Latest Odisha News

BREAKING NEWS

ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରୁ ବାଦ ନପଡ଼ନ୍ତୁ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତରୋଗୀ

(ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ)

ଭାରତର ସମ୍ବିଧାନରେ ‘ଜୀବନ ବଞ୍ଚିବାର ଅଧିକାର’ କୁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ରୂପେ ବର୍ଣ୍ଣନା କରାଯାଇଛି । ତେଣୁ ସରକାର ସମସ୍ତ ନାଗରିକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକାର ସୁନିଶ୍ଚିତ କରନ୍ତି । ଏଥିପାଇଁ ସଂକ୍ରମିତ ଓ ଅଣସଂକ୍ରମିତ ରୋଗଗୁଡିକୁ ନିୟନ୍ତ୍ରିତ ଓ କମ୍ କରିବା ପାଇଁ ବିଭିନ୍ନ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଯକ୍ଷ୍ମା ଏକ ସଂକ୍ରମିତ ରୋଗ ଏବଂ ସାରା ବିଶ୍ୱରେ ଏହାର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଛି । ଯଦି ଏହାର ଚିକିତ୍ସା କରାନଯାଏ, ତେବେ ଏହା ଅନ୍ୟକୁ ସଂକ୍ରମିତ ହେବାର ସମ୍ଭାବନା ବହୁତ ରହିଛି । ୨୦୨୫ ମସିହା ସୁଦ୍ଧା ଦେଶରୁ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ‘ଟିବି ହାରେଗା ଦେଶ ଜିତେଗା’ର ନାରା ଦିଆଯିବା ସହ ନ୍ୟାସନାଲ ଟ୍ୟୁବୋକ୍ଲୋରୋସିସ୍ ଏଲିମିନେସନ୍ ପ୍ରୋଗ୍ରାମ ମାଧ୍ୟମରେ ଯକ୍ଷ୍ମା ରୋଗକୁ ଚିହ୍ନଟ କରିବା ଏବଂ ଦେଶରେ ପ୍ରତ୍ୟେକ ଯକ୍ଷ୍ମାରୋଗର ଚିକିତ୍ସା କରିବା ପାଇଁ ଚେଷ୍ଟା କରାଯାଉଛି । ଭାରତ ସରକାର, ସମସ୍ତ ରାଜ୍ୟ ସରକାର ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନ ଯକ୍ଷ୍ମାକୁ ହରାଇବା ପାଇଁ ଚେଷ୍ଟା ଜାରିରଖିଛନ୍ତି ।

ଟିବି ରିପୋର୍ଟ ୨୦୨୦ ଅନୁଯାୟୀ, ୨୦୧୯ ସୁଦ୍ଧା ଭାରତରେ ୨୪.୦୪ଲକ୍ଷ ହୋଇଥିବାବେଳେ ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ଅନୁଯାୟୀ ୨୬.୯ଲକ୍ଷ ରୋଗୀ ହୋଇଥିବା ଆକଳନ ହୋଇଛି । ଯାହାକି ସୂଚାଉଛି ଯେ ପାଖାପାଖି ୩ ଲକ୍ଷ ରୋଗୀ ଚିହ୍ନଟରୁ ଦୂରରେ ଅଛନ୍ତି, ଚିହ୍ନଟରୁ ବଞ୍ଚିତ ଲୋକଙ୍କ ମଧ୍ୟରୁ ରାସ୍ତାରେ ବୁଲୁଥିବା ମାନସିକରୋଗୀଙ୍କ କଥାକୁ ଏଡ଼ାଇ ହବନାହିଁ। ଖୋର୍ଦ୍ଧାସ୍ଥିତ ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ପାଇଁ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ୱାରା ୨୦୧୧ ମସିହାରେ ଭଞ୍ଜନଗରରୁ ଲକ୍ଷ୍ମୀ ( ଛଦ୍ମନାମ ) ନାମକ ଏକ ଝିଅ ଉଦ୍ଧାର ହୋଇଥିଲେ। ଉଦ୍ଧାର ହେବାପରେ ‘ଲକ୍ଷ୍ମୀ’ ଯକ୍ଷ୍ମା ଏବଂ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଡାକ୍ତରୀ ରିପୋର୍ଟ ଆସିଥିଲା । ଏହାପରେ ସରକାରୀ ଡାକ୍ତରଖାନାର ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଗଲା । କିଛିଦିନର ଯକ୍ଷ୍ମା ଚିକିତ୍ସା ପରେ, ଲକ୍ଷ୍ମୀ ଯକ୍ଷ୍ମାମୁକ୍ତ ହୋଇଗଲେ । କିନ୍ତୁ ଏଚ୍‌ଆଇଭି ଓ ମାନସିକ ବିକାରଗ୍ରସ୍ତର ଚିକିତ୍ସା ଜାରି ରହିଛି ।

