ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବଙ୍ଗୋପସାଗର ଅଞ୍ଚଳରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଆସନ୍ତା କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ବହିବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟ ବିଭାଗ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରତି ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ଏହାର ଝଟକା ବେଳେବେଳେ ୬୦ କିଲୋମିଟର ଛୁଇଁପାରେ। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ଭୋଗରାଇ ଏବଂ ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରଶାସନ ଡାକବାଜି ଯନ୍ତ୍ର ବା ମାଇକ୍ ଯୋଗେ ମତ୍ସ୍ୟଜୀବୀ ଏବଂ କୂଳିଆ ଲୋକଙ୍କୁ ବାରମ୍ବାର ସତର୍କ କରାଉଛି।
ବିଶେଷ କରି ଭୋଗରାଇର ଉଦୟପୁର, ତାଳସାରୀ, ଏବଂ କୀର୍ତ୍ତନୀୟା ଭଳି ପ୍ରମୁଖ ସମୁଦ୍ର ମୁହାଁଣରେ ଥିବା ସମସ୍ତ ପାରମ୍ପରିକ ନୌକା ତଥା ଟ୍ରଲରଗୁଡ଼ିକୁ କୂଳରେ ବାନ୍ଧି ରଖିବାକୁ କୁହାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ପୂର୍ବରୁ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି, ସେମାନଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଉପକୂଳକୁ ଫେରିଆସିବା ପାଇଁ ବାର୍ତ୍ତା ପଠାଯାଇଛି।
ଅନ୍ୟପଟେ ଚଳିତ ବର୍ଷର ପ୍ରଥମ ଲଘୁଚାପ ଆସନ୍ତା ୨୪ରୁ ୨୫ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପରିମାଣ ଏବଂ ସୀମା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛନ୍ତି।
