ସୁଭଦ୍ରା ଓ କନ୍ୟା ବିବାହ ଯୋଜନାକୁ ଚ୍ୟାଲେଞ୍ଜ: ଆଇନଗତ ବୈଧତା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା, ବନ୍ଦ କରିବାକୁ ଦାବି
କଟକ: ରାଜ୍ୟ ସରକାରଙ୍କ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଏବେ ଆଇନଗତ ବିବାଦ ଘେରକୁ ଆସିଛି। ଏହି ଯୋଜନାଗୁଡ଼ିକର ସାମ୍ବିଧାନିକ ଓ ଆଇନଗତ ବୈଧତାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। କଟକର ବରିଷ୍ଠ ଆଇନଜୀବୀ ୭୮ ବର୍ଷୀୟ ରମାନ୍ତ ନାୟକଙ୍କ ପକ୍ଷରୁ ଦାଖଲ ହୋଇଥିବା ଏହି ଆବେଦନରେ ଯୋଜନା ଦ୍ୱୟର କାର୍ଯ୍ୟକାରିତାକୁ ତୁରନ୍ତ ବନ୍ଦ କରିବା ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।
ଆବେଦନକାରୀ ଆଇନଜୀବୀଙ୍କ ଅଭିଯୋଗ ଅନୁଯାୟୀ ଏହି ଦୁଇଟି ଯୋଜନା ଓଡ଼ିଶା ଆର୍ଥିକ ଦାୟିତ୍ୱବୋଧ ଏବଂ ବଜେଟ୍ ପରିଚାଳନା ବା ଓଏଫଆରବିଏମ ଆକ୍ଟ ୨୦୦୫ ର ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ମହିଳା ସଶକ୍ତୀକରଣ ଆଳରେ ରାଜ୍ୟର ସଞ୍ଚିତ ପାଣ୍ଠିରୁ ଅସାମ୍ବିଧାନିକ ଭାବେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରାଯାଉଛି। ଏହା ଏକ ପ୍ରକାର ଜନସାଧାରଣଙ୍କ ଟଙ୍କାର ଅପବ୍ୟୟ ବୋଲି ପିଟିସନରେ ଦର୍ଶାଯାଇଛି। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।
ସୂଚନାଯୋଗ୍ୟ ଯେ ସୁଭଦ୍ରା ଯୋଜନା ଅଧୀନରେ ପ୍ରତି ଯୋଗ୍ୟ ମହିଳାଙ୍କୁ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ରାଜ୍ୟର ପ୍ରାୟ ଏକ କୋଟି ମହିଳା ଉପକୃତ ହେଉଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ ଖର୍ଚ୍ଚ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ପ୍ରକଳ୍ପ ପାଇଁ ପାଞ୍ଚ ବର୍ଷରେ ରାଜକୋଷରୁ ପ୍ରାୟ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି।
ଆବେଦନକାରୀ ଯୁକ୍ତି ଦର୍ଶାଇଛନ୍ତି ଯେ କେବଳ କ୍ୟାବିନେଟ୍ ନିଷ୍ପତ୍ତି ଆଧାରରେ ଏଭଳି ବୃହତ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବିଧାନସଭା ମଞ୍ଜୁରୀ ବା ସ୍ୱତନ୍ତ୍ର ଆଇନଗତ ସ୍ୱୀକୃତି ନାହିଁ। ଏତେ ବଡ଼ ପରିମାଣର ନିୟମିତ ଖର୍ଚ୍ଚ ରାଜ୍ୟର ଆର୍ଥିକ ଶୃଙ୍ଖଳା ଉପରେ କୁପ୍ରଭାବ ପକାଉଛି। ଫଳରେ ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଏବଂ ଭିତ୍ତିଭୂମି ଭଳି ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକୀୟ ପାଣ୍ଠି ମିଳିବାରେ ବାଧା ସୃଷ୍ଟି ହେଉଛି। ତେବେ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ହାଇକୋର୍ଟରେ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।