ସେହିପରି ଭୁବନେଶ୍ୱର ପୁଲିସ୍ ଦ୍ୱାରା ଏକ ଆଦିବାସୀ ସମ୍ପ୍ରଦାୟ ଝିଅ ରିଙ୍କି ( ଛଦ୍ମନାମ) ଉଦ୍ଧାର ହୋଇଥିଲେ । ୨୦୧୭ ମସିହାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏମ୍‌ଡିଆର୍ ଟିବି ଚିକିତ୍ସା ହେଉଥିଲା । ଭୀଷଣ କଫ, ରକ୍ତବାନ୍ତି ହେଉଥିଲା । ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡ଼ିକାଲ୍ କଲେଜରେ କିଛିଦିନ ପାଇଁ ଚିକିତ୍ସିତ ହେଉଥିଲେ। ଚିକିତ୍ସା ହେବାପରେ ସେ ସମ୍ପୂର୍ଣ୍ଣଭାବେ ସୁସ୍ଥ ଲାଭକଲେ ।
“ଆମ ଆଶ୍ରୟକୁ ନୂଆ ଯକ୍ଷ୍ମା ଲକ୍ଷଣ ଥିବା ସଦସ୍ୟ ଆସିଲେ , ପ୍ରଥମେ ଟିବି ସ୍କ୍ରିନିଂ ପାଇଁ ପରାମର୍ଶ କରୁଛୁ । କାରଣ ଯକ୍ଷ୍ମା ଏକ ସଂକ୍ରମିତ ରୋଗ ଏବଂ ଅନ୍ୟ ସମସ୍ତ ଅନ୍ତେବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ଆମର ଦାୟିତ୍ୱ ବୋଲି ଆଶ୍ରମର ଷ୍ଟାଫ୍ ନର୍ସ କହିଛନ୍ତି” ।

ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ସମୟରେ ସରକାରୀ ଡାକ୍ତରଖାନାଗୁଡିକର ସହଯୋଗକୁ ପ୍ରଶଂସା କରି ସେଣ୍ଟର ଇନ୍‌ଚାର୍ଜ ତନୟା ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସଠିକ୍ ସମୟରେ ଯକ୍ଷ୍ମା ଚିହ୍ନଟ, ରୋଗୀଙ୍କୁ ଔଷଧ ଯୋଗାଇବା ଦ୍ୱାରା କୌଣସି ବାଧାବିଘ୍ନ ବିନା ରୋଗୀଙ୍କର ଚିକିତ୍ସା ସହଜ ହୋଇପାରିଛି ।

ମାନସିକ ଭାରସାମ୍ୟ ହରେଇ ରାସ୍ତାରେ ବୁଲୁଥିବା ଲୋକଙ୍କ ଭିତରେ ସ୍ତ୍ରୀ ଲୋକଙ୍କ ସମସ୍ୟା ଅଧିକ ବୋଲି ବିଶେଷଜ୍ଞଙ୍କ ମତପ୍ରକାଶ କରନ୍ତି । କାରଣ ମହିଳାଙ୍କୁ ଯୌତୁକ, ସ୍ୱାମୀଙ୍କ ଅତିରିକ୍ତ ବୈବାହିକ ସମ୍ବନ୍ଧ ମାମଲା ଏବଂ ଶିଶୁପୁତ୍ର ଜନ୍ମ ନ ଦେବା ଯୋଗୁଁ ଘରୋଇ ହିଂସାର ଶିକାର ହେବା ଦ୍ୱାରା ଦୀର୍ଘ ସମୟ ଧରି ମାନସିକ ଚାପ ମଧ୍ୟରେ ରୁହନ୍ତି । ଏହାଦ୍ୱାରା ମାନସିକ ଭାରସାମ୍ୟ ହରାଇବା ସହ ସେ ନିଜ ପରିବାର ସଦସ୍ୟଙ୍କ ଦ୍ୱାରା ଅଲୋଡ଼ାର ଶିକାର ହେବାକୁ ପଡେ । ପୁରୁଷମାନଙ୍କୁ ସେମାନଙ୍କ ପରିବାର ସଦସ୍ୟ ପୁଣିଥରେ ଘରକୁ ନେଉଥିବାବେଳେ ମହିଳାମାନଙ୍କର ପରିବାର ସଦସ୍ୟଙ୍କ ସହିତ ପୁନଃ ମିଳନ ହେବା ଘଟଣା କ୍ବଚିତ ବୋଲି ସଂଗଠନର କେୟାରଟେକର କହିଛନ୍ତି ।

