ନୂଆଦିଲ୍ଲୀ: ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟକୁ ଖାଇ ଖାଇ ଯାଉଛି ମଣିଷ ପରିସ୍ରା! ଶୁଣିବାକୁ ଅଜବ ଆଉ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । ଯେଉଁ ଏଭରେଷ୍ଟକୁ ଛୁଇଁବା ପାଇଁ ଦୁନିଆର କୋଣ ଅନୁକୋଣରୁ ଲୋକେ ହଜାର ହଜାର କିଲୋମିଟର ଯାତ୍ରା କରୁଛନ୍ତି, ସେହି ମହାପର୍ବତ ଉପରେ ଏବେ ମଣିଷର ପାଦଚିହ୍ନ ହିଁ ପରିବେଶ ପାଇଁ ଚିନ୍ତାର କାରଣ ପାଲଟିଛି! ଏଭରେଷ୍ଟର ବରଫ ନଦୀ ଏବେ ମଣିଷର ଶାରୀରିକ ଉତ୍ତାପ ଯୋଗୁଁ ତରଳିବାରେ ଲାଗିଛି। ବିଶ୍ବର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ‘ଖୁମ୍ବୁ ଗ୍ଲାସିୟର’ ଧିରେ ଧିରେ ମରଣଯନ୍ତା ପାଲଟୁଛି ।
ତେବେ ସାଧାରଣତଃ ପରିବେଶରେ ପ୍ରଦୂଷଣ ବଢିଲେ, ଉତ୍ତାପ ବୃଦ୍ଧି ପାଏ, ଆଉ ବରଫ ତରଳେ, କିନ୍ତୁ ବୈଜ୍ଞାନିକମାନେ ଏଥର ବରଫ ତରଳିବାକୁ ନେଇ ଯେଉଁ କାରଣ ଦର୍ଶାଇଛନ୍ତି ତାହା ଆପଣଙ୍କ ହୋସ୍ ଉଡାଇଦେବ । ଏକ ନୂଆ ଅଧ୍ୟୟନ ଅନୁସାରେ, ଏଭରେଷ୍ଟ ବେସ୍ କ୍ୟାମ୍ପରେ ହେଉଥିବା ମାନବୀୟ କାର୍ଯ୍ୟକଳାପ ଖୁମ୍ବୁ ଗ୍ଲାସିୟର ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଏଠାରେ ପ୍ରତି ସିଜନରେ ପର୍ବତାରୋହୀ, ଟ୍ରେକର୍, ଗାଇଡ୍ ଓ ସହାୟକ କର୍ମଚାରୀଙ୍କ ଭିଡ଼ ଜମେ। ଆଉ ଏଭରେଷ୍ଟ ବେସ୍ କ୍ୟାମ୍ପରେ ପ୍ରତିଦିନ ଜମା ହେଉଥିବା ହଜାର ହଜାର ଲୋକଙ୍କ ପରିସ୍ରା, ସେଠାକାର ତାପମାତ୍ରାକୁ ନିଆଁ ଭଳି ଗରମ କରୁଛି।
ନେପାଳ ସରକାରଙ୍କ ସିନିୟର ସର୍ଭେ ଅଧିକାରୀ ଏବଂ ଅନ୍ତର୍ଜାତୀୟ ବୈଜ୍ଞାନିକମାନେ ଯେତେବେଳେ ୨୦୨୩ ବସନ୍ତ ଋତୁର ଡାଟା ଚେକ୍ କଲେ, ସେତେବେଳେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଗ୍ଲୋବାଲ ୱାର୍ମିଂ ଏବଂ କ୍ୟାମ୍ପିଂ ବେଳେ ଗ୍ୟାସ୍-ପେଟ୍ରୋଲ୍ ଜଳିବା ତ ଗୋଟିଏ ପଟେ ଥିଲା, କିନ୍ତୁ ଏହି ରିପୋର୍ଟରେ ମଣିଷର ପରିସ୍ରାରୁ ବାହାରୁଥିବା ଉତ୍ତାପକୁ ସବୁଠାରୁ ସାଙ୍ଘାତିକ ସ୍ଥାନୀୟ ଶତ୍ରୁ ବୋଲି କୁହାଯାଇଛି।
