ମୁମ୍ବାଇ: ‘ମୁଫାସା: ଦ ଲାୟନ କିଙ୍ଗ’ର ହିନ୍ଦୀ ଟ୍ରେଲର ରିଲିଜ ହୋଇ ସାରିଛି। ଶାହରୁଖ ଖାନ ଏବଂ ମହେଶ ବାବୁ ଯଥାକ୍ରମେ ଏହାର ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସ୍ୱର ପ୍ରଦାନ କରିଛନ୍ତି। ତେବେ ଦୁଇ ମିନିଟର ଏକ ଟ୍ରେଲରରେ ଅନାଥ ମୁଫାସା ଏବଂ ତାକା ସହିତ ତାର ବନ୍ଧୁତ୍ୱର ସୁନ୍ଦର ଆନିମେଟେଡ୍ କାହାଣୀ ଦର୍ଶାଯାଇଛି। ଏହି ଟ୍ରେଲରକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିପାରିଛି।
ଶାହରୁଖ ଖାନ ମୁଫାସାର ସ୍ୱର ଦେଇଥିବା ବେଳେ ତାଙ୍କ ପୁଅ ଆର୍ୟନ ଖାନ ସିମ୍ବା ଏବଂ ତାଙ୍କ ସାନ ପୁଅ ଅବରାମ ଖାନ ମଧ୍ୟ ମୁଫାସାର ବାଲ୍ଯ ବେଳର ଚରିତ୍ରରେ କଣ୍ଠଦାନ କରିଛନ୍ତି। ତେବେ ତେଲୁଗୁରେ ସୁପରଷ୍ଟାର ମହେଶ ବାବୁ ଏବଂ ତାମିଲରେ ମୁଫାସା ଭାବରେ ଅର୍ଜୁନ ଦାସ ନିଜ ନିଜର ସ୍ୱର ପ୍ରଦାନ କରିଛନ୍ତି।
ଏହାକୁ ନେଇ ଶାହରୁଖ ଖାନ କହିଛନ୍ତି ଯେ ‘ମୁଫାସା: ଦ ଲାୟନ କିଙ୍ଗ’ରେ ମୁଫାସାର ପିଲାଦିନରୁ ଆରମ୍ଭ କରି ଏକ ମହାନ ରାଜା ହେବା ପର୍ଯ୍ୟନ୍ତ କାହାଣୀକୁ ଦର୍ଶାଯାଇଛି। ତେବେ ଏହି ପ୍ରୋଜେକ୍ଟରେ ଡିଜନି ସହିତ କାମ କରିବା ମୋ ପାଇଁ ବହୁତ ସୌଭାଗ୍ଯର କଥା କାରଣ ଏଥିରେ ମୋ ପୁଅ ଆର୍ୟନ୍ ଏବଂ ଅବରାମ ଦୁଇଜଣଙ୍କ ସହ କାମ କରିପାରିଛି।
ଏହା ବ୍ୟତୀତ ସଞ୍ଜୟ ମିଶ୍ର ପୁମ୍ବା ଚରିତ୍ର ଓ ଶ୍ରେୟସ୍ ତଲପଡେ ଟିମନ୍ ପାଇଁ ସ୍ୱର ପ୍ରଦାନ କରିଛନ୍ତି। ଆହୁରି ମଧ୍ଯ ମକରନ୍ଦ ଦେଶପାଣ୍ଡେ ଏବଂ ମେୟାଙ୍ଗ ଚାଙ୍ଗ୍ ଯଥାକ୍ରମେ ରାଫିକି ଏବଂ ତାକା ପାଇଁ ନିଜ ନିଜର ସ୍ୱର ପ୍ରଦାନ କରିଛନ୍ତି।