Latest Odisha News

BREAKING NEWS

ମନ୍ତ୍ରୀ ହେବା ପରେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କ ଇସ୍ତଫା

ବ୍ରହ୍ମପୁର: ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେ ଗତ ରବିବାର ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଭାବେ ଶପଥ ଗ୍ରହଣ କରିବା ପରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଓଡ଼ିଶା ଜିଲା ଯୋଜନା କମିଟି ଆଇନ-୧୯୯୮ର ଧାରା ୭ ଅନୁଯାୟୀ ତାଙ୍କ ଇସ୍ତଫା ପତ୍ରକୁ ବିଭାଗକୁ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି।

ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ଗତ ୨୦୧୯ ମସିହା ଅଗଷ୍ଟ ୯ ତାରିଖରେ ଶ୍ରୀକାନ୍ତଙ୍କୁ ନିଯୁକ୍ତି ଦେଇଥିଲେ । ତାଙ୍କ ପୂର୍ବରୁ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ ପୂର୍ବତନ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ୨୦୧୬ ଜାନୁୟାରୀ ୨୫ ତାରିଖରେ ତତ୍କାଳୀନ ବିଧାୟକ ଡା. ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ।

ସୂଚନା ଯୋଗ୍ୟ ଯେ, ଜିଲା ଯୋଜନା କମିଟି ପଦବୀ ହେଉଛି ରାଷ୍ଟ୍ର ମନ୍ତ୍ରୀ ପାହ୍ୟା। ବର୍ତ୍ତମାନ ଶ୍ରୀକାନ୍ତଙ୍କ ଇସ୍ତଫା ପରେ ରାଜ୍ୟ ସରକାର କାହାକୁ ଏହି ପଦବୀରେ ଥଇଥାନ କରିବେ, ତାହାକୁ ନେଇ ଜିଲାରେ ଚର୍ଚ୍ଚା ଲାଗି ରହିଛି । ଜିଲାରେ ମୋଟ ୧୩ଟି ବିଧାନସଭା ଆସନ ରହିଛି । ଗତ ନିର୍ବାଚନରେ ସାନଖେମୁଣ୍ଡି ବିଧାନସଭା ଆସନରୁ କଂଗ୍ରେସର ରମେଶ ଚନ୍ଦ୍ର ଜେନା ବିଜୟୀ ହୋଇଥିଲେ ।

ବିଜେଡ଼ି ପାଖରେ ଯେଉଁ ୧୨ଟି ଆସନ ରହିଛି, ସେଥିରୁ ହିଂଜିଳି ବିଧାୟକ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଚିକିଟି ବିଧାୟିକା ଉଷା ଦେବୀ ମନ୍ତ୍ରୀ ଅଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ପୂର୍ବରୁ ବିଜେଡ଼ିରୁ ବିତାଡ଼ିତ ହୋଇଛନ୍ତି । ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଦୌଡ଼ରେ ଥିବା ବେଳେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥତା ଯୋଗୁ ସଦ୍ୟ ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି।

ଆଉ ୬ଜଣ ବିଧାୟକ ହେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଏମାନଙ୍କୁ ଭିତରୁ କେହି ଜଣେ ପରବର୍ତ୍ତି ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀ ହାତେଇବା ସମ୍ଭାବନା ରହିଛି । କିନ୍ତୁ ରାଜ୍ୟର କେତେକ ଜିଲାରେ ମନ୍ତ୍ରୀମାନେ ମଧ୍ୟ ଏହି ପଦରେ ରହିଛନ୍ତି। ଏଣୁ ଖାଲି ପଡ଼ିଥିବା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦର ଚୌକିରେ କିଏ ବସିବ, ତାହା ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.