Latest Odisha News

BREAKING NEWS

୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା, ଘୋଷଣା କଲା କ୍ରୁଟ୍

ଭୁବନେଶ୍ଵର: ଜୁଲାଇ ୧ ରୁ ୧୩ଟି ନୂଆ ରୁଟରେ ଆରମ୍ଭ ହେବ ‘ମୋ ବସ’ ସେବା। ଏନେଇ ବିଜ୍ଞପ୍ତି ଜାରି କରିଛି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT)। କ୍ରୁଟ ‘ମୋ ବସ’ ସହରାଞ୍ଚଳରେ ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କର ଏହି କାର୍ଯ୍ୟକ୍ରମ ସହରାଞ୍ଚଳରେ ପରିବହନ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆଣିଛି। ଲୋକଙ୍କ ଆବଶ୍ୟକତା ଅନୁସାରେ ସୁଲଭ ମୂଲ୍ୟରେ ଓ ସହଜରେ ନିୟମିତ ପରିବହନ ସେବା ପ୍ରଦାନ କରିବାକୁ କ୍ରୁଟ ପ୍ରତିଶ୍ରୁତିବଦ୍ଧ।

ଯାତ୍ରୀମାନଙ୍କଠାରୁ ମିଳିଥିବା ମୂଲ୍ୟବାନ ମତାମତ ଆଧାରରେ ଏହି ରୁଟଗୁଡିକ ଚୟନ କରାଯାଇଛି। ଏହି ପଦକ୍ଷେପ ଦ୍ଵାରା ଭୁବନେଶ୍ୱର ସହରାଞ୍ଚଳ ପରିବହନ କ୍ଷେତ୍ର (BUTA), କଟକ ସହରାଞ୍ଚଳ ପରିବହନ କ୍ଷେତ୍ର (CUTA) ଏବଂ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ର (PUTA) ମଧ୍ୟରେ ପରିବହନ ସହଜ ହେବ। କ୍ରୁଟ ଏହାର ଯାତ୍ରୀମାନଙ୍କ ମତାମତକୁ ଗୁରୁତ୍ୱ ଦେବା ସହ ଜନସାଧାରଣଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ମୋ ବୋସ ସେବାକୁ କ୍ରମାଗତ ଭାବରେ ଉନ୍ନତ ଏବଂ ବିସ୍ତୃତ କରିଛି। ବ୍ୟାପକ ସର୍ବେକ୍ଷଣ ପରେ କ୍ରୁଟ ଲୋକଙ୍କ ମତାମତକୁ ଗ୍ରହଣ କରିଛି। ଏହାଦ୍ବାରା ସାଧାରଣ ପରିବହନ ଅଧିକ ସୁଗମ ହେବ।

ଏହି ନୂଆ ରୁଟ ଗୁଡିକରେ ମୋ ବସ ସେବା ଦ୍ଵାରା ରାଜଧାନୀ ଅଞ୍ଚଳର ପରିବହନ ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳିଯିବ। ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବିଶେଷ ଭାବେ ଉପକୃତ ହେବେ। ଅଞ୍ଚଳର ପ୍ରମୁଖ ହବ୍ ଗୁଡିକୁ ସଂଯୋଗ କରୁଥିବା ଏହି ରୁଟ ଗୁଡିକ ନିରନ୍ତର ବସ ସେବା ସୁନିଶ୍ଚିତ କରିବ।

୪୪ନଂ ରୁଟ ଗାଡି ବରମୁଣ୍ଡା ଆଇଏସବିଟିରୁ ବାହାରି ଓଲଟପୁର ଯିବ। ୪୫ନଂ ରୁଟ ଗାଡି ଭୁବନେଶ୍ବର ରେଳ ଷ୍ଟେସନରୁ ବାହାରି ଜୟଦେବ ପୀଠ ଯିବ। ୪୬ନଂ ରୁଟ ଗାଡି ଭୁବନେଶ୍ବର ରେଳ ଷ୍ଟେସନରୁ ବାହାରି ଭାୟା କଲ୍ୟାଣପୁର, ଗନ୍ଦରପୁର ହୋଇ ନନ୍ଦନ କାନନ ଯିବ। ସେହିପରି ୪୭ନଂ ରୁଟ ଗାଡି ସମ୍ ହସ୍ପିଟାଲରୁ ବାହାରି ଏସସିବି ମେଡିକାଲ ଯିବ। ୪୮ନଂ ରୁଟ ଗାଡ଼ି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡରୁ ବାହାରିବ ଏବଂ ଜଗତପୁର, କଟକକୁ ଯିବ। ୪୯ନଂ ରୁଟ ଗାଡି ଭୁବନେଶ୍ବର ରେଳ ଷ୍ଟେସନରୁ ଡେଲାଙ୍ଗ ରେଳ ଷ୍ଟେସନ ଯିବ। ୫୬ନଂ ରୁଟ ଗାଡ଼ି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବା ବେଳେ ୫୭ନଂ ରୁଟ ଗାଡି କାକଟପୁରରୁ ବାହାରିବ ଏବଂ ପୁରୀ ବସ ଷ୍ଟାଣ୍ଡକୁ ଯିବ।

୫୮ ନଂ ରୁଟ ଗାଡ଼ି ଜଗତପୁରରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବ। ସେହପରି ୫୯ନଂ ରୁଟ୍ ଗାଡି ମହାନଦୀ ବିହାରରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବା ବେଳେ ୮୪ନଂ ରୁଟ ଗାଡ଼ି ସିଡିଏ, କଟକରୁ ବାହାରି ଓଲଟପୁର ଯାଏ ଯିବ। ୬୦ନଂ ରୁଟ ଗାଡି ଭୁବନେଶ୍ବର ରେଳ ଷ୍ଟେସନରୁ ବାହାରି ସାତପଡା ଯିବା ବେଳେ ୬୧ନଂ ରୁଟ ଗାଡ଼ି ବରମୁଣ୍ଡା ଆଇଏସବିଟିରୁ ବାହାରି ଭାୟ ପୁରୀ ବସ ଷ୍ଟାଣ୍ଡ, ବ୍ରହ୍ମଗିରି ବସ ଷ୍ଟାଣ୍ଡ ଦେଇ ସାତପଡାକୁ ଯିବ।

Leave A Reply

Your email address will not be published.