Latest Odisha News

BREAKING NEWS

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ଢେଙ୍କାନାଳ: ଝୁରୁଛି ଗାଁ ଦାଣ୍ଡ, ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର । ଚାରିଆଡେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ପୁଅକୁ ହରାଇ ଭାଙ୍ଗିପଡ଼ଛନ୍ତି ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପରିବାର । ସେପଟେ ଆଜି ଜନ୍ମମାଟିରେ ପହଞ୍ଚିବ ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ପ୍ରାଣ ହରାଇଥିବା ଓଡିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଅପରାହ୍ଣରେ ସହିଦ ସରୋଜଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ । ସେଠାରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ଜନ୍ମମାଟି କାମାକ୍ଷାନଗରକୁ ନିଆଯିବ ସରୋଜଙ୍କ ପାର୍ଥିବ ଶରୀର । ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ସିକ୍କିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଓଡିଆ ଯବାନ ସରୋଜଙ୍କୁ ମିଶାଇ ମୋଟ ୨୩ଜଣ ଯବାନ ସେନା ଗାଡିରେ ବସିଥିବା ବେଳେ ଭାସିଯାଇଥିଲେ । ଦୁଇ ଦିନ ପରେ ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ । ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ । ଗତକାଲି ସହିଦ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାର ଆସିବାର ଥିଲା ମାତ୍ର କୌଣସି କାରଣ ବଶତଃ ଆସିପାରି ନଥିଲା। ତେଣୁ ଆଜି ଜନ୍ମମାଟିକୁ ଆସିବ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଓଡ଼ିଆ ଯବାନ ସରୋଜ ୨୦୧୨ରେ ସେନବାହିନୀରେ ସାମିଲ ହୋଇଥିଲେ ସରୋଜ  ।  ସେହି ବର୍ଷ ଫେବ୍ରୁଆରୀ ମାସରେ ତାଙ୍କର ବିବାହ ହୋଇଥିଲା । ଦୁଇମାସ ତଳେ ସେ ଘରକୁ ଆସିଥିଲେ । ଏବେ ତାଙ୍କ ସହିଦ ଖବର ଶୁଣିବା ପରେ ସାରା ଗାଁରେ ଶୋକର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.