Latest Odisha News

ନାଁରେ କଣ ଅଛି?

ନାଁରେ କଣ ଅଛି?

ଜ୍ୟୋତି ପ୍ରକାଶ ମହାପାତ୍ର

ନାମ ବଦଳା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ଷ୍ଟେସନଠାରୁ ଆରମ୍ଭ କରି ସହରର ନାଁ ଗୁଡ଼ିକ ଯୋଗୀ ବଦଳାଇ ଦେଇଛନ୍ତି । ଏପରିକି ମୁଗଲସରାଇ ଭାବେ ପ୍ରସିଦ୍ଧ ରେଳ ଜଙ୍କସନର ନାଁ ଆଦି ସବୁ ସେ ବଦଳ କରିଛନ୍ତି । ନୂଆ ନାଁ ଯୋଡ଼ିଛନ୍ତି । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଛି । କିଏ ଏହା ସପକ୍ଷରେ କହିଛି । କିଏ ଏହା ବିପକ୍ଷରେ କହିଛି ।

ଏବେ ଓଡ଼ିଶାରେ ସେଇ ଘଟଣା ଦେଖିବାକୁ ମିଳିଛି । ଓଡ଼ିଶା ସଚିବାଳୟର ନାଁ ବଦଳି ଯିବ । ଏହା ‘ଲୋକସେବା ଭବନ’ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଓ ଲୋକଙ୍କ ସେବା ପାଇଁ ରାଜ୍ୟ ସଚିବାଳୟ କାମ କରିବ ବୋଲି ଏଥିରୁ ଜଣାପଡ଼ୁଛି । ଯାହା ବାସ୍ତବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ୧୯୫୯ ନଭେମ୍ବର ୨ ତାରିଖରେ ରାଜ୍ୟ ସଚବାଳୟ ତକ୍ରାଳୀନ ଗୃହମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ।

ତେବେ ଏହା ସତରେ କେତେଦୂର କାର୍ଯ୍ୟକାରୀ ହୋଇପାରିବ ? କେତେ ଦୂର ଏହା ଲୋକଙ୍କ କାମରେ ଆସି ପାରିବ- ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନବାଚୀ । ସାଧାରଣ ଲୋକଟେ ଦରଖାସ୍ତ ଖଣ୍ଡେ ଧରି ରାଜ୍ୟ ସଚିବାଳୟ ବା ଲୋକସେବା ଭବନ ଭିତରକୁ ପଶି ପାରିବ କି? ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାର କି ମୋଟୁ ଇଲାକାରୁ ରାତି ରାତି ଧରି ବସରେ ବସି ଅଧାଖିଆ ହୋଇ ଯେତେବେଳେ ସେ ନିଜର ଅଭିଯୋଗ ବା ନିଜର ଗୁହାରୀ (ଯଦିଓ ଏ ଶବ୍ଦଟି ଏତେ ପସନ୍ଦ ନୁହେଁ) ନେଇ ଭୁବନେଶ୍ୱର ଆସିବ, ସେ କେବେ ରାଜ୍ୟ ଲୋକସେବା ଭବନକୁ ଯାଇ ସେହି କାମ ବୁଝୁଥିବା ଅଧିକାରୀଙ୍କୁ ଭେଟି ପାରିବ କି? ଭେଟିବାର ସାହାସ ନେଇ ତ ସେ ଛଅ ଶହ କି ଅଧିକ କିଲୋମିଟର ଦୂରରୁ ଆସିଥିବ, କିନ୍ତୁ ଥରେ ଭୁବନେଶ୍ୱରରେ ପହଞ୍ଚି ଏଡେ଼ ବଡ଼ ଲୋକସେବା ଭବନ ଭିତରେ କୁଆଡେ଼ ଯିବ କେବେ ଜାଣି ପାରିବ କି ?

