ନୂଆଦିଲ୍ଲୀ: ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ “ସେଟ୍ଟେବେଲୋ”ରେ ଥିବା ୨୪ ଜଣ ଭାରତୀୟଙ୍କ ମଧ୍ୟରୁ ୩ ଭାରତୀୟ ନିଖୋଜ ଅଛନ୍ତି। ଓମାନ ଉପକୂଳରେ ଜାହାଜ ଉପରେ ଆକ୍ରମଣ ହୋଇଛି। ୨୧ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଏବେ ବି ୩ ଜଣଙ୍କ ମିଳୁନି ପତ୍ତା। ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜୋରଦାର ଚାଲିଛି। ଆକ୍ରମଣକୁ ଭାରତ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, “ଆମେ ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ “ସେଟ୍ଟେବେଲୋ” ଉପରେ ଆକ୍ରମଣକୁ ନିନ୍ଦା କରୁଛୁ। ଏଥିରେ ଥିବା ୨୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ତିନି ଜଣ ନିଖୋଜ ଥିବା ରିପୋର୍ଟ କରାଯାଇଛି।”
MEA କହିଛି ଯେ ଓମାନରେ ଥିବା ଆମର ଦୂତାବାସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଚାଲୁଥିବା ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଓମାନି କର୍ତ୍ତୃପକ୍ଷଙ୍କ ସହ ସକ୍ରିୟ ଭାବରେ ସମନ୍ୱୟ କରୁଛି। ଓମାନ ଉପକୂଳରେ ଭାରତୀୟ କ୍ରୁ ସହିତ ଏକ ଜାହାଜ ଉପରେ ଆକ୍ରମଣ ପରେ ଭାରତ ଦିଲ୍ଲୀରେ ଥିବା ଆମେରିକୀୟ କୂଟନୀତିଜ୍ଞଙ୍କୁ ସମନ କରିଛି।
ଘଟଣାକୁ ଉଲ୍ଲେଖ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ଅଞ୍ଚଳରେ ଜାହାଜ ଉପରେ ନିରନ୍ତର ଆକ୍ରମଣ ଗଭୀର ଚିନ୍ତାଜନକ ଏବଂ ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷର ଏକ ସିଧାସଳଖ ପରିଣାମ। ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଏକ କୂଟନୈତିକ ସମାଧାନ ପାଇଁ ତୁରନ୍ତ ଉତ୍ତେଜନା ହ୍ରାସ ଏବଂ ଚାଲିଥିବା ଆଲୋଚନା ସମାପ୍ତ କରିବା ପାଇଁ ଆମେ ଆମର ଆହ୍ୱାନକୁ ଦୋହରାଉଛୁ। ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଏବଂ ସାର୍ବଜନୀନ ଭିତ୍ତିଭୂମିକୁ ଟାର୍ଗେଟ କରିବା ବନ୍ଦ ହେବା ଉଚିତ, ଏବଂ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ, ଏହି ଅଞ୍ଚଳର ଆନ୍ତର୍ଜାତୀୟ ଜଳପଥ ଦେଇ ଜାହାଜ ଏବଂ ବାଣିଜ୍ୟର ଗତିବିଧି ବିନା ବାଧାପ୍ରାପ୍ତ ଯଥାଶୀଘ୍ର ପୁନଃସ୍ଥାପିତ ହେବା ଉଚିତ।