ନିରାଶ୍ରୟ ଓ ମାନବିକ ବିକାରଗ୍ରସ୍ତ ଲୋକ ଯକ୍ଷ୍ମା ରୋଗ ସାଙ୍ଗକୁ ବିଭିନ୍ନ ଅତ୍ୟାଚାର, ମାନବ ଅଧିକାର କ୍ଷୁର୍ଣ୍ଣ ହେବା ସହ ଅନ୍ୟ ରୋଗର ଶିକାର ହୁଅନ୍ତି । ସେହି ଅସହାୟ ଏବଂ ନିରାଶ୍ରୟ ଲୋକଙ୍କ ମଧ୍ୟରେ ଯକ୍ଷ୍ମା ରୋଗୀ ମଧ୍ୟ ରହିଛନ୍ତି ଏବଂ ସେହି ଲୋକମାନେ ଟିବି ରୋଗ ସମ୍ପର୍କରେ ଅନଭିଜ୍ଞ । ଯେଉଁମାନେ ସେମାନଙ୍କ ଜୀବନକୁ ବିପଦରେ ପକାଇବା ସହ ଅଜାଣତବଶତଃ ଅନ୍ୟକୁ ମଧ୍ୟ ସଂକ୍ରମିତ କରିବାର ମଧ୍ୟ ସମ୍ଭାବନା ଥାଏ । ୨୦୨୫ ସୁଦ୍ଧା ଯକ୍ଷ୍ମା ନିରାକରଣ କରିବାକୁ ହେଲେ ସେହି ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦେବା ନିହାତି ଆବଶ୍ୟକ। ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସେହି ଯକ୍ଷ୍ମା ରୋଗୀମାନଙ୍କ ପ୍ରତି ଦେଖାଶୁଣାରେ ଅବହେଳା ସମ୍ପର୍କରେ ଆୟୁର୍ବେଦ ଚିକିତ୍ସକ ତଥା ଯକ୍ଷ୍ମା ବିରୁଦ୍ଧରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଡ. ରୀତା ସାହୁ ସୂଚନା ଦେଇଛନ୍ତି। ମାନସିକ ବିକାରଗ୍ରସ୍ତରୋଗୀ ଆବାସିକ ସଂଗଠନରେ ରହୁଥିବା ମାନସିକରୋଗର ଚିକିତ୍ସା ପରେ ତାଙ୍କର ମାନସିକ ଅବସ୍ଥାରେ ସୁଧାର ଆସିଲେ ତାଙ୍କୁ ତାଙ୍କ ପରିବାର ସହ ପୁନଃ ମିଳନ କରାଯାଏ ଏବଂ ଏ କ୍ଷେତ୍ରରେ ତାଙ୍କର ଯକ୍ଷ୍ମା ଔଷଧ ସେବନ ବାଧାପ୍ରାପ୍ତ ହବାର ସମ୍ଭାବନା ଥାଏ ତେଣୁ କର୍ତ୍ତୃପକ୍ଷ ଏ ଦିଗରେ ଯତ୍ନବାନ ହବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି ଡ଼. ରିତା।

