Latest Odisha News

BREAKING NEWS

୨୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି

ଯାଜପୁର: ଦୀର୍ଘ ୨୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି । ପରିବାର ପ୍ରତିପୋଷଣ ପାଇଁ ବ୍ୟକ୍ତି ଜଣକ ବାହାରକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ସେ ଯେ ଦିନେ ଘରକୁ ଫେରି ଏ ଆଶା ହରାଇ ସାରିଥିଲେ ପରିବାର ଲୋକେ । ହେଲେ ଏବେ ସେ ଘରକୁ ଫେରିବା ପରେ ପରିବାରରେ ଖେଳିଛି ଖୁସିର ଲହରୀ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ତୋଟାସାହି ଗ୍ରାମରେ । ବ୍ୟକ୍ତି ଜଣକ ହେଲେ ସେହି ଗାଁର ବିଶ୍ୱମ୍ବର ରାଉତ । ବୟସ ୫୫ ଟପିଲାଣି । ଗାଁରେ ମୂଲମଜୁରୀ ଲାଗି ନିଜର ପରିବାର ପୋଷୁଥିଲେ ସେ । ହଠାତ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବଡଭାଇ ତାଙ୍କୁ କଟକ ନେଇ ଅସ୍ତ୍ରୋପଚାର କରାଇଥିଲେ । କିଛି ବର୍ଷ ଭାରି କାମ ନକରିବାକୁ ଡାକ୍ତର ତାଙ୍କୁ ପରମର୍ଶ ଦେଇଥିଲେ । କାମଧନ୍ଦା ଛାଡିଦେବାରୁ ସ୍ତ୍ରୀ ଓ ୪ଟି ଛୋଟ ପିଲାଙ୍କୁ ପାଳିବା ମୁସ୍କିଲ ହୋଇପଡିଥିଲା ବିଶ୍ୱମ୍ବରଙ୍କ ପକ୍ଷେ। ଆଜକୁ ୨୨ବର୍ଷ ତଳେ ପିଲାଙ୍କ ଦୁଃଖ ସହି ନପାରି ଦାଦନ ଖଟିବାକୁ ଚାଲିଯାଇଥିଲେ ସୁଦୁର ମୁମ୍ବାଇ। କିନ୍ତୁ ସେଠାରେ ସେ ନିଖୋଜ ହୋଇଯାଇଥିଲେ । ନିଖୋଜ ପରେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ବିଶ୍ୱମ୍ବରଙ୍କ ମାଆ ମଧ୍ୟ ସେଠାକୁ ଯାଇ ପୁଅକୁ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ । ଶେଷରେ ପୁଅକୁ ନପାଇ ନିରାଶ ହୋଇଥିଲେ । ଏବେ ଦୀର୍ଘ ୨୨ ବର୍ଷ ପରେ ପୁଅ ଫେରିଛି ଘରକୁ  ।

୨୨ବର୍ଷ ପରେ ପରିବାର ଲୋକଙ୍କୁ ସ୍ୱପ୍ନରେ ଦେଖି ଘରକୁ ଫେରିଆସିଛନ୍ତି ବିଶ୍ବମ୍ବର । ତାଙ୍କୁ ପାଖରେ ପାଇ ପରିବାର ଓ ପଡୋଶୀ ବେଶ୍ ଖୁସି  । ତେବେ ସେ ନିଖୋଜ ହେବା ପର ଠୁଁ ତାଙ୍କ ପତ୍ନୀ ଓ ପିଲାଛୁଆ ବଡଭାଇଙ୍କ ପାଖରେ ରହିଆସୁଥିଲେ । ଏହା ଭିତରେ ବିଶ୍ବମ୍ବରଙ୍କ ଝିଅ ବାହାଘର ମଧ୍ୟ ସରିଯାଇଛି । ତେବେ ଏବେ ସେ ଘରକୁ ଫେରିଆସି ନିଜ ପରିବାର ସହିତ ବେଶ ଖୁସିରେ ରହୁଥିବା ବେଳେ ପରିବାର ଲୋକେ ମଧ୍ୟ ଖୁସି ଜାହିର କରିଛନ୍ତି । ଦୀର୍ଘ ବର୍ଷ ପରେ ବିଶ୍ୱମ୍ବର ଘରକୁ ଫେରି ଥିବାରୁ ସମସ୍ତେ ଏବେ ବେଶ୍ ଖୁସି ।

Leave A Reply

Your email address will not be published.