Latest Odisha News

BREAKING NEWS

ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିବ ୩୦ ଦିନିଆ ରିଚାର୍ଜ ପ୍ଲାନ୍ ଏବଂ କେବଳ ‘ଭଏସ୍-ଏସଏମଏସ’ ପ୍ୟାକ୍

ଭୁବନେଶ୍ୱର: ପ୍ରିପେଡ୍ ମୋବାଇଲ୍ ଗ୍ରାହକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ ) ପକ୍ଷରୁ ଗ୍ରାହକ ସୁରକ୍ଷା ନିୟମରେ ବଡ଼ ଧରଣର ସଂଶୋଧନ କରାଯାଇଛି । ନୂତନ ନିୟମ ଅନୁଯାୟୀ, ଖୁବଶୀଘ୍ର ଗ୍ରାହକମାନଙ୍କୁ ୩୦ ଦିନିଆ ବୈଧତା ଥିବା ରିଚାର୍ଜ ପ୍ଲାନ୍ ଏବଂ କେବଳ ଭଏସ୍ ତଥା ଏସଏମଏସ ସୁବିଧା ଥିବା ପ୍ଲାନ୍ ଉପଲବ୍ଧ ହେବ । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ା ଏହି ନୂଆ ସଂଶୋଧନ ବିଷୟରେ ସୂଚନା ଦେବା ସହ ଏହା ତାଙ୍କ ଦ୍ୱାରା ସଂସଦରେ ଉଠାଯାଇଥିବା ଦାବିର ଏକ ପରିଣାମ ବୋଲି ଏକ୍ସ ରେ ସେ ନିଜ ମତ ପ୍ରକାଶ କରିଛନ୍ତି ।

ଦୀର୍ଘ ଦିନ ଧରି ଅଧିକାଂଶ ଟେଲିକମ୍ କମ୍ପାନୀ ନିଜର ମାସିକ ରିଚାର୍ଜ ପ୍ଲାନ୍‌ର ବୈଧତା କେବଳ ୨୮ ଦିନ ରଖୁଥିଲେ । ଏହାର ଫଳସ୍ୱରୂପ ଗୋଟିଏ ବର୍ଷରେ ୧୨ ମାସ ଥିଲେ ମଧ୍ୟ ଗ୍ରାହକମାନଙ୍କୁ ବର୍ଷକୁ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଥିଲା, ଯାହା ସେମାନଙ୍କ ଉପରେ ଏକ ଲୁକ୍କାୟିତ ଆର୍ଥିକ ବୋଝ ପକାଉଥିଲା । ଟ୍ରାଇ ପକ୍ଷରୁ ନିକଟରେ ସେପ୍ଟେମ୍ବର ୨୨ ତାରିଖରେ ଜାରି ହୋଇଥିବା ଟେଲିକମ୍ ଗ୍ରାହକ ସୁରକ୍ଷା ନିୟମାବଳୀ-୨୦୨୬ ଅନୁଯାୟୀ ଏବେ ଟେଲିକମ୍ କମ୍ପାନୀମାନଙ୍କୁ ୩୦ ଦିନିଆ କିମ୍ବା ମାସର ସମାନ ତାରିଖରେ ରିନ୍ୟୁ ହୋଇପାରୁଥିବା ବୈଧତା ପ୍ଲାନ୍ ବାଧ୍ୟତାମୂଳକ ଭାବେ ଆଣିବାକୁ ପଡ଼ିବ ।

ଏହାବ୍ୟତୀତ ନୂଆ ନିୟମରେ ‘ଭଏସ୍ ଏବଂ ଏସଏମଏସ-ଓନଲି’ ସ୍ପେଶାଲ୍ ଟାରିଫ୍ ଭାଉଚର ମଧ୍ୟ ସାମିଲ କରାଯାଇଛି । ବର୍ତ୍ତମାନ ସମୟରେ ଅଧିକାଂଶ ପ୍ଲାନ୍‌ରେ କଲିଂ ସହ ଇଣ୍ଟରନେଟ୍ ଡାଟା ପ୍ୟାକ୍ ବାଧ୍ୟତାମୂଳକ ଭାବେ ଦିଆଯାଉଥିବାରୁ ଏହାର ମୂଲ୍ୟ ଯଥେଷ୍ଟ ଅଧିକ ରହୁଥିଲା । ବୟସ୍କ ନାଗରିକ ଏବଂ ନିମ୍ନ ଆୟକାରୀ ଗ୍ରାହକ, ଯେଉଁମାନେ ସ୍ମାର୍ଟଫୋନ୍ ବଦଳରେ କେବଳ କଲ୍ ଆସିବା ଓ ଯିବା ପାଇଁ ସାଧାରଣ ଫିଚର୍ ଫୋନ୍ ବ୍ୟବହାର କରନ୍ତି, ସେମାନଙ୍କୁ ମଧ୍ୟ ବାଧ୍ୟ ହୋଇ ମହଙ୍ଗା ଡାଟା ପ୍ୟାକ୍ କିଣିବାକୁ ପଡ଼ୁଥିଲା । ଏଣିକି କମ୍ପାନୀଗୁଡ଼ିକ ବିନା ଡାଟାରେ କେବଳ କଲିଂ ଏବଂ ମେସେଜ୍ ସୁବିଧା ଥିବା ଶସ୍ତା ପ୍ଲାନ୍ ପ୍ରଦାନ କରିବାକୁ ବାଧ୍ୟ ହେବେ । ନୂତନ ଢାଞ୍ଚା ଅନୁଯାୟୀ, ଛୋଟ ଅବଧିର ପ୍ଲାନ୍‌ଗୁଡ଼ିକ ପାଇଁ ମଧ୍ୟ କମ୍ପାନୀଗୁଡ଼ିକୁ ଉପଯୁକ୍ତ ମୂଲ୍ୟ ହ୍ରାସ କରି ସ୍ୱତନ୍ତ୍ର ଭଏସ୍-ଓନଲି ରିଚାର୍ଜ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ରାଇର ଏହି ପଦକ୍ଷେପକୁ ରାଘବ ଚଢ଼ା ‘ଗଠନମୂଳକ ରାଜନୀତି’ର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କହିଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ଲୋକପ୍ରତିନିଧିଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗ ଏବଂ ସାଧାରଣ ଜନତାଙ୍କ ସମର୍ଥନ କିପରି ନୀତିଗତ ପରିବର୍ତ୍ତନ ଆଣିପାରେ, ଏହା ତାହାର ପ୍ରମାଣ । ସୂଚନାଯୋଗ୍ୟ, ଟ୍ରାଇର ଏହି ନିଷ୍ପତ୍ତି ପୂର୍ବରୁ ଏହି ପ୍ରସଙ୍ଗରେ ପ୍ରାୟ ୧,୧୩୨ ରୁ ଊର୍ଦ୍ଧ୍ୱ ଅଂଶୀଦାରଙ୍କ ମତାମତ ନିଆଯାଇଥିଲା । ଆଗାମୀ ଦିନରେ ଏହି ନୂଆ ନିୟମ ଦେଶର ତଥା ରାଜ୍ୟର ଲକ୍ଷ ଲକ୍ଷ ସାଧାରଣ ମୋବାଇଲ ଗ୍ରାହକଙ୍କୁ ବିଶେଷ ଭାବେ ଲାଭାନ୍ୱିତ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.