Latest Odisha News

BREAKING NEWS

ସମ୍ବଲପୁରରେ ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର; ସ୍ୱାମୀ ଗିରଫ

ସମ୍ବଲପୁର: ନିଖୋଜ ହେବାର ଦୀର୍ଘ ୧୭ ଦିନ ପରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଆମ୍ବୁରି ଗ୍ରାମରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜିଲ୍ଲା ମାଜିଷ୍ଟେ୍ରଟଙ୍କ ସମ୍ମୁଖରେ ଫୋରେନସିକ ଟିମର ବିଶେଷଜ୍ଞମାନେ ଶବଟି ନିଖୋଜ ମହିଳାଙ୍କର ବୋଲି ପ୍ରକାଶ କରିଛନ୍ତି ।

ମୃତଦେହଟି ଆରତୀ ଦେବୀ (୧୯) ଙ୍କର ବୋଲି ଜଣାପଡ଼ିଛି ।

ଇତିମଧ୍ୟରେ, ଏହି ଘଟଣାରେ ସମ୍ପୃକ୍ତ ଥିବା ମହିଳାଙ୍କ ସ୍ୱାମୀ କୁନାଲ୍ ସିଂହ ଯାଦବଙ୍କୁ ଧନୁପାଲି ପୋଲିସ ଗିରଫ କରିଛି । ତଦନ୍ତ ସମୟରେ ପୋଲିସକୁ ସେ ସମସ୍ତ ସତ୍ୟାସତ୍ୟ ପ୍ରକାଶ କରିବା ସହିତ ଘଟଣାସ୍ଥଳକୁ ଯାଇଥିଲେ ।

ମିଳିଥିବା ସୂଚନାନୁଯାୟୀ, ପଡେ଼ାଶୀ ବିହାର ରାଜ୍ୟର ବାସିନ୍ଦା କୁନାଲ ଯିଏକି ଅଟୋରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ ପ୍ରାୟ ଦେଢବର୍ଷ ପୂର୍ବରୁ ଆରତୀଙ୍କୁ ବିବାହ କରିଥିଲେ । ଗତ ଡିସେମ୍ବର ୩୧ ତାରିଖରୁ ବାହାଲପଡ଼ା ଗ୍ରାମରୁ ଆରତୀ ନିଖୋଜ ଥିଲେ । ଆରତୀଙ୍କ ନିଖୋଜ ହେବା ସମ୍ପର୍କରେ ଜାନୁଆରୀ ୧ ତାରିଖ ଦିନ କୁନାଲ୍ ଆରତୀଙ୍କ ବାପାଙ୍କୁ ଖବର ଜଣାଇଥିଲେ । ଏପରିକି ସେ ଧନୁପାଲି ଥାନାରେ ଆରତୀଙ୍କ ନିଖୋଜ ହେବା ନେଇ ୩ ତାରିଖରେ ଏକ ଅଭିଯୋଗ ଦାଏର କରିଥିଲେ । ପତ୍ନୀଙ୍କ ସହିତ ଝଗଡ଼ା ହେବାପରେ ସେ ନିଖୋଜ ରହିଥିବା ପୋଲିସକୁ ଜଣାଇଥିଲେ ।

ଜାନୁଆରୀ ୭ ତାରିଖ ଦିନ ଆରତୀଙ୍କ ବାପା ସମ୍ବଲପୁର ଆସିଥିଲେ । ସେ କୁନାଲଙ୍କୁ ଏସମ୍ପର୍କରେ ପଚାରିବାକୁ ଅନେକ ଥର ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ସ୍ୱିଚ୍ ଅଫ ରହିଥିଲା । ସେ ଘରକୁ ଆସି ଦେଖନ୍ତି କୁନାଲଙ୍କ ଘର ତାଲା ପଡ଼ିଛି । ସନେ୍ଦହ ଉପୁଜିବାରୁ ସେ ଆରତୀଙ୍କ ଶ୍ୱଶୁରଘର ବିରୋଧରେ ଥାନାରେ ଏତଲା ଦେଲେ । ଅଭିଯୋଗ ଅନୁଯାୟୀ ଶ୍ୱଶୁର ଘର ପକ୍ଷରୁ ଆରତୀଙ୍କୁ ନିର୍ଯାତନା ଦିଆଯାଉଥିବାର ମଧ୍ୟ ଉଲ୍ଲେଖ କରିଥିଲେ । ସେବେଠାରୁ କୁନାଲ୍ ଫେରାର ରହିଥିବାର ମଧ୍ୟ ସନେ୍ଦହକୁ ଦୃଢିଭୂତ କରିଥିଲା ।

ଲିଖିତ ଅଭିଯୋଗକୁ ଭିତ୍ତିକରି ଧନୁପାଲି ପୋଲିସ ଛାନଭିନ୍ନ ଆରମ୍ଭ କରିଥିଲେ । ଜାନୁଆରୀ ୮ ଓ ୯ ତାରିଖ ଦିନ ପୋଲିସ ଓ ଫୋରେନସିକ୍ ଟିମ୍ ଘର ଆଖପାଖରେ ଛାନଭିନ୍ନ କରିବା ବେଳେ କାନ୍ଥରେ ରକ୍ତ ଛିଟା ପଡିଥିବାର ଦେଖିଥିଲେ । ଘର ନିକଟସ୍ଥ ବଣ ଭିତରେ ଏକ ଗାତ କରି ମୃତଦେହ ପୋତି ଦିଆଯାଇଥିଲା । ପୋଲିସ ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ଲାଗି ପଠାଇଦେଇଛନ୍ତି ।

Leave A Reply

Your email address will not be published.