Latest Odisha News

BREAKING NEWS

ଜାଣନ୍ତୁ କେଉଁ ଅଫିସରମାନେ କରିଥିଲେ କ୍ରୁଜ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍‌

ମୁମ୍ବାଇ: ଗତ ଶନିବାର ଦିନ ଗୋଆ ଯାଉଥିବା ଏକ କ୍ରୁଜ (ବିଳାଶମୟ ବୋଟ୍‌) ଉପରେ ଛାପା ମାରି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍ କରିଥିଲା । ଏହି ମାମଲାରେ କିଙ୍ଗଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୯ରୁ ଅଧିକ ଗିରଫଦାରୀ ହୋଇଛି । ଏହି ହାଇପ୍ରୋଫାଇଲ୍ ମାମଲା ସାମ୍ନାକୁ ଆସିବା ପରେ ସମସ୍ତ ଅପରେସନ ପଛରେ ଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବା ଲାଗି ଲୋକଙ୍କ ନିକଟରେ ଉତ୍କଣ୍ଠା ବଢିବାରେ ଲାଗିଛି । କ୍ରୁଜ ଡ୍ରଗ୍ସ ରେଡ୍ ଅପରସେନ ପଛରେ ଏନ୍‌ସିବିର ତିନିଜଣ ଟାଣୁଆ ଅଫିସର ମୁଖ୍ୟ ଭୂମିକା ତୁଲାଇଥିଲେ । ନିକଟରେ ଏହି ତିନି ଅଫିସରଙ୍କ ନାଁ ସାମ୍ନାକୁ ଆସିଛି । ହେଲେ ଅତୀତରେ ସେମାନେ ଡ୍ରଗ୍ସ ମାମଲା ସହ ଜଡିତ ଅନେକ ବଡବଡ କାରନାମା କରିଦେଇଖାଇଛନ୍ତି ।

ବିଶ୍ୱ ବିଜୟ ସିଂ (ସୁପରିଟେଣ୍ଡେଣ୍ଟ, ମୁମ୍ବାଇ ଏନ୍‌ସିବି): ଲକ୍ଷ୍ନୌର ଏହି ଅଫସର ପ୍ରଥମେ ଆର୍ଯ୍ୟନଙ୍କୁ ଗିରଫ କରିବା ସହ କାଗଜରେ ତାଙ୍କ ଗିରଫଦାରୀ ଘଟଣା ଦାଖଲ କରିଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବି ସେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ । ରିୟାଙ୍କୁ ବାଦ୍ ଦେଲେ ତାଙ୍କ ଭାଇ ସୌଭିକ ଓ ଅଭିନେତା ଅର୍ଜୁନ ରାମପାଲଙକୁ ମଧ୍ୟ ବିଶ୍ୱ ବିଜୟ ସିଂ ପଚରାଉଚରା କରିଥିଲେ । ୧୦ ବର୍ଷ ଧରି ଏନସିବି ସହ ଜଡିତ ରହି ବିଶ୍ୱ ବିଜୟ ସିଂ ୨୦୧୮ରେ ବଡ ଧରଣର ହେରୋଇନ ଜବତ କରିବା ସହ ବେଷ୍ଟ ଅପରେସନ୍ ଅଫିସରର ସମ୍ମାନ ହାସଲ କରିଥିଲେ ।

ଆଶିଷ ରାଜନ ପ୍ରସାଦ (ଇଣ୍ଟେଲିଜେନ୍ସ ଅଫିସର): କ୍ରୁଜ୍ ଉପରେ ଚଢାଉ ସମୟରେ ଆଶିଷ ମଧ୍ୟ ଉପସ୍ଥିତ ରହି ଡ୍ରଗ୍ସ ଜବତ କରିଥିଲେ । ପୂର୍ବରୁ ଆଶିଷ ସିଆଇଏସଏଫ୍‌ର ଇଣ୍ଟେଲିଜେନ୍ସ ୟୁନିଟ୍‌ରେ କାମ କରିସାରିଛନ୍ତି । ମିନିଷ୍ଟର ସର୍ଭିସେସ୍ ମେଡାଲ୍‌ରେ ବି ତାଙ୍କୁ ସମ୍ମାନିତ କରାଯାଇଛି । ୨୦୧୭ରୁ ଆଶିଷ ଡେପୁଟେସନରେ ଏନ୍‌ସିବି ସହ ଜଡିତ ଅଛନ୍ତି । ଇଣ୍ଟେଲିଜେନ୍ସ କଲେକ୍ସନରେ ଆଶିଷ ବେଶ ପାରଙ୍ଗମ ।

ସମୀର ୱଙ୍ଖେଡେ (ଜୋନାଲ ଡାଇରେକ୍ଟର, ମୁମ୍ବାଇ ଏନ୍‌ସିବି) : ବୋଧ ହୁଏ ଏନ୍‌ସିବି ଜୋନାଲ ଡାଇରକ୍ଟର ସମୀରଙ୍କ ନାଁ ଖୁବ ଶୀଘ୍ର କୌଣସି ରେକର୍ଡ ବୁକରେ ସ୍ଥାନ ପାଇବ । ବିଗତ ଗୋଟିଏ ବର୍ଷ ଧରି ଏମିତି କୌଣସି ଗୋଟିଏ ଦିନ ନାହିଁ, ଯେବେ ସେ କେଉଁଠି ଡ୍ରଗ୍ସ ମାମଲାର ପର୍ଦ୍ଦଫାସ କରିନଥିବେ । ବଲିଉଡ ଡ୍ରଗ୍ସ କନେକ୍ସନ ମାମଲାରେ ଦାଉଦ ଇବ୍ରାହିମର ଅନେକ ଲୋକଙ୍କୁ ସେ ଖୋଦ ନିଜେ ଗିରଫ କରିଛନ୍ତି । ପୂର୍ବରୁ ଡ୍ରଗ୍ସ ମାମଲାରେ ସାରା ଅଲ୍ଲି ଖାନ ଓ ଶ୍ରଦ୍ଧା କାପୁରଙ୍କୁ ସେ ପଚରାଉଚରା କରିଥିଲେ । ଏବେ ସେ ଆର୍ଯ୍ୟନଙ୍କ ସହ ପଚରାଉଚରା ଚଳାଇଛନ୍ତି । ପୂର୍ବରୁ ରେଭେନ୍ୟୁ ବିଭାଗରେ କାର୍ଯ୍ୟରତ ଥିବା ସମୀରଙ୍କ ବାପା ମୁମ୍ବାଇ ପୋଲିସରେ କାର୍ଯ୍ୟରତ ଥିଲେ ।

Leave A Reply

Your email address will not be published.