଭାବନା ରହିଛି। ସମାନ କଳ୍ପନା ଓ ଅଯୌକ୍ତିକ ଭାଷାର ଗଢଣକୁ ନେଇ କଦାପି ସଫଳ କବିତା ସମ୍ଭବ ନୁହେଁ ।ସେଥିପାଇଁ ଜଣେ ଗଣିତଜ୍ଞ କବି ହେବା ଅଥବା କବି ଜଣେ ଗଣିତଜ୍ଞ ହେବାର ଆବଶ୍ୟକତାକୁ ନେଇ ରାଶି ରାଶି ଆଲୋଚନା ରହିଛି ।କବିତା ଓ ଗଣିତକୁ ଗୋଟିଏ ଜାଗାରେ ରଖି ପାରିବାର ଓ ସାଧି ପାରିବାର ଅଦ୍ଭୁତ କୌଶଳ ଖୁବ୍ କମ୍ କଳାକାରଙ୍କ ଜୀବନରେ ଦେଖିବାକୁ ମିଳେ ।
ଗଣିତ ଓ କବିତାକୁ ନେଇ ଏକାଧାରରେ ପ୍ରସିଦ୍ଧ ହୋଇଥିବା ବ୍ୟକ୍ତି ଜଣକ ଥିଲେ “ରୁବାୟତ” ର କବି ଓମାରଖୟାମ୍ ।ରୁବାୟତର କବି ଭାବରେ ସେ ଯେତିକି ପ୍ରସିଦ୍ଧ ବୀଜଗଣିତର ଇକ୍ୟୁଏସନ୍ ସୂତ୍ରପାଇଁ ମଧ୍ୟ ସେ ସେତିକି ବିଖ୍ୟାତ । ସୁରା, ସାକି, ଗୋଲାପ ଓ ବୁଲ୍ବୁଲ୍ର କବିତା ଲେଖିଥିବା ଏହି ମହାନ୍ କବି ବୀଜଗଣିତ ଓ ମହାକାଶବିଜ୍ଞାନ କ୍ଷେତ୍ରରେ ନିଜର ସ୍ଥାୟୀ ଅବଦାନ ରଖିଯାଇଛନ୍ତି। ଗାଣିତିକ ସୂତ୍ରର ଯେଉଁ ନିବିଡ ଅବବୋଧ ତାହା କବିତାରେ ଛତ୍ରେ ଛତ୍ରେ ପ୍ରକାଶିତ ହୋଇଛି । ପରିମିତ ଛନ୍ଦ, ଆବଶ୍ୟକୀୟ ସୀମିତଭାଷା, ପ୍ରଭାବଶାଳୀ ଚିତ୍ରତଥା ବ୍ୟଞ୍ଜନାର ଚମତ୍କାରିତା ଜଣେ ଗଣିତଜ୍ଞ ହିଁ ସଠିକ୍ ଭାବରେ ବୁଝିପାରେ।ତେଣୁ ଜଣେ ସଫଳ କବି ପାଇଁ କବିତା ଲେଖିବା ବେଳେ ଏକ ଗାଣିତିକ ମସ୍ତିଷ୍କର ପ୍ରେରଣା ସବୁବେଳେ କାମ କରୁଥାଏ । କବିଭାବପ୍ରବଣ ନିଶ୍ଚୟ, ତେବେ ଏହି ଭାବପ୍ରବଣତାର ଏକ ନିର୍ଦ୍ଦିଷ୍ଟ ସୂତ୍ର ପ୍ରତ୍ୟେକ କବି ପାଇଁ ଆବଶ୍ୟକ।
