Latest Odisha News

ଲଗାଣ ବର୍ଷାରେ ୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୩ ମୃତ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷାରେ ଅସ୍ତବ୍ୟସ୍ତ ସାରା ରାଜ୍ୟ । ଚାରିଆଡେ ପାଣି ଆଉ ପାଣି । ରେକର୍ଡ ବର୍ଷାରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଲୋକଙ୍କ ଘରେ ପାଣି ପଶିଛି । ଦୁଇ ଦିନର ଳଗାଣ ବର୍ଷାରେ ବେହାଲ ହୋଇଛି ସାଧାରଣ ଜନଜୀବନ । ବର୍ଷା ଯୋଗୁଁ ରାଜ୍ୟରେ ୧୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଲଘୁଚାପ ବର୍ଷାରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏହି ୧୧ଟି ଜିଲ୍ଲାର ମୋଟ ୫୩ଟି ବ୍ଲକରେ ବର୍ଷା ପ୍ରଭାବ ଅଧିକ ରହିଛି । ଫଳରେ ୫୩ଟି ବ୍ଲକର ୨୭୮୯ ଗାଁରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ, ଏହି ସବୁ ଜିଲ୍ଲାର ୧୪ ପୌରାଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ୧୧ ଜିଲ୍ଲାରେ ମୋଟ ୧୯ ଲକ୍ଷ ୫୩ ହଜାର ୬୪୭ ଲୋକ ବର୍ଷା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ପ୍ରାୟ ୩୮୧୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଖୋର୍ଦ୍ଧାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୨୭୮୯ ଗାଁର ୨୬୫ ଘର ଭାଙ୍ଗିଯାଇ ଥିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

Leave A Reply

Your email address will not be published.