Latest Odisha News

BREAKING NEWS

ଓଡିଶାରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ ନିମନ୍ତେ ଓସିଏଫ୍ ଏବଂ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡିଶାରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏବଂ ଏହି କ୍ଷେତ୍ରରେ ଉଦ୍ୟୋଗିତା ପରିସର ପ୍ରସାର କରିବା ସହିତ ଯୁବ ଉଦ୍ୟୋଗୀମାନଙ୍କୁ ଏକ ନୂତନ ଦିଗ ପ୍ରଦାନ କରିବା ପାଇଁ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ୍ ଏବଂ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ଓସିଏଫ୍ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ସହ ସହଭାଗିତାର ଘୋଷଣା ମଧ୍ୟ କରିଛି । ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦା ପକ୍ଷରୁ ଆୟୋଜିତ ସୋଲାର ଏନର୍ଜୀ କନକ୍ଲେଭ ୨୦୨୦ ର ଭର୍ଚୁଆଲ୍ ଉଦ୍‌ଘାଟନୀ ଅବସରରେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି ।

ଅଟଳ ଇନକ୍ୟୁବେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗା ପ୍ରସାଦ ଗୌଡ ଏବଂ ଓସିଏଫ୍ ର ସଭାପତି ହୃଷୀକେଶ ବେହେରା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ, ଇଣ୍ଟରନ୍ୟାସନାଲ୍ ସୋଲାର ଆଲାଏନ୍ସର ମହାନିର୍ଦ୍ଦେଶକ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ, ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ, ପୂର୍ବତନ ପ୍ରଶାସନିକ  ଅଧିକାରୀ ମହେଶ୍ୱର ସାହୁ ଏବଂ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ସରୋଜ କୁମାର ନାୟକ ଉପସ୍ଥିତ ଥିଲେ । ଏଥିରେ ଇଣ୍ଡଷ୍ଟ୍ରି ପାଟନର ଥିଲା  ଓସିଏଫ୍ ।

ସୋଲାର ଏନର୍ଜୀ କନକ୍ଲେଭ ୨୦୨୦ ଉଘାଟନୀ ଅବସରରେ ଅକ୍ଷୟ ଶକ୍ତି ପାଇଁ ସାମଗ୍ରିକ ବିକାଶ – ନୀତି ଏବଂ ରଣନୀତି (Renewable energy for inclusive development- policies and strategies) ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଇଣ୍ଟରନ୍ୟାସନାଲ୍ ସୋଲାର ଆଲାଏନ୍ସର ମହାନିର୍ଦ୍ଦେଶକ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶାରେ କିପରି ଅକ୍ଷୟ ଶକ୍ତିର ବିକାଶ କରାଯାଇ ନିଯୁକ୍ତି ବୃଦ୍ଧି କରିବା ସ ଅକ୍ଷୟ ଶକ୍ତି ଓଡିଶାର ଘରେ ଘରେ କିପରି ପହଞ୍ଚିପାରିବ ସେ ନେଇ ଆଲୋଚନା କରିଥିଲେ ଅଟଳ ଇନକ୍ୟୁବେସନ ସେଣ୍ଟର ନାଳନ୍ଦାର ସହଭାଗିତାରେ ଓଡିଶାର ଅକ୍ଷୟ ଶକ୍ତି କ୍ଷେତ୍ରକୁ ବେଶ୍ ପ୍ରୋତ୍ସାହିତ କରିପାରିବ ବୋଲି ସେ ନିଜ ମନ୍ତବ୍ୟରେ କହିଥିଲେ ।

ଏହି ଅବସରରେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ କହିଥିଲେ ଯେ, ରାଜ୍ୟର ବିକାଶ ଏବଂ ଅଭିବୃଦ୍ଧି ପାଇଁ ଶକ୍ତି ହେଉଛି ପ୍ରମୁଖ ଉତ୍ସ । ସୌରଶକ୍ତି କ୍ଷେତ୍ରରେ ଆମ ରାଜ୍ୟର ଅନେକ ସମସ୍ୟା ଏବଂ ଆହ୍ୱାନ ରହିଛି, ଆମକୁ ପ୍ରଥମେ ସେ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ଯାହା ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମେ ଏହାକୁ ସାମ୍ନା କରି ପାରିବା । ସେହିପରି ପୂର୍ବତନ ପ୍ରଶାସନିକ ଅଧିକାରୀ ମହେଶ୍ୱର ସାହୁ କହିଥିଲେ ଯେ ଏବେ ଆମ ରାଜ୍ୟରେ ଷ୍ଟାର୍ଟ ଅପ୍ କ୍ଷେତ୍ରରେବେଶ୍ ପରିବର୍ତ୍ତନ ଦେଖାଯାଉଛି ଏବଂ ଉଦ୍ୟୋଗିତା କ୍ଷେତ୍ରରେ ଆଜିର ଯୁବଗୋଷ୍ଠୀଙ୍କ ମନୋଭାବରେ ପରିବର୍ତ୍ତନ ଦେଖାଦେଇଛି । ସୌରଶକ୍ତି କ୍ଷେତ୍ରରେ ଦେଖିବାକୁ ଗଲେ ଆମ ଦେଶରେ ବେଶ୍ ଅଗ୍ରଗତି ହୋଇଛି । 

ଓରେରାର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଥିଲେ ଯେ ଦେଶର ଅଭିବୃଦ୍ଧି ପାଇଁ ସୌରଶକ୍ତିର ଅସୀମ ସମ୍ଭାବନା ରହିଛି ଏବଂ ଏହା କୋଇଲା ଶକ୍ତିର ଉତ୍ତମ ବିକଳ୍ପ ହୋଇପାରିବ । ଆଇଆଇଟି ଭୁବନେଶ୍ୱରର କାର୍ଯ୍ୟତ ପ୍ରଫେସର ସରୋଜ ନାୟକ କହିଥିଲେ ଯେ ଆମକୁ ପ୍ରଥମେ ଅକ୍ଷୟଶକ୍ତି କ୍ଷେତ୍ରରେ ଥିବା ସମସ୍ୟାକୁ ଧ୍ୟାନ ଦେବା ଆବଶ୍ୟକ ଏବଂ ନାନୋଟେକ୍ନୋଲୋଜି ମାଧ୍ୟମରେ ଏକ ଉଦ୍ୟୋଗିତା ପରିସର ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ବର୍ତ୍ତମାନ ପରିସ୍ଥିତିରେ କମ୍ ବ୍ୟୟରେ ସୌର ପ୍ୟାନେଲ୍ ପ୍ରସ୍ତୁତ କରିଘରେ ଘରେ ସୌରଶକ୍ତି ଉତ୍ପାଦନ କରିବା ଆମ ପାଇଁ ହୋଇଛି ମୁଖ୍ୟ ଚ୍ୟାଲେଂଜ  ।

Leave A Reply

Your email address will not be published.