Latest Odisha News

BREAKING NEWS

୨ ଛୁଆକୁ ଛାଡ଼ି ମାଆ ଫେରାର୍, ଥାନାରେ ଏତଲା

ବାଲିଗୁଡ଼ା: ଦୁଇ ଛୁଆକୁ ଛାଡ଼ି ମାଆ କେଉଁ ଆଡ଼େ ଫେରାର୍ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗାଁରୁ । ଅଭିଯୋଗ ପ୍ରକାରେ ଗାଁର ରାଉତ ପ୍ରଧାନଙ୍କ ପତ୍ନୀ ରାନୀ ନାୟକ ନିଜର ଦୁଇ ଛୁଆଙ୍କୁ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏନେଇ ପରିବାର ଲୋକେ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଛନ୍ତି । ସ୍ତ୍ରୀ ଫେରାର୍ ଖବର ପାଇ କେରଳରେ ଦାଦନ ଖଟୁଥିବା ସ୍ୱାମୀ ଗାଁକୁ ଫେରିଛି ।

୧୦ ବର୍ଷ ତଳେ ରାଉତ, ରାନୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ହସଖୁସିରେ ସଂସାର ରଥ ଆଗକୁ ଗଡ଼ୁଥିଲା । ୪ ବର୍ଷ ପରେ ରାନୀଙ୍କର ଝିଅଟିଏ ହୋଇଥିଲା । ଯାହାକୁ ନେଇ ସମସ୍ତେ ଖୁସି ମଧ୍ୟ ଥିଲେ । କିଛି ଦିନ ପରେ ଶାଶୂଙ୍କ ସହ ରାନୀଙ୍କ ବୁଝାବଣା ଅଭାବରୁ ଘର ଦୁଇ ଭାଗ ହୋଇ ଯାଇଥିଲା । ଆଉ ୩ ବର୍ଷ ପରେ ରାନୀଙ୍କର ପୁଅଟିଏ ହେବା ପରେ ପୁଣି ପରିବାର ଏକାଠି ହୋଇଥିଲା ।

ହେଲେ ରାଉତଙ୍କ ସୀମିତ ରୋଜଗାର ପାଞ୍ଚ ପ୍ରାଣୀର କୁଟୁମ୍ବ ପ୍ରତିପୋଷଣ ପାଇଁ ସମ୍ଭବ ହୋଇ ନଥିଲା । ଫଳରେ ଘରେ ବିଧବା ମାଆ ସହ ସ୍ତ୍ରୀ ଓ ୨ ଛୁଆକୁ ଛାଡ଼ି ଦାଦନ ଖଟିବାକୁ କେରଳ ଯାଇଥିଲେ । କେରଳରେ ରହି ଦିନ ମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରେ ନିଜେ ଚଳିବା ସହ ପରିବାର ଚଳେ । ହେଲେ ଅଗଷ୍ଟ ୧୦ ତାରିଖରୁ ରାନୀ କେଉଁ ଆଡ଼େ ପଳାଇଛନ୍ତି । ପରିବାର ଲୋକେ ଖୋଜା ଖୋଜି କରିବା ପରେ ନପାଇବାରୁ ପୋଲିସରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.