Latest Odisha News

BREAKING NEWS

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ: ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।

ପାଣିପାଗ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ସକ୍ରୀୟ ଥିବା ଏହି ଲଗାଣ ବର୍ଷା ଜୁଲାଇ ୫ ତାରିଖ ଆଡ଼କୁ କ୍ରମେ ଦୁର୍ବଳ ହୋଇ ବୃଷ୍ଟିପାତ ହ୍ରାସ ପାଇବ ।

ତେବେ ଜୁନ ୨୯ ତାରିଖ ମଧ୍ୟରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ମାନଙ୍କରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ମୌସୁମୀ ଜନିତ ଲଗାଣ ବର୍ଷା ଜାରି ରହିଛି । ସମସ୍ତ ଜିଲ୍ଲାମାନଙ୍କରେ ଲଗାଣ ବର୍ଷା ହେବା ଯୋଗୁଁ ବାର୍ଷିକ କୃଷିକାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।

ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଗତରାତିରୁ ଲଗାଣ ବର୍ଷା ହେବା ଯୋଗୁଁ ଅଧିକାଂଶ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି । ଭୁବନେଶ୍ୱରର ବୋମିଖାଲ, ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଗଜପତି ନଗର ଏବଂ ଲକ୍ଷ୍ମୀସାଗର ଅଞ୍ଚଳର କେତେକ ସ୍ଥାନରେ ବର୍ଷା ଜଳ ଭରି ରହିଛି । ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ ଯାନବାହନ ଯାତାୟାତରେ ବାଧା ସୃଷ୍ଟି ହେଉଛି ।

ସେହିପରି କଟକ ସହରରେ ଲଗାଣ ବର୍ଷା ଯୋଗୁଁ ସହରବାସୀ ପ୍ରଭାବିତ ହୋଇଛନ୍ତି । ଗତକାଲିଠାରୁ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ବାଦାମବାଡ଼ି ରକ୍ସି ସିନେମା ପାଖ, ଜନବହୁଳ ଲିଙ୍କରୋଡ୍ ଅଞ୍ଚଳ ସମେତ କଟକର ଅଧିକାଂଶ ସ୍ଥାନରେ ବର୍ଷା ଜଳ ଜମିରହିଛି । ଲଗାଣ ବର୍ଷା ଯୋଗୁଁ କେତେକ ନାଳ ଭର୍ତ୍ତି ହୋଇ ରାସ୍ତା ଉପରେ ଜଳ ଭର୍ତ୍ତି ହୋଇଛି । ରାସ୍ତା ଉପରେ ଜଳ ନିଷ୍କାସିତ ନହୋଇ ପାରିବା ଯୋଗୁଁ ଚଳାଚଳରେ ବାଧା ସୃଷ୍ଟି ହେଉଛି ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ବର୍ଷାଜଳ ନିଷ୍କାସନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟରେ ପ୍ରାୟ ଜିଲ୍ଲା ମାନଙ୍କରେ ମୌସୁମୀ ବୃଷ୍ଟିପାତ ହୋଇଛି । ତେବେ ଢେଙ୍କାନାଳ, ମୟୁରଭଞ୍ଜ, ଜଗତସିଂହପୁର, କଟକ, ନୁଆପଡ଼ା, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଯାଜପୁର, ବଲାଙ୍ଗୀର, ବୌଦ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ମାନଙ୍କରେ ଏବେ ମୌସୁମୀ ବୃଷ୍ଟିପାତ ବେଶ୍ ସକ୍ରିୟ ରହିଛି । ଏହି ସବୁ ସ୍ଥାନମାନଙ୍କରେ ଆଗାମୀ କିଛି ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିବାର ସୂଚନା ଦେଇଛନ୍ତିି ପାଣିପାଗ ବିଭାଗର କର୍ତ୍ତୃପକ୍ଷ ।

Leave A Reply

Your email address will not be published.