Latest Odisha News

Charu Pandey: ଚାରୁଙ୍କ କମାଲ୍, ଏକାସାଙ୍ଗରେ ପାଇଲେ ୧୯ ସରକାରୀ ଚାକିରୀ…

ରାୟପୁର: ୨୩ ବର୍ଷରେ ପାଇଲେ ୧୯ ଚାକିରୀ

SSC, ବ୍ୟାଙ୍କିଂ, ପୋଲିସ୍ ପରୀକ୍ଷା…

ସବୁଥିରେ ଉତ୍ତୀର୍ଣ୍ଣ ହେଲେ ଚାରୁ…

ଏବେ ରାଷ୍ଟ୍ରପତିଙ୍କ ଠାରୁ ପାଇବେ ସମ୍ମାନ

ସଫଳତା କେବେ ବି ସହଜରେ ମିଳେ ନାହିଁ। ଏହା ପଛରେ ଥାଏ ଅନେକ ତ୍ୟାଗ, ଅନେକ ବିଫଳତା ଏବଂ ଅଦମ୍ୟ ପରିଶ୍ରମ। ଏହି କଥାକୁ ପୁଣିଥରେ ସତ ପ୍ରମାଣ କରି ଦେଖାଇଛନ୍ତି ଛତିଶଗଡ଼ର ଝିଅ ଚାରୁ ପାଣ୍ଡେ। ମାତ୍ର ୨୩ ବର୍ଷ ବୟସରେ ଚାରୁ ଏମିତି ଏକ କୀର୍ତ୍ତି ସ୍ଥାପନ କରିଛନ୍ତି, ଯାହା ଲକ୍ଷ ଲକ୍ଷ ସରକାରୀ ଚାକିରି ପ୍ରାର୍ଥୀଙ୍କ ପାଇଁ ଏକ ସ୍ୱପ୍ନ ସମାନ। ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପରୀକ୍ଷା, SSC, ବ୍ୟାଙ୍କିଂ, ରେଳବାଇ ଏବଂ ପୋଲିସ ବିଭାଗ ସମେତ ମୋଟ ୧୯ଟି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।

ଚାରୁ SSC CGL, SSC CHSL, SSC MTS, SSC GD, ଏବଂ SSC CPO ଭଳି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ସେ IBPS PO, IBPS Clerk, SBI PO ଏବଂ SBI Clerk ପରି ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ସହିତ, ସେ NTPC ଏବଂ ଗ୍ରୁପ D ପରୀକ୍ଷା ସମେତ ଦିଲ୍ଲୀ ପୋଲିସ, ଛତିଶଗଡ଼ ସବ-ଇନ୍ସପେକ୍ଟର ଏବଂ ପରିବହନ ସବ-ଇନ୍ସପେକ୍ଟର ଭଳି ଅନ୍ୟାନ୍ୟ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଛତିଶଗଡ଼ର ରାୟପୁର ଜିଲ୍ଲାର ଏକ ଛୋଟ ସହରରୁ ଆରମ୍ଭ ହୋଇଥିବା ଚାରୁଙ୍କ ଯାତ୍ରା ଆଜି ଦିଲ୍ଲୀରୁ ପଲ୍ଲୀ ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛି । ଯିଏ ବି ଶୁଣୁଛନ୍ତି ଚାରୁଙ୍କୁ ସାବାସୀ ନଦେଇ ରହିପାରୁନାହାନ୍ତି । ଯେଉଁ ବୟସରେ ଅନେକ ଯୁବପିଢି ନିଜର ଲକ୍ଷ୍ୟ ଖୋଜୁଥାନ୍ତି, ସେହି ବୟସରେ ଚାରୁ ନିଜ ଲକ୍ଷ୍ୟକୁ ସ୍ପଷ୍ଟ କରି ନିରନ୍ତର ପରିଶ୍ରମ କରିଥିଲେ। ଆଉ ଆଜି ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସେ ସ୍ୱର୍ଣ୍ଣ ପଦକ ପାଇ ସମ୍ମାନିତ ହେବେ।

ଚାରୁ ବର୍ତ୍ତମାନ ଚେନ୍ନାଇ ସ୍ଥିତ ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ (CAG) କାର୍ଯ୍ୟାଳୟର ସହକାରୀ ଅଡିଟ୍ ଅଫିସର ଭାବେ ଦାୟିତ୍ବ ତୁଲାଉଛନ୍ତି । ଏହି ସଫଳତା ତାଙ୍କ ପାଇଁ ସରଳ ନଥିଲା । ଆରମ୍ଭରେ ସେ ଅନେକ ପରୀକ୍ଷାରେ ଅସଫଳ ହୋଇଥିଲେ। ଏହାକୁ ନେଇ ଚାରୁ କୁହନ୍ତି, “ବିଫଳତା କେବେ ବି ଯାତ୍ରାର ଶେଷ ନୁହେଁ। ଏହା ଆମକୁ ଆହୁରି ଭଲ କରିବାର ଏକ ସୁଯୋଗ ଦେଇଥାଏ।” ଚାରୁ ନିଜ ସଫଳତାର ଶ୍ରେୟ, ନିୟମିତ ଅଧ୍ୟୟନ, ସଠିକ୍ ପ୍ଲାନିଂ, ମକ୍ ଟେଷ୍ଟ ଏବଂ ନିଜ ଭୁଲକୁ ନିଜେ ମୂଲ୍ୟାଙ୍କନ କରିବାକୁ ଦେଇଛନ୍ତି ।

ଚାରୁ ପାଣ୍ଡେଙ୍କ କାହାଣୀ ଆମକୁ ଶିଖାଏ ଯେ ସ୍ୱପ୍ନ କେତେ ବଡ଼ ହେଉନା କାହିଁକି, ଯଦି ଲକ୍ଷ୍ୟ ସ୍ପଷ୍ଟ ଥାଏ, ପରିଶ୍ରମ ବାସ୍ତବରେ ହୋଇଥାଏ ଏବଂ ମନରେ ଆତ୍ମବିଶ୍ୱାସ ରହିଥାଏ, ତେବେ କୌଣସି ସଫଳତା ଅସମ୍ଭବ ନୁହେଁ। ଆଉ ପରିଶ୍ରମର ବି କୌଣସି ବିକଳ୍ପ ନାହିଁ…ଯେଉଁମାନେ ହାର ମାନନ୍ତି ନାହିଁ, ସଫଳତା ଦିନେ ନା ଦିନେ ସେମାନଙ୍କ କବାଟ ଠକ୍ ଠକ୍ କରେ।

Leave A Reply

Your email address will not be published.