ଆମେ ଓଡ଼ିଆରେ ବାରମ୍ବାର ଶୁଣିଆସିଛୁ, ଲେଖକମାନେ ଗଣିତରେ ଦୁର୍ବଳ। ଅନ୍ୟ ଭାଷାରେ କହିବାକୁ ଗଲେ ଗଣିତ ଓ ସାହିତ୍ୟକୁ ପରସ୍ପରର ଶତ୍ରୁ ବୋଲି ଆମେ ବଡ ଉଚ୍ଚକଣ୍ଠରେ ଘୋଷଣା କରୁଛୁ ।ହେଲେ ଗଣିତର ନିୟମରୁ କବିତାବାଦ ଯିବ କେମିତି? ପୃଥିବୀର ସବୁକଳା ଓ ଶିଳ୍ପର ନିର୍ଦ୍ଦିଷ୍ଟ ଗାଣିତିକ ନିୟମ ରହିଛି ।କଳାର ଶ୍ରେଷ୍ଠତମ ଉପଲବ୍ଧି ଭାବରେ ସଙ୍ଗୀତକୁ ଗ୍ରହଣ କରାଯାଇଥାଏ।
ସଙ୍ଗୀତରେ ଯେଉଁ ଆରେହ ଅବରୋହ ତଥା ତାଳରେ ଯେଉଁ ମାତ୍ରାରେ ବ୍ୟବହାର କରାଯାଇଥାଏ, ତାହା ସମ୍ପୂର୍ଣ୍ଣ ଗାଣିତିକ ନିୟମର ଅଧୀନ । ତିନ୍ତାଳବା ରୂପକତାଳରେ ଯେଉଁ ମାତ୍ରାରେ ବ୍ୟବହାର ରହିଛି, ତାର ସାମାନ୍ୟ ବ୍ୟତିକ୍ରମ ସଙ୍ଗୀତକୁ କୋଳାହଳରେ ରୂପାନ୍ତରିତ କରିଦିଏ । ରାଗ ସଙ୍ଗୀତରେ ଆରୋହ ଅବରୋହର ଯେଉଁ ନିୟମ ରହିଛି, ତା’ର ସଠିକ୍ ରୂପାୟନ ନ ଘଟିଲେ, ସଙ୍ଗୀତ ବେସୁରା ହୋଇଯାଏ । ଏହି ନିୟମ ଚିତ୍ରକଳା ଓ କବିତା କ୍ଷେତ୍ରରେ ମଧ୍ୟ ସମାନ । ଜଣେ ଚିତ୍ରକର ତାର ରଙ୍ଗ, ରେଖା ଓ ଶୂନ୍ୟତାରେ ଯଦି ପରିମିତ ତଥା ଅନୁପାତିକ ପ୍ରୟୋଗ ସଠିକ୍ ଭାବରେ କରି ନ ପାରେ, ତା’ ହେଲେ ଚିତ୍ରଟି ବିକୃତ ହୋଇଯିବ ।କବିତାରେ ମଧ୍ୟ ଏହା ସମାନ । କବି ପାଇଁ ଭାଷା ଓ ଭାବ ମଧ୍ୟରେ ସୂତ୍ରର ଏକ ଗଢଣ ରହିଛି ।
ଅବଶ୍ୟ ଏହି ସୂତ୍ରଟି ନିର୍ଦ୍ଦିଷ୍ଟ ବାବ୍ୟାଖ୍ୟାୟିତ ନୁହେଁ । ପ୍ରତ୍ୟେକ କବି ନିଜ ପାଇଁ ସୂତ୍ରଟିଏ ଆବିଷ୍କାର କରେ ।କୁହାଯାଇପାରେ, ପ୍ରତ୍ୟେକ କବିର କବିତା ପାଇଁ ନିଜ ସ୍ବଗଣିତ ରହିଛି।ଏହି ଗଣିତର ନିୟମ ତାର କବିତାକୁ ଶୃଙ୍ଖଳିତ ତଥା ନିୟନ୍ତ୍ରିତ କରିଥାଏ ।
