Latest Odisha News

BREAKING NEWS

ମେ ୧୭ରେ ଲଞ୍ଚ ହେବ ସଂଚାର ସାଥୀ ପୋର୍ଟାଲ୍, ଚୋରି କିମ୍ବା ହଜି ଯାଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତରେ ମୋବାଇଲ୍ ବ୍ଲକିଂ ଓ ଟ୍ରାକିଂ ସେବା ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଟେଲିକମ୍ ଦିବସ ଅବସରରେ ମେ ୧୭ ତାରିଖରେ କେନ୍ଦ୍ର ସରକାର ‘ମୋବାଇଲ୍ ବ୍ଲକିଙ୍ଗ୍ ଆଣ୍ଡ ଟ୍ରାକିଙ୍ଗ୍ ସିଷ୍ଟମ’ ଆରମ୍ଭ କରିବେ। କେନ୍ଦ୍ରୀୟ ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂଚାର ସାଥୀ ପୋର୍ଟାଲ୍(ସଇଆଇଆର୍‌) ଲଞ୍ଚ୍ କରି ସେବା ଆରମ୍ଭ କରିବେ। ଏହି ପୋର୍ଟାଲ୍ ଦ୍ୱାରା ଲୋକେ ନିଜର ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ୍ ଫୋନ୍‌କୁ ଟ୍ରାକ୍ କିମ୍ବା ବ୍ଲକ୍ କରିପାରିବେ।

ପୂର୍ବରୁ ଏହି ସେବା ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ ଆଦି ସ୍ଥାନଗୁଡ଼ିକରେ ପରୀକ୍ଷମୂଳକ ଭାବେ ଚାଲିଥିଲା। ଏବେ ଏହି ବ୍ୟବସ୍ଥା ସଫଳ ହେବା ପରେ ସାରା ଭାରତରେ ଏହା ଆରମ୍ଭ ହେବାକୁ ଯାଉଛି। ଟେକ୍ନୋଲୋଜି ନିର୍ମାତା ସେଣ୍ଟର ଫର୍ ଡିପାର୍ଟମେଣ୍ଟ ଅଫ୍ ଟେଲିମେଟିକ୍ସ(ସି-ଡଟ୍)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ଚେୟାରମ୍ୟାନ୍‌ ରାଜକୁମାର ଉପାଧ୍ୟାୟ କହିଛନ୍ତି ଯେ ମୋବାଇଲ୍ ବ୍ଲକିଙ୍ଗ ଓ ଟ୍ରାକିଙ୍ଗ ସିଷ୍ଟମ ସାରା ଭାରତରେ ଆରମ୍ଭ ହେବାକୁ ପ୍ରସ୍ତୁତି ସରିଛି। ଚଳିତ ତ୍ରୈୟମାସିକରେ ଏହା ଆରମ୍ଭ ହୋଇଯିବ। ଏହି ସିଷ୍ଟମ୍‌ରେ ଏକ ଇନ୍‌ବିଲ୍ଡ ମେକାନିଜମ ଅଛି ଯାହା ମୋବାଇଲ୍‌ ଚୋରିର ଯାଞ୍ଚ କରିବ। ହଜିଯାଇଥିବା ମୋବାଇଲ୍‌କୁ ବ୍ଲକ୍ କିମ୍ବା ଟ୍ରାକ୍ କରିହେବ।

ଶ୍ରୀ ଉପାଧ୍ୟାୟ ଆହୁରି କହିଛନ୍ତି ଯେ ଚୋରମାନେ ମୋବାଇଲ୍‌ ଚୋରି କରି ଆଇଏମ୍‌ଇଆଇ ନମ୍ବର ବଦଳାଇ ଦେଉଛନ୍ତି। ହେଲେ ଏହି ଟେକ୍ନୋଲୋଜୀ ଦ୍ୱାରା IMEI ନମ୍ବର ବଦଳାଇଲେ ବି ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିହେବ। ଏହାର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ଏହି ପୋର୍ଟାଲ୍ ମାଧ୍ୟମରେ ୪.୭୦ ଲକ୍ଷ ଚୋରି କିମ୍ବା ହଜିଯାଇଥିବା ଫୋନ୍‌କୁ ବ୍ଲକ୍ କରାଯାଇଛି। ସେହିପରି ୨.୪୦ ଲକ୍ଷରୁ ଅଧିକ ମୋବାଇଲ୍‌କୁ ଟ୍ରାକ୍ କରାଯାଇଥିବା ବେଳେ ୮ ହଜାରରୁ ଅଧିକ ଫୋନ୍‌କୁ ଜବତ ହୋଇ ମାଲିକଙ୍କୁ ଫେରାଇ ଦିଆଯାଇଛି। ନିକଟରେ କର୍ଣ୍ଣାଟକ ପୁଲିସ ୨୫୦୦ରୁ ଅଧିକ ମୋବାଇଲ୍‌ ଜବତ କରି ଫୋନ୍ ମାଲିକଙ୍କୁ ଫେରାଇଥିବାର  ଖବର ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.