Latest Odisha News

BREAKING NEWS

ପୂରଣ ହେବ କି ଭାରତର ୪୮ ବର୍ଷର ସ୍ୱପ୍ନ ?

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ । ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ୨୦୧୮ ହକି ବିଶ୍ୱକପ୍ ପରେ ଓଡ଼ିଶାରେ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଖେଳ ହେବାକୁ ଯାଉଛି । ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ହକି ବିଶ୍ୱକପର ଦୁଇ ଦୁଇଟି ସଂସ୍କରଣ ଲଗାତାର ଆୟୋଜନର ସୌଭାଗ୍ୟ ପାଇଛି । ଯାହାକୁ ନେଇ ହକି ପ୍ରେମୀ ଉତ୍ସାହିତ ଥିବା ବେଳେ ଟିମ୍ ଇଣ୍ଡିଆ ଠାରୁ ୪୮ ବର୍ଷ ପରେ ବିଶ୍ୱକପ୍ ଟ୍ରଫି ଆଶା ରହିଛି ।

ତେବେ ଆସନ୍ତୁ ନଜର ପକାଇ ନେବା ହକି ବିଶ୍ୱକପର ଇତିହାସ ଉପରେ । ୧୯୭୧ ମସିହାରେ ସ୍ପେନରେ ହକି ବିଶ୍ୱକପର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା । ଯେଉଁଥିରେ ପାକିସ୍ତାନ ଟ୍ରଫି ଜିତିଥିବା ବେଳେ ଆୟୋଜକ ସ୍ପେନ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିବା ବେଳେ ଭାରତ ତୃତୀୟ ସ୍ଥାନରେ ଥିଲା ।

ସେବେଠୁ ଏଯାବତ୍ ହକି ବିଶ୍ୱକପର ୧୪ଟି ସଂସ୍କରଣ ସରିଥିବା ବେଳେ ସର୍ବାଧିକ ୪ ଥର ପାକିସ୍ତାନ ଟ୍ରଫି ଜିତିଛି । ସେହିଭଳି ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ୩ ଥର ହକି ବିଶ୍ୱକପ୍ ହାତେଇଥିବା ବେଳେ ୧୯୭୫ରେ ଭାରତ-ପାକିସ୍ତାନକୁ ହରାଇ ହାତେଇ ଥିଲା ହକି ବିଶ୍ୱକପ୍ ଟ୍ରଫି । ସେବେଠୁ ୪୮ ବର୍ଷ ହେଲାଣି ଭାରତ ହକି ବିଶ୍ୱକପ୍ ଟ୍ରଫି ହାତେଇବା ସ୍ୱପ୍ନ ହୋଇ ରହିଛି ।

୨୦୧୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ବିଶ୍ୱକପରେ ବେଲଜିୟମ୍ ଟ୍ରଫି ଜିତିଥିବା ବେଳେ ରନର୍ସ ଅପ୍ ହୋଇଥିଲା ନେଦରଲାଣ୍ଡ । ଦୁନିଆର ପ୍ରାୟ ୯୫ଟି ଦେଶରେ ହକି ଖେଳା ଯାଉଥିବା ବେଳେ ପଏଣ୍ଟ ଟେବୁଲର ଶୀର୍ଷରେ ଅଷ୍ଟ୍ରେଲିଆ, ଦ୍ୱିତୀୟରେ ବେଲଜିୟମ୍, ତୃତୀୟରେ ନେଦରଲାଣ୍ଡ ଥିବା ବେଳେ ଷଷ୍ଠ ସ୍ଥାନରେ ରହିଛି ଭାରତ ।

ଆଜି ଯାଏ ହକି ବିଶ୍ୱକପରେ ଭାରତୀୟ ଦଳ ୯୫ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୪୪ଟିରେ ବିଜୟୀ ହୋଇଛି । ଏବେ ଘରୋଇ ଗ୍ରାଉଣ୍ଡରେ ହକି ବିଶ୍ୱକପ୍ ଖେଳା ଯାଉଥିବାରୁ ଭାରତୀୟ ଦଳର ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର ।

୨୦ ଜଣିଆ ଭାରତୀୟ ହକି ଦଳର ନେତୃତ୍ୱ ନେଉଛନ୍ତି ହରମନପ୍ରୀତ ସିଂ । ଉଦଘାଟନୀ ଦିବସର ଚତୁର୍ଥ ମ୍ୟାଚରେ ଭାରତ, ସ୍ପେନ୍ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ସେହିଭଳି ଭାରତ ଦ୍ୱିତୀୟ ମ୍ୟାଚ୍ ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ । ୧୯ ତାରିଖରେ ୱାଲେକୁ ଭେଟିବ ଭାରତ । ଘରୋଇ ଗ୍ରାଉଣ୍ଡରେ ବିଶ୍ୱକପ୍ ଖେଳା ଯାଉଥିବାରୁ ସମସ୍ତେ ଭାରତୀୟ ଦଳ ଠାରୁ ଟ୍ରଫି ଆଶା ରଖିଛନ୍ତି ।

Comments are closed.