Latest Odisha News

BREAKING NEWS

ରାଜନୀତିରେ ମୟୂରଭଞ୍ଜର ଦବଦବା ବଢ଼ୁଛି

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ଜାତୀୟ ରାଜନୀତିରେ ଓଡ଼ିଶାର ଚର୍ଚା ଜୋର ଧରିଛି । କେବଳ ଓଡ଼ିଶାର ଚର୍ଚା ହେଉନାହିଁ ମୟୁରଭଞ୍ଜ ଜିଲ୍ଲାର ରାଜନୀତି, ରାଜନେତାଙ୍କ ଆଲୋଚନା ମଧ୍ୟ ଜୋରଦାର ହେଉଛି । ତେବେ ମୟୂରଭଞ୍ଜ ଜିଲ୍ଲା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରେ ପୁଣି ଜାତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି କୁହାଯାଇପାରେ ।

ପ୍ରଥମେ କହିବାକୁ ଗଲେ କମ୍ପଟ୍ରୋଲର ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ (CAG) ଭାବରେ ଯେତେବେଳେ ଗିରିଶ ମୁର୍ମୁଙ୍କ ନାମ ଘୋଷଣା କରାଗଲା, ସେତେବେଳେ ଏହାକୁ ନେଇ ଜାତୀୟସ୍ତରରେ ଅନେକ ଚର୍ଚା ହୋଇଥିଲା । ଏବେ ମୟୂରଭଞ୍ଜ ଜିଲ୍ଲାରୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପୁଣି ଚର୍ଚାର ଖୋରାକ ଆଣିଛି  । ମୟୂରଭଞ୍ଜ ଜିଲ୍ଲାର ଦ୍ରୈାପଦୀ ମୁର୍ମୁ ପ୍ରାର୍ଥୀ ଘୋଷଣା ହେବା ପରେ ମୟୂରଭଞ୍ଜରେ ଆନନ୍ଦର ମାହୋଲ ଖେଳିଯାଇଛି ।  ଗିରିଶ ମୁର୍ମୁଙ୍କ ପରେ ଏବେ ଓଡ଼ିଶାର ପଛୁଆ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଏବେ ଜାତୀୟ ରାଜନୀତିରେ ନିଜର ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିବାକୁ ଯାଉଛି ।

ଗିରିଶ ଚନ୍ଦ୍ର ମୁର୍ମୁ

ଗିରିଶ ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ଏକ ସାନ୍ତାଳି ପରିବାରରେ  21 ନଭେମ୍ବର 1959ରେ ଜନ୍ମ ଗ୍ରହଣ କରିଥିଲେ ।  ଭାରତର 14 ତମ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।  ସେ ମିଳିତ ଜାତିସଂଘର ପ୍ୟାନେଲ ଅଫ୍ ବାହ୍ୟ ଅଡିଟର ତଥା ସୁପ୍ରିମ ଅଡିଟ୍ ପ୍ରତିଷ୍ଠାନର ଏସୀୟ ସଂଗଠନର ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି । ଗିରିଶ ଜାମ୍ମୁ କାଶ୍ମୀରର  ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କଲାବେଳେ ମଧ୍ୟ ଜାତୀୟ ରାଜନୀତିରେ ଚର୍ଚା ଜୋର ଧରିଥିଲା ।  ଗୁଜୁରାଟ କ୍ୟାଡରର 1985 ବ୍ୟାଚ୍ ଆଇଏଏସ୍ ଅଧିକାରୀ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀଙ୍କର ମୁଖ୍ୟ ସଚିବ ଥିଲେ ଗିରିଶ ମୁର୍ମୁ ।

 

ଦ୍ରୋପଦୀ ମୁର୍ମୁ

ମୟୂରଭଞ୍ଜର ଏକ ଆଦିବାସୀ ପରିବାରରୁ ଆସିଥିବା ଦ୍ରୈାପଦୀ ମୁର୍ମୁ ଆଉ କିଛି ଦିନ ପରେ ରାଷ୍ଟ୍ରପତି ହେବା ସମ୍ଭାବନା ଉଜ୍ଜ୍ବଳ  । ରାଇରଙ୍ଗପୁରର ଶ୍ରୀ ଅରୋବିନ୍ଦୋ ଇଣ୍ଟିଗ୍ରାଲ୍ ଏଜୁକେସନ୍ ସେଣ୍ଟରରେ ଶିକ୍ଷାଦାନ କରିଥିବା ଶିକ୍ଷୟିତ୍ରୀ ଦ୍ରୈାପଦୀ ମୁର୍ମୁ ଙ୍କୁ ରାଇସିନା ହିଲରେ ରାଷ୍ଟ୍ରପତି ହେବାପାଇଁ ମୋଦି ସବୁଜ ସଙ୍କେତ ଦେଇଛନ୍ତି । ତାଙ୍କ ନାମ ଘୋଷଣା ହେବା ପରେ 2022 ମୟୂରଭଞ୍ଜ ରାଜନୀତି ସହ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି।