ରାଜ୍ୟ ସଚିବାଳୟ ସବୁଦିନେ ଲୋକଙ୍କଠାରୁ ଅପହଞ୍ଚ ଦୂରତାରେ ରହି ଆସିଛି । ସାଧାରଣ ମଣିଷ, ନିହାତି ଗରିବ ମଣିଷଟେ ତା’ ସମସ୍ୟା ଧରି କେବେ ବି ସଚିବାଳୟ ଭିତରକୁ ପଶି ପାରିବା କାଠିକର ପାଠ । ଯଦି ପଶିଲା, ସେ ସରକାରୀ ବାବୁମାନଙ୍କୁ ଦେଖା କରିବା ଆହୁରି କଷ୍ଟକର । ଅସମ୍ଭବ କହିଲେ ଚଳିବ । ସଚିବାଳୟରେ ଆଜିକାଲି ସୁରକ୍ଷା ବ୍ୟବସ୍ଥାକୁ ଯେମିତି କଡ଼ାକଡ଼ି କରି ଦିଆଯାଇଛି, ସେଥିରେ ବିନା ପାସରେ ମଣିଷଟେ ପଶି ପାରିବ ନାହିଁ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ଦରକାର । କିନ୍ତୁ ଲୋକଙ୍କ ପାଇଁ ସେହି ଅନୁସାରେ ବ୍ୟବସ୍ଥା ବି ହେବା ଆବଶ୍ୟକ । ସଚିବାଳୟ ଅଭ୍ୟର୍ଥନା ପ୍ରକୋଷ୍ଠ ଯେଉଁଠୁ ପାସ ମିଳେ, ସେଠୁ ପାସ ହାସଲ କରିବା ଆଦୌ ସହଜ ନୁହେଁ । ଚିହ୍ନା ପରିଚିତି, ଯୋଉ ବିଭାଗକୁ ଯିବ- ସେ ବିଭାଗରେ ଚିହ୍ନା ଅଧିକାରୀ- ଏମିତି କାହିଁରେ କେତେ ଆଦବକାଇଦା ଦେଇ ଯିବାକୁ ପଡ଼ିବ । ଯିଏ କଳାହାଣ୍ଡିର ଥୁଆମୂଳ ରାମପୁରରୁ ଆସିଥିବ- ତା ପାସ ପାଇଁ କୋଉ ଅଧିକାରୀ ସୁପାରିଶ କରିବ ? ପାସ ପାଇଲେ ତ ସିଏ ଭିତରକୁ ପଶିବ ।

ତା’ପରେ ଯଦି ପଶିଗଲା- ସେ କେବେ ବି ବିଭାଗୀୟ ସଚିବମାନଙ୍କୁ ଭେଟି ପାରିବ ନାହିଁ । ସଚିବଙ୍କୁ ଭେଟିବା ଜମା ସହଜ ନୁହେଁ । ଅଧିକାଂଶ ସମୟରେ ନାଲି ଆଲୁଅ ଜଳୁଥିବ । ମାନେ ମିଟିଂ ଚାଲିଛି । ତାଙ୍କ ଅଫିସ ଆଗରେ ଛିଡ଼ା ହୋଇଥିବା ପିଅନ ପାନ ଖାଇ ଏମିତି ବ୍ୟବହାର କରିବ ଯେ ସେଠି ଛିଡ଼ା ହେବା ପାଇଁ ଲାଜ ମାଡ଼ିବ । ସଚିବଙ୍କ ବ୍ୟକ୍ତିଗତ ସହାୟକ କେବେ ହେଲେ କହିବେ ନାହିଁ- ଏଇଠି ବସ । ଜାଗା ଫାଙ୍କା ଅଛି । (ବସନ୍ତୁ ବୋଲି କହିବା ତାଙ୍କ ଅଭିଧାନରେ ନାହିଁ) । ସେମିତି ଛିଡ଼ା ହେବେ ସଚିବଙ୍କ ପ୍ରକୋଷ୍ଠ ସାମ୍ନାରେ । ଜଣେ ଜଣେ ଅଧିକାରୀ ଆସୁଥିବେ, ଭିତରକୁ ପଶୁଥିବେ, ଗପୁଥିବେ । ଯାଉଥିବେ । ପୁଣି ବିଶିଷ୍ଟ ବ୍ୟକ୍ତିମାନେ ଆସୁଥିବେ । ପ୍ରଭାବଶାଳୀ ବ୍ୟକ୍ତି ଆସୁଥିବେ । ତେଣୁ ଥୁଆମୂଳ ରାମପୁରର ମଣିଷର ଚିରକୁଟି ସେମିତି ଧରି ସଚିବଙ୍କ ପିଅନ ଦାନ୍ତ ନେଫେଡ଼ାଉ ଥିବ । କେବେ ବି ଦେବନି ନେଇ ଭିତରେ । ଦେଲେ ବି ଡାକରା ଆସିବ ବୋଲି ଭାବିବା ଠିକ ନୁହେଁ ।

ପରେ ଲଞ୍ଚ ବ୍ରେକ ହେବ । ମୋବାଇଲରେ ଆସ୍ତେ ଆସ୍ତେ କଥା କହି ସଚିବ ଯାଇ ନିଜ ଗାଡ଼ିରେ ବସିଯିବେ । ଆଗରୁ ଜଣେ କିଏ ଯାଇ ଗାଡ଼ି ପାଖରେ ଛିଡ଼ା ହୋଇଥିବ । ଗାଡ଼ି ଏସି ଅନ ଥିବ । ସେ କୁଆଡେ଼ ନ ଅନେଇ ଗାଡ଼ିରେ ବସି ଖାଇବାକୁ ଗଲେ । ଏଥର ସେ ଲୋକ ପୁଣି ପିଅନକୁ ପଚାରିବ- ବାବୁ କେତେବେଳେ ଆସିବେ କି?

