Latest Odisha News

BREAKING NEWS

ସ୍କୁଲ୍‌ କାନ୍ଥରେ ଲେଖା ହେବ ମଧ୍ୟାହ୍ନଭୋଜନ ତଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର: ସମସ୍ତ ସ୍କୁଲ୍‌ କାନ୍ଥରେ ରହିବ ମଧ୍ୟାହ୍ନ ଭୋଜନ ତଥ୍ୟ । ଏଥିସହ ଉଲ୍ଲେଖ ହେବ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାର ଫୋନ୍‌ ନମ୍ବର । ଶିକ୍ଷାର୍ଥୀଙ୍କ ପାଇଁ ଲେଖାହେବ ପାଞ୍ଚ ନିୟମ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍‌ ପ୍ରଧାନ ଶିକ୍ଷକଙ୍କୁ ଚିଠି କରାଯାଇଛି । ଏହାଫଳରେ ଶିକ୍ଷାର୍ଥୀମାନେ ନିଜ ଅଧିକାର ବିଷୟରେ ଜାଣିପାରିବେ ।

ସରକାର ପ୍ରଦାନ କରୁଥିବା ସମସ୍ତ ଯୋଜନାକୁ କାନ୍ଥରେ ଉଲ୍ଲେଖ କରିବେ ସ୍କୁଲ୍‌ କର୍ତ୍ତୃପକ୍ଷ । ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ସମସ୍ତ ତଥ୍ୟକୁ ଉଲ୍ଲେଖ କରାଯିବ । କେଉଁ ଦିନ କେଉଁ ଖାଦ୍ୟ ପିଲାଙ୍କୁ ଦିଆଯାଉଛି ତାର ଏକ ସାପ୍ତାହିକ ଚାର୍ଟ ସ୍କୁଲ୍‌ କାନ୍ଥରେ ରହିବ । ଏହା ଦ୍ୱାରା ପିଲାମାନେ ଜାଣିପାରିବେ ତାଙ୍କୁ କେଉଁ ବାର କଣ ଖାଇବାକୁ ମିଳିବ । ଏଥିସହ ଏହି ଖାଦ୍ୟରୁ କେତେ ପରିମାଣର କ୍ୟାଲେରୀ ଗ୍ରହଣ କରିବେ ପିଲା ତାକୁ ମଧ୍ୟ ଉଲ୍ଲେଖ କରାଯିବ । ପ୍ରୋଟିନ୍‌ ମାତ୍ରା କେତେ ରହିବ ତାକୁ ମଧ୍ୟ ଲେଖାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଏକ ତାଲିକା ସୋମବାରରୁ ଶନିବାର ପର୍ଯ୍ୟନ୍ତ ଲେଖାଯିବ।

ଏଥିରେ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ କ୍ୟାଲୋରୀ ଓ ପ୍ରୋଟିନ୍‌ର ପରିମାଣକୁ ମଧ୍ୟ ଲେଖାଯିବ । ସପ୍ତାହକୁ ଜଣେ ପ୍ରାଥମିକ ପିଲା ପିଛା ୪୯୩.୬ (୪୫୦ ଗ୍ରାମ) କ୍ୟାଲୋରୀ ଏବଂ ୧୩.୮ (୧୨ ଗ୍ରାମ)ର ପ୍ରୋଟିନ୍‌ ଗ୍ରହଣ କରିବେ । ସେହିପରି ଜଣେ ଉଚ୍ଚ ପ୍ରାଥମିକ ସ୍କୁଲ୍‌ ପିଲା ସପ୍ତାହକୁ ୭୨୮.୬୭ (୭୦୦ ଗ୍ରାମ)ର କ୍ୟାଲେରୀ ଏବଂ ୨୦.୫ (୨୦ ଗ୍ରାମ)ର ପ୍ରୋଟିନ୍‌ ଗ୍ରହଣ କରିବେ ।
ସ୍କୁଲ୍‌ କାନ୍ଥରେ ସ୍କୁଲ୍‌ ଷ୍ଟୁଡେଣ୍ଟ ହେଲ୍‌ପ ଲାଇନ୍‌ ନମ୍ବର ୧୮୦୦୩୪୫୬୭୨୨କୁ ଲେଖାଯିବ । ନିକଟସ୍ଥ ଡାକ୍ତରଖାନା ନମ୍ବର, ଆମ୍ବୁଲାନ୍ସ ନମ୍ବର, ଦମକଳ କେନ୍ଦ୍ର ନମ୍ବର, ପୋଲିସ ଷ୍ଟେସନ୍‌ ନମ୍ବର, ନିକସ୍ଥ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ଏ କିମ୍ବା ପିଡବ୍ଲ୍ୟୁଡି ନମ୍ବରକୁ ଉଲ୍ଲେଖ କରାଯିବ । ପଞ୍ଚ ନିୟମରେ ଲେଖାଯିବ, ନିରାପଦ, ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ପରିବେଶ । ନିରାପଦା, ପୁଷ୍ଟିକର ଭୋଜନ ରନ୍ଧନ ଓ ପରିବେଷଣ । ଖାଇବା ପୂର୍ବରୁ ଏବଂ ପରେ ହାତ ଧୋଇବା । ଲିଙ୍ଗଗତ, ସାମାଜିକ ବାଛ ବିଚାର ଦୂରୀକରଣ ଏବଂ ନିରାପଦା ପାନୀୟ ଜଳର ବ୍ୟବସ୍ଥାକୁ ପଞ୍ଚ ନିୟମରେ ଉଲ୍ଲେଖ କରାଯିବ ।

Leave A Reply

Your email address will not be published.