Latest Odisha News

BREAKING NEWS

Anti-Paper Leak Bill: ପେପର ଲିକ୍‌ ମାଫିଆଙ୍କୁ ବଡ ଝଟକା! ଆସିଲା ନୂଆ ଆଣ୍ଟି ପେପର ଲିକ୍ ବିଲ୍, ଜାଣନ୍ତୁ ପୁରୁଣା ଆଇନଠାରୁ କେତେ କଡ଼ା?

ନୂଆଦିଲ୍ଲୀ: ଦେଶରେ ବାରମ୍ବାର ଘଟୁଥିବା ପେପର ଲିକ୍‌ ଏବଂ ପରୀକ୍ଷାରେ ଅନିୟମିତତା ଉପରେ ସ୍ଥାୟୀ ରୋକ୍ ଲଗାଇବାକୁ କେନ୍ଦ୍ର ସରକାର ସଂସଦରେ ‘ପବ୍ଲିକ୍ ଏକ୍ଜାମିନେସନ୍ (ପ୍ରିଭେନସନ୍ ଅଫ୍ ଅନଫେୟାର୍ ମିନ୍ସ) ସଂଶୋଧନ ବିଲ୍-୨୦୨୬’ ଉପସ୍ଥାପନ କରିଛନ୍ତି। ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିଲ୍ ଆଗତ କରିଛନ୍ତି। ଏହା ୨୦୨୪ର ଆଇନକୁ ଆହୁରି କଡ଼ା କରିବା ପାଇଁ ଆଣାଯାଇଛି। ଏହି ବିଲ୍‌ ଉପରେ ଆଲୋଚନା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସରକାର ଓ ବିରୋଧୀ ଦଳକୁ ସନ୍ଧ୍ୟା ୫ଟା ସୁଦ୍ଧା ସହମତି ହେବାକୁ କହିଛନ୍ତି। ସହମତି ହେଲେ ବିଲ୍‌ ଉପରେ ବିସ୍ତୃତ ଆଲୋଚନା ହେବ।

ପୁରୁଣା ଆଇନରେ କ’ଣ ହେଲା ପରିବର୍ତ୍ତନ?

ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଶାସ୍ତି ଓ ଜରିମାନା। ୨୦୨୪ ଆଇନରେ ପେପର ଲିକ୍‌ ଅପରାଧ ପାଇଁ ୩ରୁ ୫ ବର୍ଷ ଜେଲ୍ ଥିବାବେଳେ, ନୂଆ ବିଲ୍‌ରେ ଏହାକୁ ୫ରୁ ୧୦ ବର୍ଷ କରାଯାଇଛି। ସେହିପରି ସର୍ବାଧିକ ଜୋରିମାନା ସୀମାକୁ ୧୦ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ଲାଗି ନୂଆ ବିଲରେ ବ୍ୟବସ୍ଥା କରାଯାଇଛି ।

ନୂଆ ଆଇନ ଅନୁଯାୟୀ ଅପରାଧରେ ସମ୍ପୃକ୍ତ ସେବା ପ୍ରଦାନକାରୀ ବା ସର୍ଭିସ୍‌ ପ୍ରୋଭାଇଡରଙ୍କ ପାଇଁ ସର୍ବାଧିକ ଜରିମାନା ୧ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବା ଏବଂ କୌଣସି ସାଧାରଣ ପରୀକ୍ଷା ପରିଚାଳନାରୁ ନିଷେଧ କରିବା ଅବଧିକୁ ଚାରି ବର୍ଷରୁ ଆଠ ବର୍ଷକୁ ବୃଦ୍ଧି କରିବା ଲାଗି ପ୍ରସ୍ତାବ ରଖିଛି।

