ସୁନ୍ଦରଗଡ ଜିଲ୍ଲା ଖଣି ପ୍ରଭାବିତ ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପ୍ରବେଶିକା ପରୀକ୍ଷା କୋଚିଂ ବ୍ୟବସ୍ଥା
ସୁନ୍ଦରଗଡ: ପ୍ରବେଶିକା ପରୀକ୍ଷା ହେଉ ଅବା ଚାକିରୀ ପାଇଁ ଇଣ୍ଟରଭ୍ୟୁ । ସଫଳତା ହାସଲ କରିବା ଲାଗି ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ରହୁଥିବା ସ୍ୱଚ୍ଛଳ ପରିବାରର ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ସୁଯୋଗ ରହିଥାଏ । ଅଧିକାଂଶ କ୍ଷେତ୍ରରେ ଗ୍ରାମାଂଚଳରେ ରହୁଥିବା ଗରିବ ତଥା ମେଧାବୀ ଛାତ୍ରଛାତ୍ରୀମାନେ ଆର୍ଥିକ ଅନାଟନ ଯୋଗୁଁ ନିଜ ସ୍ୱପ୍ନ ସାକାର କରିବାରେ ବିଫଳ ହୋଇଥାନ୍ତି । ଖାସ ଗରିବ ମେଧାବୀ ପିଲାମାନଙ୍କ ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛନ୍ତି ସ୍ୱାଗତଯୋଗ୍ୟ ପଦକ୍ଷେପ ।
ଜିଲ୍ଲାର ୬ଟି ଖଣି ପ୍ରଭାବିତ ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି ସୁନ୍ଦରଗଡ ପ୍ରଶାସନ । ସର୍ବଭାରତୀୟ ସ୍ତରରେ ଜେଇଇ, ଆଇଆଇଟି, ନିଟ୍, ନାଟା ଓ କ୍ଲାଟ୍ ଭଳି ପ୍ରବେଶିକା ପରୀକ୍ଷାରେ ସଫଳ ହେବା ଲାଗି ସେମାନଙ୍କୁ ମାଗଣାରେ କୋଚିଂ ଦେବା ପାଇଁ ବ୍ୟବସ୍ଥା ହୋଇଛି । ଏହି ଧାରାରେ ସାମିଲ ହୋଇ ଗାଁ ଗହଳିରେ ରହୁଥିବା ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀମାନେ ଡାକ୍ତରୀ, ଇଂଜିନିଅରିଂ, ଆର୍କିଟେକ୍ଚର ଓ ଆଇନ୍ ପାଠ୍ୟକ୍ରମରେ ନିଜକୁ ସାମିଲ କରାଇପାରିବେ ।
“ମୁଁ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲି । ପରିବାର କହିଲେ ଆମେ ଚାରି ଭାଇଭଉଣୀ । ହେଲେ ବାପାଙ୍କ ମୃତ୍ୟୁ ପରେ ଘରେ ଆର୍ଥିକ ଅଭାବ ଦେଖାଦେଇଥିଲା । ମା’ଙ୍କ ପକ୍ଷେ ପରିବାରର ପେଟ ପାଟଣା କରିବା କଷ୍ଟକର ହୋଇପଡିଥିଲା । ଏଭଳି ସ୍ଥିତିରେ ମନେମନେ ମୁଁ ମୋ ସ୍ୱପ୍ନକୁ ମାରିଦେଇଥିଲି । ହେଲେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ମାଗଣା କୋଚିଂ ପଦକ୍ଷେପ ମୋ ଭିତରେ ପୁନର୍ବାର ଆଶା ସଂଚାର କରିଛି” ଏ ହେଉଛି ସୁନ୍ଦରଗଡର ଖଣି ପ୍ରଭାବିତ କୁତ୍ରା ବ୍ଲକ ଅଂଚଳର ଛାତ୍ର ବିଶ୍ୱଜିତ କୁଜୁରଙ୍କ କାହାଣୀ । ସୁନ୍ଦରଗଡ ସମେତ ରାଉରକେଲା ଓ ରାଜଗାଙ୍ଗପୁରରେ ମଧ୍ୟ ସ୍ୱତନ୍ତ୍ର କୋଚି ସେଣ୍ଟର ଖୋଲାଯାଇଛି । ବିଶ୍ୱଜିତ ସୁନ୍ଦରଗଡରେ କୋଚିଂ ନେଉଥିବାବେଳେ ନିଟ ପ୍ରବେଶିକା ପରୀକ୍ଷାରେ ଭଲ ମାର୍କ ରଖିବା ସହ ମେଡିକାଲ କଲେଜରେ ପଢି ଡାକ୍ତର ହେବାକୁ ଦୃଢମନା ଅଛନ୍ତି ।
ରାଜଗାଙ୍ଗପୁର ବଗିଚାପଡା ଅଞ୍ଚଳର ଆଦିବାସୀ ଘରର ଛାତ୍ରୀ କାପୁରା ବାସ୍କେଙ୍କ କାହାଣୀ ମଧ୍ୟ ପ୍ରାୟ ସେହିଭଳି। ନିଜର ପରିବାର ଓ ସ୍ୱପ୍ନକୁ ବର୍ଣ୍ଣନା କରି ସେ କହନ୍ତି, “ମୁଁ ଏବେ +୨ ବିଜ୍ଞାନର ପ୍ରଥମ ବର୍ଷରେ ପାଠ ପଢ଼ୁଛି। ଭବିଷ୍ୟତରେ ଡାକ୍ତର ହେବାକୁ ଇଚ୍ଛା ରଖିଛି। ମୋର ବାପା ନାହାନ୍ତି। ମାଆ ଘରଘର ଯାଇ କାମ କରନ୍ତି। ଆମେ ତିନି ଭାଇ ଭଉଣୀ । ମାଆ ଯାହା ରୋଜଗାର କରନ୍ତି ସେଥିରେ ଆମ ଘର ଚଳେ। ଡାକ୍ତରୀ ଶିକ୍ଷାରେ ନାଁ ଲେଖାଇବା ପାଇଁ ନିଟ୍ ପ୍ରବେଶିକା ପରୀକ୍ଷାରେ ଭଲ କରିବାକୁ ପଡ଼ିବ। ମୁଁ ଟଙ୍କା ଖର୍ଚ୍ଚ କରି ପ୍ରାଇଭେଟ କୋଚିଂ ନେଇପାରିନଥାନ୍ତି । ତେଣୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ମାଗଣା କୋଚିଂ କାର୍ଯ୍ୟକ୍ରମ ମୋ ପାଇଁ ଏକ ବଡ଼ ସୁଯୋଗ ଆଣିଦେଇଛି ।
