Latest Odisha News

ଚଳିତଥର କୋଭିଡ-୧୯ ଗାଇଡଲାଇନ ଅନୁସାରେ ହେବ ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ତେବେ କରୋନା ମହାମାରୀ ପାଇଁ ଚଳିତବର୍ଷ ଖାତାଦେଖା ପ୍ରକ୍ରିୟାରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । କରୋନା ପାଇଁ ଏଥର ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ହେବାକୁ ଥିବାବେଳେ ପ୍ରତି ପର୍ଯ୍ୟାୟର ଅବଧି ରହିଛି ୨୫ରୁ ୩୦ ଦିନ । ପ୍ରଥମ ପର୍ଯ୍ୟାୟର ଖାତାଦେଖା ସରିବା ପରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ।

ପ୍ରଥମ ପର୍ଯ୍ୟାୟରେ ୪ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ବିଷୟର ମୂଲ୍ୟାୟନ କରିବେ ଶିକ୍ଷକ । ମୂଲ୍ୟାୟନ କେନ୍ଦ୍ରଠୁ ୧୦ କିଲୋମିଟର ମଧ୍ୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖାରେ ନିୟୋଜିତ କରାଯାଇଛି । କରୋନା ସଂକ୍ରମଣକୁ ଏଡ଼ାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ଗାଡ଼ିର ବ୍ୟବସ୍ଥା ନକରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜସ୍ୱ ବ୍ୟବସ୍ଥାରେ ଆସିବାକୁ ଦିଆଯାଇଛି ନିର୍ଦ୍ଦେଶ । ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ଖାତାଦେଖା ।
ସେହିଭଳି କୋଭିଡ-୧୯ ନିୟମ ଅନୁସାରେ ଚଳିତବର୍ଷ ନିଆରା ଢଙ୍ଗରେ ହେବ ଖାତାଦେଖା ପ୍ରକ୍ରିୟା ।

ଗୋଟିଏ କେନ୍ଦ୍ରରେ ୬ରୁ ୭ଟି ୟୁନିଟ ରହି ପ୍ରତିଦିନ ଦେଖିବେ ଦୁଇଟି ବିଷୟର ଖାତା । ପ୍ରତି ରୁମରେ ୧୨ ଜଣ ଶିକ୍ଷକ ୬ ଫୁଟ ଦୂରତା ଅବଲମ୍ୱନ କରି ଦେଖିବେ ଖାତା । ପୂର୍ବରୁ ପ୍ରତିଟି ପ୍ରଶ୍ନକୁ ଅଲଗା ଅଲଗା ଶିକ୍ଷକ ଦେଖୁଥିବାବେଳେ ଚଳିତବର୍ଷ ଗୋଟିଏ ଖାତାକୁ ଜଣେହିଁ ଶିକ୍ଷକ ଦେଖିବାର ବ୍ୟବସ୍ଥା ହୋଇଛି । ତେବେ ଭିନ୍ନ ନିୟମରେ ଖାତାଦେଖା ପ୍ରକ୍ରିୟା କେତେ ସଠିକ୍ ଓ ସ୍ୱଚ୍ଛ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.