ସେହିପରି ନୂଆ ବିଲରେ ସେବା ପ୍ରଦାନକାରୀ ପରିଚାଳକ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ଦଣ୍ଡର ପ୍ରସ୍ତାବ ରହିଛି । ଏହି ଦଣ୍ଡ ବ୍ୟବସ୍ଥାକୁ ପାଞ୍ଚ ବର୍ଷରୁ ଅଧିକ ଏବଂ ସର୍ବାଧିକ ଦଶ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏଥିସହିତ ସର୍ବାଧିକ ଜରିମାନା ୧ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ସଂଗଠିତ ପରୀକ୍ଷା-ସମ୍ବନ୍ଧୀୟ ଅପରାଧଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ, ସଂଶୋଧିତ ବିଲ୍ ସର୍ବନିମ୍ନ କାରାଦଣ୍ଡକୁ ପାଞ୍ଚ ବର୍ଷରୁ ସାତ ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି, ଯାହାକୁ ଦଶ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇପାରିବ । ଏହାସହିତ ସର୍ବାଧିକ ଜରିମାନା ୧ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି ।

ଏହି ବିଲ୍ କେନ୍ଦ୍ର ସରକାରଙ୍କୁ ଆଇନ ଅନୁଯାୟୀ ଅପରାଧର ତଦନ୍ତକୁ ଏହି ଉଦ୍ଦେଶ୍ୟରେ ଗଠିତ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସକୁ ପଠାଇବା ଲାଗି ଅଧିକ କ୍ଷମତା ପ୍ରଦାନ କରେ। ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ମାମଲା ତଦନ୍ତ କରୁଥିଲେ। ଏବେ ପ୍ରତ୍ୟେକ ପେପର ଲିକ୍‌ ମାମଲାର ତଦନ୍ତ ପାଇଁ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଗଠନ କରାଯିବ। ଏହି STF ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ବାଧ୍ୟ ରହିବ। ପୂର୍ବରୁ ସାଧାରଣ ଅଦାଲତରେ ମାମଲା ଚାଲୁଥିଲା। ନୂଆ ବିଲ୍‌ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ହେବ। ସେଠାରେ ଦୈନିକ ଶୁଣାଣି ହେବ ଏବଂ ୯୦ ଦିନ ଅର୍ଥାତ୍ ୩ ମାସ ମଧ୍ୟରେ ବିଚାର ଶେଷ କରି ରାୟ ଦିଆଯିବ। ପୂର୍ବରୁ ହାଇକୋର୍ଟରେ ଅପିଲ୍‌ ପାଇଁ କୌଣସି ସମୟସୀମା ନଥିଲା। ଏବେ ୩୦ ଦିନ ମଧ୍ୟରେ ଅପିଲ୍ କରିବାକୁ ପଡ଼ିବ ଏବଂ ୩ ମାସ ମଧ୍ୟରେ ହାଇକୋର୍ଟ ରାୟ ଦେବାର ବ୍ୟବସ୍ଥା ରହିଛି।

ତଦନ୍ତ ଏବଂ ବିଚାରକୁ ତୁରନ୍ତ ଶେଷ କରିବା ପାଇଁ ବିଲରେ ଏକ ନୂତନ ଧାରା ୧୨କ ସଂଯୋଜିତ କରାଯାଇଛି । ଏହି ଧାରାରେ ରହିଥିବା ପ୍ରସ୍ତାବ ମୁତାବକ ଦୁଇ ମାସ ମଧ୍ୟରେ ତଦନ୍ତ ସମାପ୍ତ କରିବା, ଆଇନ ଅନୁଯାୟୀ ଅପରାଧର ଦୈନନ୍ଦିନ ବିଚାର ପାଇଁ ସେସନ୍ସ କୋର୍ଟଗୁଡ଼ିକୁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଭାବରେ ନିଯୁକ୍ତ କରିବା, ଚାର୍ଜସିଟ୍ ଦାଖଲ ହେବାର ତାରିଖରୁ ତିନି ମାସ ମଧ୍ୟରେ ବିଚାର ସମାପ୍ତ କରିବା ଏବଂ ପ୍ରତ୍ୟେକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲଙ୍କ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଇଛି ।