ଆମେରିକାର ଦୁଇ ଜଣ ପ୍ରଖ୍ୟାତ କବି ଏଜରାପାଉଣ୍ଡ୍ ଓ ଆଲେନ୍ଜିନ୍ସବର୍ଗଙ୍କୁ କବିତାର ଧାରା ପ୍ରବର୍ତ୍ତକ ଭାବରେ ଗ୍ରହଣ କରାଯାଇଥାଏ । ଏମାନେ କବିତାର ଶୈଳୀକୁ ପାରମ୍ପରିକତାରୁ ମୁକ୍ତ କରି ସମ୍ପୂର୍ଣ୍ଣ ନୂଆ ଗଢଣ କବିତାକୁ ଦେଇଛନ୍ତି । ଉଭୟେ କବିତାର ମାତ୍ରା, ଛନ୍ଦ, ଯତିପାତ, ଭାବ ଓ ଭାଷାବିନ୍ୟାସକୁ ନେଇ ବେଶ୍ ଗମ୍ଭୀର।କବିତା ସମ୍ପର୍କିତ ଆଲୋଚନାରେ ସେମାନଙ୍କୁ ଆମେ ଜଣେ ଜଣେ ଗଣିତଜ୍ଞ ବୋଲି କହିପାରିବା ।ବ୍ୟକ୍ତିଗତ ଜୀବନରେ କିନ୍ତୁ ଏମାନଙ୍କର କୌଣସି ଗାଣିତିକ ଶୃଙ୍ଖଳା ନ ଥିଲା।
ଆଲେନ୍ଜିନ୍ସବର୍ଗ ଥିଲେ ବିଟ୍ ସମ୍ପ୍ରଦାୟର କବି ଓ ତାଙ୍କ ଜୀବନ ଥିଲା ଭାରତୀୟ ଅଘୋରିମାନଙ୍କ ପରି ।ଜୀବନର ବିଶୃଙ୍ଖଳା କବିତାକୁ ଅନିୟନ୍ତ୍ରିତ କରେ ନାହିଁ । ଜିନ୍ସବର୍ଗଙ୍କ କବିତା ଓ ଏ ସମ୍ପର୍କରେ ତାଙ୍କର ଆଲୋଚନା ପଡିଲେ ଆମେ ଏହି କଥାକୁ ସ୍ୱୀକାର କରିବା ପାଇଁ ବାଧ୍ୟ । ଆମର ମଧ୍ୟଯୁଗୀୟ ଓଡ଼ିଆ କବିମାନେ ମଧ୍ୟ ଏହିଧାରାର ଜଣେ ଜଣେ ମହାନ୍ ସାଧକ । ଚିତ୍ରକାବ୍ୟ, ବନ୍ଧକାବ୍ୟ ଓ ଛନ୍ଦ ରଚନାରେ ଗଣିତର ଶୃଙ୍ଖଳାଜ୍ଞାନ ନିତାନ୍ତ ଆବଶ୍ୟକ । ଆଧୁନିକ କବିତା ଆମକୁ ଏହି ଶୃଙ୍ଖଳାରୁ କିଛିଟା ମୁକ୍ତି ଦେଇଚି ।ତେବେ ଆଧୁନିକ କବିତା ଗାଣିତିକ ନିୟମ ବିରୋଧୀ ଏବଂ ବିଶୃଙ୍ଖଳା ବୋଲି କୁହାଯାଇପାରିବ ନାହିଁ । କବିତାରେ ସ୍ୱେଚ୍ଛାଚାରର କୌଣସି ଭୂମିକା ନାହିଁ । କବି ନିଜ ସ୍ୱନିୟମ ଓ ଶୃଙ୍ଖଳାର ଆବିଷ୍କାରକ । ସିଏ ଆଉ କାହାର ଶୃଙ୍ଖଳାକୁ ସିନାମାନେ ନାହିଁ, କିନ୍ତୁ ନିଜ ପାଇଁ ନିଜର ଶୃଙ୍ଖଳା ସେ ତିଆରି କରେ ।
କବିତାର ଗଣିତ ସେଥିରେ ସବୁବେଳେ ରହିଛି ଓ ରହିଥିବ। ଏହି ଶୃଙ୍ଖଳାରୁ ମୁକ୍ତ ହୋଇ କୌଣସି ସତ୍କବି କେବେ କବିତା ଲେଖିନାହାନ୍ତି ।
Comments are closed.