ଦଶମ ବା ଯୁକ୍ତଦୁଇ ପାସ୍ କରିଥିବା କିମ୍ବା ଯୁକ୍ତଦୁଇ ପଢୁଥିବା ଛାତ୍ରଛାତ୍ରୀଙ୍କର ମାର୍କ ଆଧାରରେ ଏହି କୋଚିଂ କେନ୍ଦ୍ରରେ ନାମଲେଖା ପାଇଁ ସୁଯୋଗ ଦିଆଯାଉଛି। ଅଭିଜ୍ଞ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ କୋଚିଂ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ଉପକରଣ, ୟୁନିଫର୍ମ ଯୋଗାଇ ଦିଆଯିବା ସହ ଇଣ୍ଟରନେଟ୍ ସୁବିଧା ଦିଆଯାଇଛି । ହଷ୍ଟେଲ ବ୍ୟବସ୍ଥା ସହ ସେମାନଙ୍କ ପାଇଁ ମାଗଣାରେ ଖାଇବା ସୁବିଧା ବି କରାଯାଇଛି ।
ସରକାରୀ ସ୍କୁଲରେ ପାଠ ପଢ଼ିଥିବା ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ, ଇଞ୍ଜିନିୟରିଂ ଭଳି ବୈଷୟିକ ଶିକ୍ଷାରେ ସୁଯୋଗ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ସେହି ଧାରାରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ତରରେ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ପାଇଁ ଏହି କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହାଦ୍ୱାରା ଜିଲ୍ଲାର ଗରିବ, ଆଦିବାସୀ ତଥା ସାଧାରଣ ଘରର ପିଲାମାନେ ଜାତୀୟସ୍ତରରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିପାରିବେ ବୋଲି ପ୍ରକାଶ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦକ୍ଷତା କାର୍ଯ୍ୟକ୍ରମ ଅଧୀନରେ ଏହି କୋଚିଂ ଲାଗି ଆର୍ଥିକ ସହାୟତା ଯୋଗାଇ ଦେଉଛି। ସର୍ବଭାରତୀୟ ସ୍ତରରେ ଏଭଳି ବୈଷୟିକ ଓ ପେସାଦାର କୋଚିଂ ପାଇଁ ରାଜସ୍ଥାନର କୋଟା ସହର ବିଶେଷ ନାଁ କରିଛି । ତେଣୁ କୋଟାର ଦୁଇଟି କୋଚିଂ ଅନୁଷ୍ଠାନ ମୋସନ ଓ କ୍ୟାରିୟର ପଏଣ୍ଟକୁ ଜିଲ୍ଲାରେ ଏହି କାର୍ୟ୍ୟକ୍ରମର ପରିଚାଳନା ଦାୟିତ୍ୱ ଦିଆଯାଇଛି ।
ଏଭଳି ଆଧୁନିକ କୋଚିଂ ମିଳିବା ଫଳରେ ଜିଲ୍ଲାର ଖଣି ପ୍ରଭାବିତ କୋଇଡ଼ା, କୁତ୍ରା, କୁଆରମୁଣ୍ଡା, ଲହୁଣୀପଡ଼ା, ରାଜଗାଙ୍ଗପୁର ଏବଂ ହେମଗିର ଭଳି ୬ଟି ବ୍ଲକର ମେଧାବୀ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ । ଜିଲ୍ଲାରେ ଚାଲିଥିବା ୩ଟି କେନ୍ଦ୍ରରେ ପ୍ରଥମ ବ୍ୟାଚରେ ୪୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତି ବ୍ୟାଚକୁ ବର୍ଷେ ଯାଏଁ କୋଚିଂ ଦିଆଯିବ । ପ୍ରତି ସପ୍ତାହରେ ପିଲାଙ୍କର ଟେଷ୍ଟ କରାଯିବ । ଦକ୍ଷ ଶିକ୍ଷକ ଓ ଉପଯୁକ୍ତ କୋଚିଂ ପାଇବା ଫଳରେ ସେମାନେ ନିଜ ଦକ୍ଷତାର ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ ।
ପୂର୍ବରୁ ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସୁଦକ୍ଷ କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦିଆଯାଉଛି । ସେମାନେ ବ୍ୟାଙ୍କିଙ୍ଗ୍, ବୀମା, ସାମରିକ ବାହିନୀ, ପୋଲିସ, ଷ୍ଟାଫ୍ ସିଲେକ୍ସନ ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ଏହା ବିଶେଷ ସହାୟକ ହୋଇପାରୁଛି । ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼, ରାଉରକେଲା ଓ ବଣାଇଁଠାରେ ୩ଟି କୋଚିଂ କେନ୍ଦ୍ର ରହିଛି।
Comments are closed.