Latest Odisha News

BREAKING NEWS

କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର, ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା

ଯାଜପୁର: କେନ୍ଦ୍ରାପଡା ପରେ ଯାଜପୁରରୁ ଆସିଲା ସମାନ ଚିତ୍ର । ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା ପଞ୍ଚାୟତର ବେତନା ଗାଁ, ବାଲିସାହି, ବାଲିଚନ୍ଦ୍ରପୁର ଗ୍ରାମର ୫୦୦ ରୁ ଉର୍ଦ୍ଧ ଲୋକଙ୍କ ଆକାଉଣ୍ଟକୁ ଆସିଛି ହଜାର ହଜାର ଟଙ୍କା । କେବଳ ହଜାର ନୁହେଁ, କିଛି ଲୋକଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆସୁଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଦୁଇ ଦିନ ଧରି ଲୋକଙ୍କ ଆକାଉଣ୍ଟ ଆସୁଥିବା ପଇସା କେଉଁଠୁ ଆସୁଛି, କେଉଁ ବାବଦକୁ ଆସିଛି ତା ଜଣା ପଡୁନଥିବା ବେଳେ ଆକାଉଣ୍ଟକୁ ଆସିଥିବା ପଇସାକୁ ଉଠାଇବାରେ ବ୍ୟସ୍ତ ଲୋକେ ।

ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ଉଠାଇବା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଧାଇଁ ଆସୁଛନ୍ତି ଲୋକେ । କେବଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନୁହେଁ ଅନ୍ୟ ବ୍ୟାଙ୍କରେ ମଧ୍ୟ ଟଙ୍କା ଉଠାଇବାକୁ ଲୋକମାନେ ଆସୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଯେଉଁ ମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିନି ସେମାନେ ଚାହିଁ ବସିଛନ୍ତି କେତେବେଳେ ଆକାଉଣ୍ଟକୁ ଟଙ୍କା ଆସିବ । ଏ ବିଷୟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ପ୍ରଭାତ ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ‘ଗତ କାଲିଠୁ ଲୋକମାନେ ବ୍ୟାଙ୍କକୁ ଆସି ତାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଉଠାଇ ନେଉଛନ୍ତି । ତେବେ ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଛି ବୋଲି ତାହା ଜଣାପଡ଼ିନଥିବା ବେଳେ ୩୦,୪୦,୬୦ ଏପରିକି ଏକ ଲକ୍ଷ ଟଙ୍କା ମଧ୍ୟ ଆସିଛି l ଏନେଇ ବର୍ତ୍ତମାନ ତଦନ୍ତ ଚାଲିଛି ତଦନ୍ତ ପରେ କାରଣ ଜଣା ପଡ଼ିବ ବୋଲି କହିଛନ୍ତି ଆସିଷ୍ଟାଣ୍ଡ ମ୍ୟାନେଜର ପ୍ରଭାତ ରଞ୍ଜନ ସାହୁ। ସେପଟେ କିନ୍ତୁ ଟଙ୍କା ପାଇ ବେଶ୍ ଖୁସି ଥିବା କହିଛନ୍ତି ଟଙ୍କା ପାଇଥିବା  ଲୋକେ । ଅନ୍ୟପଟେ ଆମେ ଚାଷୀ ହେବା ସହ ଆମର ଲୋନ ଅଛି ହେଲେ ଆମକୁ ଟଙ୍କା ନାହିଁ । ବିନା ଚାଷୀ ଏବଂ ଲୋନ ନଥିବା ଲୋକଙ୍କ ଆକାଉଣ୍ଟ କୁ ଟଙ୍କା ଆସୁଛି କହି ଅଭିଯୋଗ ଆଣିଛନ୍ତି ଟଙ୍କା ପାଇନଥିବା ଲୋକେ ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ କେନ୍ଦ୍ରାପଡାରେ ମଧ୍ୟ ଦେଖାଯାଇଥିଲା ସମାନ ଚିତ୍ର । ହଠାତ୍ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଡକୁ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା । ଆଉ ଟଙ୍କା ଉଠାଇବାକୁ ବ୍ୟାଙ୍କ ଦେଖାଯାଇଥିଲା ନାହିଁ ନଥିବା ଭିଡ । ଟଙ୍କା କେଉଁଠୁ ଆସୁଛି, କାହିଁକି ଆସୁଛି ସେ ନେଇ କେହି କିଛି ଜାଣିନଥିବା ବେଳେ ଟଙ୍କା ପାଇ ବହୁତ ଖୁସି ହୋଇଥିବା କହୁଛନ୍ତି ଲୋକ । ତେବେ ଏହି ଘଟଣା ନେଇ ତଦନ୍ତ ଚାଲିଥିବା ବେଳେ ଖୁବ୍ ଶିଘ୍ର ଏହାର ପର୍ଦ୍ଦାଫାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ଅଧିକାରୀ ।

Leave A Reply

Your email address will not be published.