Latest Odisha News

BREAKING NEWS

ଶିଶୁ ଶ୍ରମିକ ମୁକ୍ତ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ପ୍ରଶାସନ ଜାରି କଲା ହେଲପ ଲାଇନ ନମ୍ବର

ବ୍ରହ୍ମପୁର: ଗଞ୍ଜାମ ଜିଲା ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ଗଠନ କରିବାକୁ ତତ୍ପରତା ଦେଖାଦେଇଛି । ଯଦି କେଉଁଠାରେ ଶିଶୁ ଶ୍ରମିକଙ୍କୁ କେହି ଦେଖନ୍ତି, ତେବେ ଏନେଇ ସୂଚନା ଦେବା ପାଇଁ ଜିଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି କରାଯାଇଛି । ଛତ୍ରପୁର ଶ୍ରମ ଜିଲା ପାଇଁ ୮୮୯୫୭୯୭୮୨୦ ଏବଂ ବ୍ରହ୍ମପୁର ଶ୍ରମ ଜିଲା ପାଇ: ୮୦୯୩୨୯୧୯୬୫ ଆଦି ନମ୍ବର ଜାରି କରାଯାଇଛି । ଅପରପକ୍ଷେ ଗୁରୁବାର ଆଭାସି ବୈଠକରେ ଏନେଇ ରୂପରେଖ ପ୍ରସ୍ତୁତ କରାଯାଇଛି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ।

କରୋନାର ଭୟାବହତା ପରେ ସୁରଟ ଏବଂ ରାଜ୍ୟ ବାହାରୁ ଅନେକ ନିଜ ପରିବାର ସମେତ ଗଞ୍ଜାମ ଜିଲାକୁ ସବୁଦିନ ପାଇଁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେମାନଙ୍କ ପରିବାର ମଧ୍ୟରେ ଅନେକ ପିଲା ଅଛନ୍ତି, ଯେଉଁମାନେ ଶିକ୍ଷା ବଦଳରେ କାମକୁ ଆଦରି ନେଇଛନ୍ତି । ବିଶେଷ କରି ଇଟାଭାଟି, କାଜୁ ଫ୍ୟାକ୍ଟ୍ରି, ହୋଟେଲ, ଠେଲାଗାଡି ଇତ୍ୟାଦିରେ ଶିଶୁଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଗଞ୍ଜାମ ଜିଲାରେ ଚଳିତ ଜୁନ୍ ୩ ଏବଂ ୪ ତାରିଖରେ ଜିଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥ ଜିଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜନସାଧାରଣଙ୍କ ମଧ୍ୟରେ ଶିଶୁ ଶ୍ରମିକ ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରିଥିଲା। ଶିଶୁ ଶ୍ରମିକ ମୁକ୍ତ ଜିଲା ରୂପେ ଯେଭଳି ଗଞ୍ଜାମ ଜିଲା ସୁନାମ ଅର୍ଜନ କରିବ, ସେଥି ନିମନ୍ତେ ସମସ୍ତ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବାକୁ ଜିଲାପାଳ କୁଲାଙ୍ଗେ ଗୁରୁତ୍ବାରୋପ କରିଥିଲେ ।

ଅଧାରୁ ପାଠ ଛାଡି ଯାଉଥିବା ପିଲା ମାନଙ୍କୁ ଚିହ୍ନଟ କରି ସେମାନେ କିଭଳି ଶିକ୍ଷା ବ୍ୟବସ୍ଥାରେ ଜଡିତ ହୋଇ ସ୍ବାବଲମ୍ବୀ ହେବେ ସେ ଦିଗରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ବ୍ଲକ୍ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳ ସ୍ତରରେ ପୌର ପ୍ରଶାସନ ଏବଂ ଡୁଡାର ପ୍ରକଳ୍ପ ଅଧିକାରୀ ଦାୟିତ୍ବ ନେବେ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ଜରିଆରେ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୁନଃ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବ। ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେବା ପାଇଁ ଜିଲାର ସମସ୍ତ ଅଞ୍ଚଳରେ ବ୍ୟାପକ ପ୍ରଚାରପ୍ରସାର କରାଯିବ।

ସେହିପରି ଶ୍ରମ ବିଭାଗ, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଚାଇଲ୍ଡ ଲାଇନ ଓ ପୋଲିସ ତରଫରୁ ଚଢାଉ କରାଯାଇ ନିଯୁକ୍ତିଦାତାଙ୍କ ନିକଟରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ପୁନଃ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ବ୍ୟବସାୟୀକ ସଂସ୍ଥାର ମାଲିକମାନେ ଶ୍ରମ ଆଇନ ଅନୁଯାଇ ନିଜ ବ୍ୟବସାୟୀକ ଅନୁଷ୍ଠାନରେ ଶିଶୁ ଶ୍ରମିକ ନିଯୁକ୍ତି ହୋଇ ନ ଥିବା ସଂପର୍କରେ ଘୋଷଣାନାମା ଦର୍ଶାଇବେ । ଏହାର ଖିଲାଫ କଲେ ବିଶେଷ କ୍ଷେତ୍ରରେ ନିଯୁକ୍ତି ଦାତାଙ୍କଠାରୁ ଜୋରିମାନା ଆଦାୟ କରାଯିବ।

ହେଲପଲାଇନ ଜରିଆରେ ଶିଶୁ ଶ୍ରମିକ ସମ୍ପର୍କରେ ଅବଗତ କରାଇଲେ ସେମାନଙ୍କର ନାମ ଗୋପନ ରଖାଯାଇ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରକାଶ କରିଛନ୍ତି । ବୈଠକରେ ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଏବଂ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲାପାଳ ନୀଳ ମାଧବ ଭୋଇ, ଜିଲା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ, ଶିଶୁ ସୁରକ୍ଷା କମିଟିର ସଦସ୍ୟ, ଚାଇଲ୍ଡ ଲାଇନର ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଯୋଗଦେଇଥିଲେ ।

Leave A Reply

Your email address will not be published.