Latest Odisha News

BREAKING NEWS

ସ୍ତ୍ରୀଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେବାରୁ ସ୍ଵାମୀ ଲଗାଇଲେ ୫୦୦ ଗଛ, ଏବେ ‘ଅକ୍ସିଜେନ ମ୍ୟାନ’ ଭାବରେ ସବୁଆଡେ ପରିଚିତ

ବିହାର: ରାଜଧାନୀ ପାଟନା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପୁନପୁନ୍ ଷ୍ଟେସନରୁ ଅକୌନା ଗାଁର ଦୂରତା ପ୍ରାୟ ତିନିରୁ ଚାରି କିଲୋମିଟର ଅଟେ | ଏହି ଗାଁରେ ରହୁଥିବା ଜଣେ ୭୦ ବର୍ଷିୟ ଅଶୋକ ସିଂ ଓରଫ ବଙ୍ଗାଳୀ ବାବା ନିଜ ପତ୍ନୀଙ୍କୁ ସୁସ୍ଥ ରଖିବା ପାଇଁ ଗତ ୧୩ ବର୍ଷ ଧରି ବୃକ୍ଷ ରୋପଣ କରିଚାଲିଛନ୍ତି । ଏହି ସମସ୍ତ ଉଦ୍ଭିଦ ବର୍ତ୍ତମାନ ବିରାଟ ଗଛରେ ପରିଣତ ହୋଇଛି | ଏହି ଅଞ୍ଚଳରେ ବଙ୍ଗାଳୀ ବାବା ଲଗାଇଥିବା ଗଛ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୫୦୦ ରେ ପହଞ୍ଚିଛି।

ବଙ୍ଗାଳୀ ବାବାଙ୍କ କହିବା ଅନୁସାରେ, ଯେବେଠାରୁ ସେ ଗଛ ଲଗାଇବା ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କ ପତ୍ନୀ ମନୋରାମା ଦେବୀଙ୍କ ଶ୍ୱାସକ୍ରିୟା ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭଲ ହୋଇଯାଇଛି । ଏହା ବ୍ୟତୀତ ଗାଁରେ ଗଛ ଓ ଉଦ୍ଭିଦ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଦୁଇ ଦଶନ୍ଧି ପୂର୍ବରୁ ବୃକ୍ଷ ରୋପଣ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବଙ୍ଗାଳୀ ବାବା ଏବେ ମଧ୍ୟ ଉତ୍ତମ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସେଠାକାର କିଛି ଚାଷୀଙ୍କ କହିବା ଅନୁସାରେ, ଦିନ ବଦଳିଛି, ଅନେକ ଋତୁ ବି ଯାଇଛି, କିନ୍ତୁ ଅଶୋକ ସିଂଙ୍କ ଦ୍ୱାରା ବୃକ୍ଷ ରୋପଣ କାମ ଶେଷ ହୋଇନାହିଁ। ଆଜି ବି ସେ ସକାଳ ଓ ସନ୍ଧ୍ୟାରେ ଗଛର ଯତ୍ନ ନିଅନ୍ତି । ଲୋକମାନଙ୍କୁ ଅଧିକରୁ ଅଧିକ ଅମ୍ଳଜାନ କିପରି ମିଳିବ ସେଥିପାଇଁ ବଙ୍ଗାଳୀ ବାବା ଓସ୍ତ, ପିପ୍ପଳୀ, ବର, ବେଲ, କଦମ ଏବଂ ଜାମୁକୋଳି ପରି ଅନେକ ଗଛ ଲଗେଇଛନ୍ତି । ଆଜି ତାଙ୍କ ପାଇଁ ସମଗ୍ର ଗାଁ ଶୁଦ୍ଧ ଅମ୍ଳଜାନ ପାଉଛି ।

ବଙ୍ଗାଳୀ ବାବା କହିଛନ୍ତି ଯେ, ବର୍ଷା ଋତୁରେ ସେ ପ୍ରତିବର୍ଷ ପ୍ରାୟ ପଚାଶରୁ ଷାଠିଏ ଗଛ ଲଗାନ୍ତି । ସେହି ଗଛଗୁଡ଼ିକର ବର୍ଷସାରା ଯତ୍ନ ନେଇଥାନ୍ତି ସେ | ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏକାକୀ ଗଛ ଲଗାଇବା କାମ ଆରମ୍ଭ କରିଥିଲେ, କିନ୍ତୁ ଆଜି ପୁରା ଗାଁ ତାଙ୍କର ଏହି କାର୍ଯ୍ୟରେ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି । ପୁନପୁନ ବଜାରରେ ବଙ୍ଗାଳୀ ବାବାଙ୍କ ନାମରେ ଟି-ସାର୍ଟ ମଧ୍ୟ ବିକ୍ରି ହେଉଛି । ଯାହାଫଳରେ ଲୋକମାନେ ତାଙ୍କୁ ଚିହ୍ନିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ବଙ୍ଗାଳୀ ବାବାଙ୍କ ନାଁ କୁ ନେଇ ଲୋକମାନେ କୁହନ୍ତି ଯେ, ୨୫ ବର୍ଷ ପୂର୍ବେ ଲୋକମାନେ ତାଙ୍କୁ କେବଳ ଅଶୋକ ସିଂଙ୍କ ନାମରେ ଜାଣିଥିଲେ । କିନ୍ତୁ ଯେତେବେଳେ ସେ ରୋଜଗାର ପାଇଁ ବଙ୍ଗଳା ଯାଇ ସେଠାରୁ ଫେରି ଆସିଲେ, ଲୋକମାନେ ତାଙ୍କୁ ସ୍ନେହରେ ବଙ୍ଗାଳୀ ବାବା ବୋଲି କହିବା ଆରମ୍ଭ କଲେ। ଏହା ପରେ ସେ ବଙ୍ଗାଳୀ ବାବା ନାମରେ ପ୍ରସିଦ୍ଧ ହେଲେ | ବର୍ତ୍ତମାନ ବଙ୍ଗାଳୀ ବାବାଙ୍କ ବ୍ୟତୀତ ଲୋକମାନେ ତାଙ୍କୁ ‘ଅକ୍ସିଜେନ ମ୍ୟାନ୍’ ବୋଲି ମଧ୍ୟ କୁହନ୍ତି ।

Leave A Reply

Your email address will not be published.