Latest Odisha News

BREAKING NEWS

‘ମୋ ଜୀବନର କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ’

ମୁମ୍ବାଇ: ‘ମୋ ଜୀବନର କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ’… ଏହା ଆମେ କହୁନୁ, ଏହା କହିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଶେହନାଜ ଗିଲ୍। ‘ବିଗ୍ ବସ୍-13’ ରୁ ଘରେ ଘରେ ପରିଚିତ ହୋଇଥିବା ଶେହନାଜ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଇଶ୍କନାମା’ (Ishqnama) କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଜୀବନ, ପ୍ରେମ ଓ ଅଭିନୟକୁ ନେଇ ସେ ଅନେକ କିଛି ଖୋଲାଖୋଲି କଥା ହୋଇଛନ୍ତି।

ଏକ ସାକ୍ଷାତକାର ସମୟରେ ଶେହନାଜଙ୍କୁ ପଚାରାଯାଇଥିଲା – “ଯଦି ଆପଣଙ୍କ ଜୀବନ ଉପରେ କୌଣସି ‘ଇଶ୍କନାମା’ ଲେଖାଯାଏ, ତେବେ ତାର ଶୀର୍ଷକ କଣ ହେବ ?” ଏହାର ଉତ୍ତରରେ ଶେହନାଜ କହିଥିଲେ ଯେ, ସେ ଏବେ ଏହାର ନାମ କହିବାକୁ ଚାହୁଁନାହାନ୍ତି। ଯେତେବେଳେ ତାଙ୍କ ଜୀବନ ଉପରେ କୌଣସି ଫିଲ୍ମ ତିଆରି ହେବ, ସେ ନିଜେ ସେହି କାହାଣୀ ଓ ତାର ଶୀର୍ଷକ ଦୁନିଆ ଆଗରେ ରଖିବେ।

ଏହା ସହିତ ଫିଲ୍ମରେ ନିଜ ଅଭିନୟ ବିଷୟରେ ଶେହନାଜ କହିଛନ୍ତି ଯେ, କୌଣସି ସତ୍ୟ ଘଟଣା କିମ୍ବା ବାସ୍ତବିକ କାହାଣୀ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବା ଗୋଟିଏ ବଡ଼ ଦାୟିତ୍ୱ। ଏଭଳି ଚରିତ୍ର ସହିତ ନ୍ୟାୟ କରିବା ଜଣେ କଳାକାରର କର୍ତ୍ତବ୍ୟ ଓ ସେ ଏହି ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବାକୁ ଚେଷ୍ଟା କରିଛନ୍ତି। ଶେହନାଜ ଆଶା କରିଛନ୍ତି ଯେ, ‘ଇଶ୍କନାମା’ରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ। ସେ ନିଜ ଭାବନାକୁ ପୂରା ନିଖୁଣ ଭାବେ ପରଦାରେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି।

ଶେହନାଜ ଗିଲଙ୍କ ଆଗାମୀ ଫିଲ୍ମ ‘ଇଶ୍କନାମା’ ୧୯୮୦ ଦଶକର ଏକ ସତ୍ୟ ପ୍ରେମ କାହାଣୀ ଉପରେ ଆଧାରିତ। ୧୯୮୧ ରୁ ୧୯୮୮ ମସିହା ମଧ୍ୟରେ ଭାରତ-ପାକିସ୍ତାନ ସୀମା ପୃଷ୍ଠଭୂମିରେ ଏହି କାହାଣୀ ଗଢ଼ି ଉଠିଛି। ଏଥିରେ ‘ନିମ୍ମା’ ଓ ‘ନସୀମା’ଙ୍କ ସମ୍ପର୍କ ମାଧ୍ୟମରେ ସେହି ସମୟର ପ୍ରେମ, ବିଚ୍ଛେଦ ଓ ମାନବୀୟ ସମ୍ପର୍କର ଗଭୀରତାକୁ ଦେଖାଯାଇଛି। ଶେହନାଜଙ୍କ ଏହି ନୂଆ ରୂପ ଓ ‘ଇଶ୍କନାମା’ର ଏହି ସମ୍ବେଦନଶୀଳ କାହାଣୀ ଦର୍ଶକଙ୍କ ମନକୁ କେତେ ଛୁଇଁପାରୁଛି, ତାହା ତ ଫିଲ୍ମ ରିଲିଜ୍ ହେଲା ପରେ ହିଁ ଜଣାପଡ଼ିବ।

Comments are closed.