ମୋଦିଙ୍କ ସମୟରେ ପ୍ରାଧାନ୍ୟ

ଏହି ଜିଲ୍ଲାର ନେତାମାନଙ୍କୁ ମୋଦି ସରକାରଙ୍କ ସମୟରେ ବିଶେଷ ପ୍ରାଧାନ୍ୟ ମଧ୍ୟ ମିଳିଛି । ଅନ୍ୟ ଯେଉଁ ରାଜନେତା ଅନୁରୂପ ଭାବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି, ସେ ହେଉଛନ୍ତି  ବିଶେଶ୍ବର ଟୁଡୁ । ୨୦୧୯ ମସିହାରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଟୁଡୁ । ପ୍ରଥମ ଥର ନିର୍ବାଚିତ ହୋଇଥିଲେ ମଧ୍ୟ ଆଦିବାସୀ ହୋଇଥିବାରୁ ମୋଦି ସରକାରଙ୍କ ପ୍ରାଥମିକତା ଭାବେ ଏବେ କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ବିଶ୍ବେଶ୍ବର ଟୁଡ଼ୁ। ମନ୍ତ୍ରୀ ଭାବେ ଜାତୀୟ ସ୍ତରରେ ମଧ୍ୟ ତାଙ୍କର ଗୁରୁତ୍ବ ରହିଛି। ରାଜ୍ୟରେ ମଧ୍ୟ ତାଙ୍କର ପ୍ରାଧାନ୍ୟ ରହିଛି ।

ଜିଲ୍ଲାର ଅନ୍ୟାନ୍ୟ ନେତା

ପ୍ରସନ୍ନ ଦାଶ

ଏପରିକି ମୟୂରଭଞ୍ଜ ଜିଲ୍ଲାର ରାଜନେତାଙ୍କ କଥା କହିବାକୁ ଗଲେ ପ୍ରଥମେ  ପ୍ରସନ୍ନ କୁମାର ଦାଶଙ୍କ ନାମ ଉଠେ। ସେ ୯ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମନ୍ତ୍ରୀ ପଦ ସହିତ ବିଧାନସଭା ବାଚସ୍ପତି ପଦ ଅଳଙ୍କୃତ କରିଥିଲେ। ସେହିପରି ନବେ ଦଶକରେ ରାଜନୀତିରେ ବେଶ୍‌ ସକ୍ରିୟ ଅଂଶଗ୍ରହଣ କରି ଚୈତନ୍ୟ ମାଝୀ ୩ଥର ବିଧାୟକ ଭାବେ ନିର୍ବାଚିତ ହେବାସହିତ ଶିକ୍ଷାଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଥିଲେ।

ସତୁରୀ, ଅଶି ଦଶକ ବେଳକୁ କୁଆଁରିଆ ମାଝୀ ବି ଚର୍ଚ୍ଚାରେ ଥିଲେ। ସେ ୩ଥର ବିଧାୟକ ଭାବେ ନିର୍ବାଚିତ ହେବାସହିତ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଚୈତନ ମାଝି

ନବେ ଦଶକରେ ରାଜନୀତିରେ ବେଶ୍‌ ସକ୍ରିୟ ଅଂଶଗ୍ରହଣ କରି ଚୈତନ୍ୟ ମାଝୀ ମଧ୍ୟ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭାଜନ ସହ  ଶିକ୍ଷାଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଥିଲେ। ତାଙ୍କ ଝିଅ ସରୋଜିନୀ ହେମ୍ବ୍ରମ  2009 ରେ ବାଙ୍ଗିରିପୋଷୀ ବିଧାନସଭା ନିର୍ବାଚନମଣ୍ଡଳୀ ରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଓଡିଶା ସରକାରଙ୍କ ବୟନ, ହସ୍ତତନ୍ତ ଏବଂ ହସ୍ତତନ୍ତ ମନ୍ତ୍ରୀ ହୋଇଥିଲେ। ସେ 2014 ରେ  ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

 

ସରସ୍ବତୀ ହେମ୍ବମ୍ର

ସୁଶୀଳା ତିରିଆଙ୍କ ଭଳି ଅନ୍ୟଜଣେ ମହିଳା, ଯିଏକି ରାଜନୀତିରେ ବେଶ୍‌ ସଫଳ ହୋଇଥିଲେ, ସେ ହେଉଛନ୍ତି ସରସ୍ବତୀ ହେମ୍ବମ୍‌। ସେ ଭାରତୀୟ ଜାତୀୟ କଂଗ୍ରେସରୁ ୩ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବାବେଳେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।

ଗୋଲକ ବିହାରୀ ନାଏକ

ଜିଲ୍ଲା‌ର ଅନ୍ୟ ଯେଉଁମାନେ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଗୋଲକ ବିହାରୀ ନାଏକ ମଧ୍ୟ ଅଛନ୍ତି  । ସେ ୩ଥର ବିଧାୟକ ହୋଇଥିଲେ  । ଏହା ସହ   ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ୨ଥର ବିଧାୟକ ହୋଇଥିଲେ ।

ସୁଦାମ ମାରାଣ୍ଡି

ସୁଦାମ ମାରାଣ୍ଡି ୨୦୦୪ ମସିହାରେ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ। ଏକଥାକୁ ଏବେ ସମସ୍ତେ ଉଦାହରଣ ନେବେ ଯେ  ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷିତ ହେବାପରେ ମୟୂରଭଞ୍ଜ ଜିଲ୍ଲା ଏବେ ରାଜନୈତିକ ଦୃଷ୍ଟିରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏବଂ ଏହି ଜିଲ୍ଲା ଆଗକୁ ଐତିହାସିକ ମୁହୂର୍ତ୍ତର ସାକ୍ଷି ହେବାକୁ ଯାଉଛି । ତେଣୁ ସ୍ବାଧୀନତାପରଠୁ ଆଜି ଯାଏଁ ମୟୂରଭଞ୍ଜର ରାଜନୀତି ଦେଖିଲେ ଏହା ହିଁ ସ୍ପଷ୍ଟ ହେଉଛି  ଯେ ମୟୂରଭଞ୍ଜ ଜିଲ୍ଲାର ଦବଦବା ରାଜ୍ୟ ହେଉ ବା ଜାତୀୟ ରାଜନୀତି ହେଉ ଦିନକୁ ଦିନ ବଢ଼ିବାରେ ଲାଗିଛି ।

 

Leave A Reply

Your email address will not be published.