ବିଲ୍‌ରେ ଏକ ନୂତନ ଧାରା ୧୨ବିକୁ ଅନ୍ତର୍ଭୁକ୍ତ କରିବା ଲାଗି ପ୍ରସ୍ତାବ ମଧ୍ୟ ଦିଆଯାଇଛି ଯାହା ଅନୁଯାୟୀ, ଏକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ଯେକୌଣସି ରାୟ, ଆଦେଶ କିମ୍ବା ଦଣ୍ଡ ବିରୁଦ୍ଧରେ ତିରିଶ ଦିନ ମଧ୍ୟରେ ହାଇକୋର୍ଟରେ ଆବେଦନ କରାଯାଇପାରିବ ଏବଂ ଯଥାଶୀଘ୍ର ସମ୍ଭବ ତିନି ମାସ ମଧ୍ୟରେ ମାମଲାର ସମାଧାନ କରାଯିବ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ କହିଛନ୍ତି, ବିରୋଧୀ ଦଳ ରାଜନୀତି ନକରି ପିଲାଙ୍କ ଭବିଷ୍ୟତ ପାଇଁ ଆସିଥିବା ଏହି ସଂଶୋଧନ ଉପରେ ଆଲୋଚନା କରନ୍ତୁ। ସରକାର ପାଇଁ ଏହି ବିଲ୍‌ ପାସ୍‌ କରାଇବା ପ୍ରାଥମିକତା।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କିଛି ଦିନ ଧରି ଯୁବପିଢ଼ିଙ୍କ ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ସଂଯୋଗ ରଖିଛନ୍ତି। ୨୩ ଜୁଲାଇରେ ନୂଆ ଆଇନ, ୨୪ ଜୁଲାଇରେ Gen-Zଙ୍କୁ ଧନ୍ୟବାଦ, ଏବଂ ୨୬ ଜୁଲାଇରେ ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ୬ ସଦସ୍ୟ ବିଶିଷ୍ଟ ହାଇପାୱାର ଟାସ୍କ ଫୋର୍ସ ଘୋଷଣା କରିଥିଲେ। ଏହି କମିଟି ପରୀକ୍ଷା ବ୍ୟବସ୍ଥାରେ ଟେକ୍ନୋଲୋଜି ମାଧ୍ୟମରେ ସ୍ୱଚ୍ଛତା ଆଣିବା ଏବଂ ପେପର ଲିକ୍‌ ରୋକିବା ପାଇଁ ସରକାରଙ୍କୁ ସୁପାରିଶ କରିବ।

ଅପରପକ୍ଷେ NEET ପେପର ଲିକ୍‌ ବିବାଦ ପରେ NTAର ୪୭ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ହେବ। ଶିକ୍ଷା ମନ୍ତ୍ରଣାଳୟର ଦୁଇ ସଚିବଙ୍କୁ ବଦଳି କରାଯାଇଛି। NTAର ଆଉଟ୍‌ସୋର୍ସିଂ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ସହ ଡିଜିଟାଲ ସୁରକ୍ଷା ବଢ଼ାଯିବ। ଦିଲ୍ଲୀ ପୁଲିସ ମଧ୍ୟ UPSCରୁ NTA ପର୍ଯ୍ୟନ୍ତ ସମସ୍ତ ବଡ଼ ପରୀକ୍ଷାରେ ଅନିୟମିତତା ତଦନ୍ତ ପାଇଁ STF ଗଠନ କରିଛି। ଏହି ମାମଲାରେ ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍‌କୁ ପଠାଯାଇଛି।

NEET ବିବାଦ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଜୋଶୀଙ୍କୁ ଶିକ୍ଷାମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ଦାବି ରହିଛି, ଏହି ନୂଆ ଆଇନ ଲାଗୁ ହେଲେ ପେପର ଲିକ୍‌ ମାଫିଆଙ୍କ ବିରୋଧରେ ତ୍ୱରିତ ଓ କଡ଼ା କାର୍ଯ୍ୟାନୁଷ୍ଠାନ ସମ୍ଭବ ହେବ ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ବିଶ୍ୱସନୀୟ ହେବ।

Comments are closed.