ତେବେ ମନରେ ପ୍ରଶ୍ନ ଆସୁଥିବ କେବଳ ପରିସ୍ରା ଆଉ ରୋଷେଇ ଗ୍ୟାସରେ କ’ଣ ଏତେ ବଡ଼ ବରଫ ପାହାଡ଼ ତରଳିପାରିବ? ତେବେ ଉତ୍ତର ଚମକାଇଦେବା ଭଳି, କାରଣ ରିପୋର୍ଟ ଅନୁସାରେ ୨୦୨୩ର ସେହି ସିଜନରେ ଏହି ସମସ୍ତ କାର୍ଯ୍ୟକଳାପରୁ ମୋଟ ପ୍ରାୟ ୮ ଲକ୍ଷ ୪୯ ହଜାର ମେଗାଜୁଲ୍ ଉତ୍ତାପ ଶକ୍ତି ନିର୍ଗତ ହୋଇଥିବା ଆକଳନ କରାଯାଇଛି। ଗବେଷକଙ୍କ ହିସାବରେ, ଏତିକି ଉତ୍ତାପ ପ୍ରାୟ ୨,୪୯୨ ଟନ୍ ବରଫ ଓ ତୁଷାର ତରଳାଇବାକୁ ସକ୍ଷମ। ଏଥିସହିତ ୨୦୨୩ର ବସନ୍ତ ଋତୁର ତଥ୍ୟ ବିଶ୍ଳେଷଣ କରି ଗବେଷକମାନେ ଏଠାରେ ବ୍ୟବହୃତ LPG, କିରୋସିନ୍ ଓ ପେଟ୍ରୋଲ୍, ରୋଷେଇ, ଗରମ ରଖିବା, ବିଦ୍ୟୁତ ଉତ୍ପାଦନ ଏବଂ ମାନବ ଶରୀରରୁ ନିର୍ଗତ ପରିସ୍ରାର ଉତ୍ତାପ ଭଳି ବିଭିନ୍ନ କାରକ ମିଶି ଏଭରେଷ୍ଟ ଉପରେ ଏକ ଅଦୃଶ୍ୟ ନିଆଁ ସଦୃଶ କାମ କରୁଛି ବୋଲି ଜାଣିବାକୁ ପାଇଛନ୍ତି।
ଖାଲି ସେତିକି ନୁହେଁ, ୧୯୯୧ରୁ ୨୦୨୩ ପର୍ଯ୍ୟନ୍ତ ୩୨ ବର୍ଷର ସାଟେଲାଇଟ୍ ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି। ବେସ୍ କ୍ୟାମ୍ପର ପୃଷ୍ଠ ତାପମାତ୍ରା ପ୍ରତିବର୍ଷ ପ୍ରାୟ ୦.୨୮ ଡିଗ୍ରୀ ସେଲସିୟସ୍ ବଢ଼ିଛି ଏବଂ ଏଠାର ଉଷ୍ମତା ବୃଦ୍ଧି ହାର ପାଖପାଖି ଖୁମ୍ବୁ ଗ୍ଲାସିୟର ତୁଳନାରେ ପ୍ରାୟ ଦୁଇଗୁଣ। ସବୁଠୁ ବଡ଼ ଚିନ୍ତା ହେଉଛି, ବେସ୍ କ୍ୟାମ୍ପ ଆଖପାଖ ଅଞ୍ଚଳ ତୁଳନାରେ ଏଠାରେ ଗରମ ହେବା ପ୍ରକ୍ରିୟା ବା ୱାର୍ମିଂ ରେଟ୍ ପ୍ରାୟ ଦୁଇ ଗୁଣ ଅଧିକ, ଯାହା ହିମାଳୟର ଭବିଷ୍ୟତ ପାଇଁ ବଡ଼ ବିପଦ ସଙ୍କେତ। ତେବେ ବର୍ତ୍ତମାନର ବେସ୍ କ୍ୟାମ୍ପ ନିଜେ ଗ୍ଲାସିୟର ବା ବରଫ ନଦୀ ଉପରେ ଅବସ୍ଥିତ। ଯାହାକୁ ବିଜ୍ଞାନ ଭାଷାରେ ସୁପ୍ରାଗ୍ଲାସିଆଲ୍ ସାଇଟ୍ କୁହାଯାଏ। ବରଫ ଦ୍ରୁତ ଗତିରେ ତରଳୁଥିବାରୁ ଏବେ ଏହି ଐତିହାସିକ ବେସ୍ କ୍ୟାମ୍ପକୁ ସେଠାରୁ ସମ୍ପୂର୍ଣ୍ଣ ଭାବେ ଉଠାଇଦେବା ପାଇଁ ବଡ଼ ପ୍ରସ୍ତୁତି ଚାଲିଛି।


Comments are closed.