ଶୌଚ ହେବାକୁ ଯିବାବେଳେ ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ
ମୟୁରଭଞ୍ଜ: ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ, ଦୁଇ ଭଉଣୀ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୪ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ବଳପୂର୍ବକ ସାନ ଭଉଣୀକୁ ଉଠାଇ ନେଇଥିଲେ। ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ଚାରିଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ପରେ ଗାଁ ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ।
ସେପଟେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏନେଇ ଟାଉନ ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି। ପରିବାର ଲୋକେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରୁଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ଏବେ ବି ଚାରି ଦୁର୍ବୃତ୍ତ ଫେରାର ଅଛନ୍ତି।
