Latest Odisha News

BREAKING NEWS

ମଣିପୁର ନିଆଁ, ‘ସମ୍ମାନ ଦିଅ ନ ହେଲେ ସମ୍ମାନ ଫେରାଇ ଦେବୁ’

ଇମ୍ଫାଲ: ପାଖାପାଖି ମାସେ ହେଲା ମେ ୩ରୁ ମଣିପୁର ଅଶାନ୍ତ ହୋଇ ପଡ଼ିଛି । ଏବେ ସୁଦ୍ଧା ହିଂସାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥିତି କେବେ ହେବ ସ୍ୱାଭାବିକ ? ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ଅଲମ୍ପିକ ପଦକ ବିଜେତା ମୀରାବାଇ ଚାନୁଙ୍କ ସହ ୧୧ କ୍ରୀଡ଼ାବିତ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟରେ ଖୁବଶୀଘ୍ର ଶାନ୍ତି ଫେରାଇ ଆଣିବା ଲାଗି ଖେଳାଳି ଅନୁରୋଧ କରିବା ସହ ସ୍ଥିତି ସ୍ୱାଭାବିକ ନ ହେଲେ ପାଇଥିବା ପୁରସ୍କାର ଓ ମେଡାଲ ଫେରାଇ ଦେବେ ବୋଲି କହିଛନ୍ତି । ମୀରାବାଇ ଚାନୁଙ୍କ ସହ ପଦ୍ମ ପୁରସ୍କାର ବିଜେତା ଭୋରତ୍ତୋଳକାରୀ କୁଞ୍ଜାରାନୀ ଦେବୀ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟକ ବେମ୍ ବେମ୍ ଦେବୀ ଓ ମୁଷ୍ଟିଯୋଦ୍ଧା ଏଲ୍ ସରିତା ଦେବୀ ଚିଠିରେ ହସ୍ତାକ୍ଷର କରିଛନ୍ତି ।

ଅନ୍ୟପଟେ ଅଶାନ୍ତ ମଣିପୁରକୁ ନେଇ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନିଲ୍ ଚୌହାନ ପୁନେରେ କହିଛନ୍ତି, ସ୍ଥିତି ସାମାନ୍ୟ ହେବା ପାଇଁ କିଛି ସମୟ ଦରକାର । ସେ କହିଛନ୍ତି, ରାଜ୍ୟରେ ଦୁଇ ବର୍ଗ ମଧ୍ୟରେ ସଂଘର୍ଷର ପରିଣାମ ହେଉଛି ହିଂସା । ଅଶାନ୍ତ ମଣିପୁର ସହ ଉଗ୍ରବାଦୀଙ୍କ କୌଣସି ସମ୍ପର୍କ ନାହିଁ । ଏହା ଆଇନ୍ କାନୁନ୍ କଥା, ଆମେ ରାଜ୍ଯ ସରକାରଙ୍କୁ ସାହାଯ୍ୟ କରୁଛୁ ।

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରର ରାଜଧାନୀ ଇମ୍ଫାଲରେ ପହଞ୍ଚିଥିଲେ । ଶାହ ଜୁନ୍ ୧ ଯାଏ ମଣିପୁରରେ ରହିବେ । ସୋମବାର ବିଳମ୍ବିତ ରାତିରେ ଅମିତ ଶାହ, ମଣିପୁର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସ୍ଥିତି ନେଇ ଆଲୋଚନା କରିଛନ୍ତି ।

ହିଂସାରେ ମୃତ୍ୟୁବରଣ କରିଥିବା ପରିବାର ପରିଜନଙ୍କୁ ୧୦ ଲକ୍ଷ ଲେଖାଏ ସହାୟତା ସହ ଜଣଙ୍କୁ ଚାକିରି ଲାଗି ଅମିତ ଶାହ ଘୋଷଣା କରିଛନ୍ତି । ତମାମ୍ ଘୋଷଣା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣକୁ ଆସୁ ନଥିବା ବେଳେ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟି ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଟିମ୍ ଗଠନ ଲାଗି ଦାବି କରିଛି ।

ଅମିତ ଶାହଙ୍କ ଗସ୍ତର ଦିନକ ପୂର୍ବରୁ ରବିବାର ଇମ୍ଫାଲ ନିକଟସ୍ଥ ସୁଗନୁରେ ହିଂସା ସୃଷ୍ଟି ହୋଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମୀଙ୍କ ସହ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ ।

ମଣିପୁରର କୁକି ଜନଜାତିର ଲୋକ ମୈତେଇ ସମୁଦାୟକୁ ଆଦିବାସୀ ମାନ୍ୟତା ଦାବି କରି ମେ ୩ରୁ ବିରୋଧ ପ୍ରଦର୍ଶନ କରିବା ପରେ ସ୍ଥିତି ଅଶାନ୍ତ ହୋଇ ପଡ଼ିଥିଲା । ଫଳରେ କେନ୍ଦ୍ର ସରକାର ମଣିପୁରରେ ସେନା ମୁତୟନ କରିଥିଲେ । ଅନେକ ଜିଲ୍ଲାରେ କର୍ଫ୍ୟୁ ଲଗାଇବା ସହ ମେ ୩୧ ଯାଏ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।

Comments are closed.