Latest Odisha News

BREAKING NEWS

ନିଶାମୁକ୍ତି ପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସ୍ଵେଚ୍ଛାସେବୀ ସଂଗଠନ ସହ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ଵର: ନିଶାମୁକ୍ତି ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପଦକ୍ଷେପ ସୁଦୃଢ଼ କରିଛି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଓ ବ୍ରହ୍ମପୁରରେ କାର୍ଯ୍ୟରତ ୫ଟି ସ୍ଵେଚ୍ଛାସେବୀ ସଂଗଠନ ନିଶାମୁକ୍ତି ନିମନ୍ତେ କାର୍ଯ୍ୟକ୍ରମକୁ ବ୍ୟାପକ କରିବେ । ନିଶା ନିବାରଣ କେନ୍ଦ୍ର ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ନିଶାମୁକ୍ତି ଅଭିଯାନରେ ସାମିଲ ହେବେ । ସେଥିପାଇଁ ବିଭାଗ ପକ୍ଷରୁ ‘ଦିଶା’ ଯୋଜନା ଅଧିନରେ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଭୁବନେଶ୍ୱରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନଃଥଇଥାନ ପ୍ରତିଷ୍ଠାନ ପରିସରରେ ନିକଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏହି ଅନୁଷ୍ଠାନଗୁଡ଼ିକ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ । ଶ୍ରୀ ସେଠୀ ଅନୁଷ୍ଠାନର କର୍ମକର୍ତ୍ତା ତଥା କେନ୍ଦ୍ର ପରିଚାଳକମାନଙ୍କୁ ସେବା ମନୋବୃତ୍ତି ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ସଚେତନତା ପ୍ରସାର, ନିଶାଡିମାନଙ୍କୁ ଚିହ୍ନଟ ସେମାନଙ୍କୁ ପରାମର୍ଶ ଓ ଚିକିତ୍ସା ତଥା ଥଇଥାନ ପାଇଁ ଅନୁଷ୍ଠାନଗୁଡ଼ିକ ନିଷ୍ଠାର ସହ ଉଦ୍ୟମ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ, ସୋନିଆ ବେହେରା ମଧୁମିତା ନାୟକ, ଦୀପକ ରାଉତରାୟ ତଥା ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ । ଭୁବନେଶ୍ୱରର ଫେଥ୍‌ ଚାରିଟେବୁଲ୍‌ ଟ୍ରଷ୍ଟ, ଖୋର୍ଦ୍ଧାର ମୁକ୍ତି ଫାଉଣ୍ଡେସନ୍‌, ବ୍ରହ୍ମପୁରର ପିପୁଲସ୍‌ ଫେରାମ୍‌, କଟକର ପିପୁଲସ୍‌ କଲଚରାଲ୍‌ ସେଣ୍ଟର ଓ ପୁରୀର ବେଦିକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚୁ୍ୟସନସ୍‌ ବିଭାଗ ପକ୍ଷରୁ ନିଶାମୁକ୍ତି ନିମନ୍ତେ ତିନିବର୍ଷ ପାଇଁ ଆର୍ଥିକ ସହାୟତା ପାଇବେ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ନିଶାମୁକ୍ତି କେନ୍ଦ୍ର ରହିଛି । ସାମାଜିକ ସୁରକ୍ଷା ବିଭାଗ ନିଶାମୁକ୍ତି କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ସ୍ଥିର କରି ନିଶାସକ୍ତମାନଙ୍କ ଯଥାର୍ଥ ପ୍ରତିଷେଧକ ଓ ସଂଶୋଧନପୂର୍ବକ ସାମଜିକ ସ୍ରୋତରେ ସଫଳ ଭାବରେ ସାମିଲ କରିବା ନିମନ୍ତେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ “ନିଶାମୁକ୍ତ ଭାରତ ଅଭିଯାନ” ରାଜ୍ୟ କମିଟି ବୈଠକରେ ନିଶା ସେବର ବିରୋଧରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.