Latest Odisha News

ଭାରତର ସ୍ୱର ପାଇଁ ଲଢୁଛି, ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ : ରାହୁଲ

ନୂଆଦିଲ୍ଲୀ : ମୋଦୀ ସରନେମ୍ ବା ସାଙ୍ଗିଆ ମାମଲାରେ ସୁରଟର ଜିଲ୍ଲା କୋର୍ଟ  ଦୋଷୀ ସାବ୍ୟସ୍ତ କରିବା ପରେ ଶୁକ୍ରବାର ରଦ୍ଦ ହୋଇଛି ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା।  ରାହୁଲଙ୍କର ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ପକ୍ଷରୁ ଏହାକୁ ଦେଶବ୍ୟାପୀ ବିରୋଧ କରାଯାଇଛି ।

ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି; ଆଦାନୀ ପ୍ରସଙ୍ଗରୁ ନଜର ହଟାଇବାକୁ ଓ ରାହୁଲଙ୍କୁ ଚୁପ କରିବାକୁ ବିଜେପି ଏପରି କରିଛି । ରାହୁଲଙ୍କ ସାଂସଦ ପଦ ରଦ୍ଦ, ଗଣତନ୍ତ୍ରର ହତ୍ୟା ବୋଲି କହିଛି କଂଗ୍ରେସ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ମଧ୍ୟ ମୋଦି ସରକାରଙ୍କ ଏପରି ନିଷ୍ପତ୍ତିକୁ ଆକ୍ରମଣାତ୍ମକ ଓ ପ୍ରତିଶୋଧ ରାଜନୀତିର ଆଖ୍ୟା ଦେଇଛନ୍ତି ।

ଏସବୁ ଭିତରେ କଂଗ୍ରେସର ଯୁବରାଜ ଭାବେ ପରିଚିତ ରାହୁଲ ଟ୍ବିଟ କରି ନିଜ ଦମ୍ଭ ଦେଖାଇଛନ୍ତି । ରାହୁଲ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ଭାରତର ସ୍ୱର ପାଇଁ ଲଢେଇ କରୁଛି, ଆଉ ଏଥି ପାଇଁ ସବୁ ପ୍ରକାର ମୂଲ୍ୟ ଦେବାକୁ ପ୍ରସ୍ତୁତ’।

ସୂଚନାଯୋଗ୍ୟ, ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିବାରୁ କେରଳର ୱାୟନାଡ ଆସନ ଏବେ ଖାଲି ହୋଇଯାଇଛି। ତେଣୁ ଭାରତୀୟ ନିର୍ବାଚନ କମିଶନ ଏହି ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିପାରିବେ। ସେହିପରି ରାହୁଲଙ୍କୁ ମାସକ ମଧ୍ୟରେ ଦିଲ୍ଲୀର ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡ଼ିବ ବୋଲି ମଧ୍ୟ ଜଣାପଡିଛି।

ସେପଟେ ସୁରତର ଜିଲ୍ଲା କୋର୍ଟ ରାୟ ବିରୋଧରେ ରାହୁଲ ଉପର କୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି । ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁସିଂଘଭି କହିଛନ୍ତି, ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ ସେସନ୍ସ କୋର୍ଟକୁ ଯିବେ ରାହୁଲ, ଦୋଷୀ ସାବ୍ୟସ୍ତ ନିଷ୍ପତ୍ତି ଉପରେ ରାହୁଲ ରହିତାଦେଶ ଦାବି କରିବେ ବୋଲି ଅଭିଷେକ ମନୁସିଂଘଭି ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.