ମାନବ ଅଧିକାର କର୍ମୀ ଏବଂ କମ୍ୟୁନିଟି ରେଡ଼ିଓ ଆସୋସିଏସନ୍ ସଭାପତି ଶାହା ଆନ୍‌ସାରୀ ଓଡ଼ିଶା ରାଜ୍ୟ ମାନବ ଅଧିକାର କମିଶନ୍‌ଙ୍କୁ ହସ୍ତକ୍ଷପ କରାଇବାପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୩ଜଣ ନିରାଶ୍ରିତଙ୍କ ମାନସିକ ଭାରସାମ୍ୟ ହରାଇଥିବା ଲୋକଙ୍କୁ ଉଦ୍ଧାର କରିଥିବା ଆନ୍‌ସାରୀ କହିଛନ୍ତି । ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସେହି ମାନସିକ ଭାବେ ଅସ୍ଥିର ରୋଗୀଙ୍କୁ ଉଦ୍ଧାର କରିବାପରେ କୋଭିଡ଼୍‌-୧୯ ପରୀକ୍ଷଣ ସମ୍ପର୍କରେ ଉଲ୍ଲେଖ କରୁଛନ୍ତି, କିନ୍ତୁ ଯେତେ ପର୍ଯ୍ୟନ୍ତ ଯକ୍ଷ୍ମାର ଲକ୍ଷଣ ନାହିଁ, ସେପର୍ଯ୍ୟନ୍ତ ଯକ୍ଷ୍ମା ପରୀକ୍ଷଣ କରାଯାଏ ନାହିଁ ବୋଲି ମତପ୍ରକାଶ କରିଛନ୍ତି । ଏହିଭଳି ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ପ୍ରଥମେ ରାସ୍ତାରୁ ଉଦ୍ଧାର କରିବା ପରେ ସେମାନଙ୍କୁ ବଞ୍ଚାଇବା ଆମର ପ୍ରଥମ ଦାୟିତ୍ୱ, ମାନସିକ ରୋଗର ଚିକିତ୍ସା କରାଇବା ପ୍ରାଥମିକତା ବୋଲି ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି । ବର୍ତ୍ତମାନ ମାନସିକ ବିକାରଗ୍ରସ୍ତ ଲୋକଙ୍କ ମଧ୍ୟରେ ଯକ୍ଷ୍ମା ସମ୍ପର୍କିତ ଯାଞ୍ଚ କରିବା ପାଇଁ କୌଣସି ବିଶେଷ ଗାଇଡ଼ଲାଇନ୍ ନାହିଁ । ଏହି ବିଭାଗ ନିକଟରେ ପହଞ୍ଚିବା ପାଇଁ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରାଯାଉଥିବା ଓଡ଼ିଶା ରାଜ୍ୟ ଟିବି ଅଧିକାରୀ ଡ. ପି.କେ ହୋତା ସୂଚନା ଦେଇଛନ୍ତି ।

ରାଜ୍ୟ ଓ ଦେଶରେ ଟିବି ନିରାକରଣ ପାଇଁ ସମସ୍ତ ନୀତି ଏବଂ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ଏବେବି ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟାରୁ ବାଦ ପଡିଛନ୍ତି ରାସ୍ତାରେ ବୁଲୁଥିବା ମନାସିକବିକାରଗସ୍ତ ରୋଗୀ ।

ସକ୍ରିୟ ପଜିଟିଭ୍ ରୋଗୀଙ୍କୁ ଖୋଜିବା ସମୟରେ ଏହି ନିରାଶ୍ରୟଙ୍କୁ ଚିହ୍ନଟ କରିବା ପାଇଁ ଆବଶ୍ୟକତା ରହିଛି । ଏହି ନିରାଶ୍ରିତଙ୍କୁ ଛାଡିବା ଦ୍ୱାରା ଯକ୍ଷ୍ମା ରୋଗୀଙ୍କ ଦୁଃଖ ବଢିବ । ଏହି ବେସାହାରା ଲୋକ ଯକ୍ଷ୍ମାରେ ଜୀବନ ହାରିବାର ସମ୍ଭାବନା ଅନେକ ଏବଂ ଏହାଦ୍ୱାରା ଅନ୍ୟକୁ ସଂକ୍ରମଣ କରିବାର ବିପଦ ରହିଛି । ତେଣୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ପଦକ୍ଷପରର ଆବଶ୍ୟକତା ରହିଛି । ଯକ୍ଷ୍ମାକୁ ସବୁ କ୍ଷେତ୍ରରେ ହରେଇ ହବ ଏବଂ ଖାସକରି ଚିକିତ୍ସାରୁ ବଞ୍ଚିତ ବ୍ୟକ୍ତିଙ୍କୁ ରୋଗମୁକ୍ତ କରାଯାଇପାରିବ ।

Comments are closed.