Latest Odisha News

BREAKING NEWS

ଫସାଇଲା ଗୁଗୁଲ୍ ମ୍ୟାପ୍; ଭୁଲ୍ ତଥ୍ଯ ଯୋଗୁ ନାଗାଲାଣ୍ଡରେ ପଶିଲା ଆସାମ ପୋଲିସ

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପର ଭୁଲ ତଥ୍ଯ ଯୋଗୁଁ ଆସାମ ପୋଲିସ ନାଗାଲାଣ୍ଡରେ ପହଞ୍ଚି ଯାଇଛି। ସେଠାରେ ହଟହଟା ହେବାରୁ ସହାୟତା ପାଇଁ ପୋଲିସ ଟିମ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଏନେଇ ଆସାମ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା।

ଆସାମର ଜୋରହାଟ ଜିଲ୍ଲାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢଉ କରିଥାନ୍ତେ। ଏହି ଦଳରେ ମୋଟ ୧୬ ଜଣ ପୋଲିସ କର୍ମଚାରୀ ଥିଲା ବେଳେ ସେମାନଙ୍କ ମଧ୍ଯରୁ ୩ ଜଣ ୟୁନିଫର୍ମ ପିନ୍ଧିଥିଲେ। ବାକି ଅନ୍ୟମାନେ ସାଧା ଡ୍ରେସରେ ଥିଲେ। ତେବେ ରାତିରେ ପୋଲିସ ଗୁଗୁଲ୍ ମ୍ୟାପ୍ କୁ ଅନୁସରଣ କରି ଆସାମର ସୀମା ପାର ହୋଇ କେତେବେଳେ ନାଗାଲାଣ୍ଡ ସୀମାରେ ପ୍ରବେଶ କରିଗଲେ ତାହା ମଧ୍ଯ ଜାଣିପାରିନଥିଲେ। ଗୁଗୁଲ୍ ମ୍ୟାପ  ଏକ ଚା ବଗିଚାକୁ ଆସାମର ସୀମା ଭାବରେ ଦର୍ଶାଇଥିଲା କିନ୍ତୁ ବାସ୍ତବରେ ତାହା ନାଗାଲାଣ୍ଡରେ ରହିଥିଲା।

ରାତିର ଅନ୍ଧାକାରରେ ଯେତେବେଳେ ପୋଲିସ ଟିମ୍ ନାଗାଲାଣ୍ଡରେ ପହଞ୍ଚିଲେ ସେତେବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖି ଅପରାଧୀ ଭାବି ନେଇଥିଲେ। ଏପରିକି ସେମାନଙ୍କୁ ବନ୍ଧକ ବନାଇବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଯାଇଥିଲେ।

ଯାହାପରେ ପୋଲିସକର୍ମୀମାନେ ନାଗାଲାଣ୍ଡର ପୋଲିସ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ। ଖବର ପାଇ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଏକ ପୋଲିସ ଟିମ୍ ପଠାଇ ଲୋକଙ୍କୁ ବୁଝାସୁଝା କରିଥିଲେ ଓ ତାପରେ ଯାଇ ସେମାନେ ଆସାମ ପୋଲିସକୁ ଛାଡିଥିଲେ। ତେବେ ପରେ ଆହତ ପୋଲିସକର୍ମୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା।

Comments are closed.