ଉତ୍ତର ଆସିବ- ସିମିତି କହି ହେବନି । ଅପେକ୍ଷା କରୁନ ।

ପୁଣି ପ୍ରଶ୍ନ ହେବ- ତଥାପି ? ମୋର ବସ ଅଛି ସଂଜକୁ ।

ପିଅନ ଉତ୍ତର ଦେବ- ବସ ଅଛି ଯଦି ଯା’ ପଳା ।

ସଂଜ ବସରେ ପୁଣି ଛଅ ଶହ କିଲୋମିଟର ସେ ଲୋକ ଫେରିବ ।

ସଚିବ ତ ସଚିବ ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ-ସଚିବ କେବେ ତାଙ୍କ ସାମ୍ନାରେ ସାଧାରଣ ମେହେନତି ମଣିଷଙ୍କୁ ଚଉକିଟେ ଦେଇ ବସିବା ପାଇଁ କହିବା- ବି କ୍ୱଚିତ ଦେଖିବାକୁ ମିଳେ । ଚିରୁକୁଟି ପାଇଲେ ତ ଅନାନ୍ତି ନାହିଁ । ତାଙ୍କୁ ଲାଗେ- ଏ ଅଦରକାରୀ ମଣିଷ ଗୁଡ଼ାକ ଏଡେ଼ ବଡ଼ ସମ୍ଭ୍ରାନ୍ତ ପ୍ରାସାଦ ଭିତରକୁ କେମିତି ପଶି ଆସିଲେ ! ଅବଶ୍ୟ କିଛି ଜଣ ବ୍ୟତିକ୍ରମ ଅଛନ୍ତି ନିଶ୍ଚିତ ।

ଆଗରୁ ଶନିବାର ଦିନ ଅଭିଯୋଗ ଶୁଣାଣି ଦିନ ଥିଲା । ପରେ ତାକୁ ସୋମବାର କରାଗଲା । ଅଭିଯୋଗ ଶୁଣାଣି ସତରେ କେତେ ସମୟ ଚାଲୁଛି ? ଅଭିଯୋଗ ନେଇ ଯାଇଥିବା ଲୋକକୁ ପାସ ଖଣ୍ଡେ ପାଇବା ପାଇଁ କେତେ ବାଟ ଦଉଡ଼ିବାକୁ ପଡ଼ୁଛି ? ଏକଥା କେହି କେବେ ଭାବିଛି ।

ଏମିତି ବି ହୋଇପାରନ୍ତା । ଯୋଇଠିକୁ ପଶିବା ପାଇଁ ପାସ୍‍ ଦରକାର ନାହିଁ, ସେଠି ଆସି ସଚିବ ଅଭିଯୋଗ ଶୁଣାଣି କରି ପାରନ୍ତେ । ଯେମିତି ଗଣଶିକ୍ଷା ବିଭାଗର ଓପେପା ଭବନରେ । ଉଚ୍ଚଶିକ୍ଷା ବିଭାଗର ପୁସ୍ତକ ଭବନରେ । ପଞ୍ଚାୟତିରାଜ ବିଭାଗର ଏସଆଇଆରଡ଼ିରେ । ଫଳରେ ଲୋକେ ସହଜରେ ଭେଟି ପାରନ୍ତେ । ସେମିତି ହେଉଛି କି?

ତାପରେ ସଚିବାଳୟରେ ଅନେକ ବିଭାଗ ଅଛି । ଗୋଟେ ଗୋଟେ ବିଭାଗ ପାଞ୍ଚ ପାଞ୍ଚଟା ଜାଗାରେ ଅଛି । ସଚିବାଳୟ ବେଶ ବଡ଼ । ବ୍ୟାପକ । ସେଠି ମଳିମୁଣ୍ଡିଆ ମଣିଷଟେ ପଶିଲେ ତ ହଜିଯିବ । କାବା ହୋଇଯିବ । ସେ କୋଉଠୁ ଖୋଜି ପାଇବ, ଯାହାଙ୍କ ପାଖରେ ତା’ କାମ ଅଛି- ସିଏ କୋଉଠି ବସୁଛନ୍ତି?

ତେଣୁ ଏସବୁ ଲେଖି ମ୍ୟାପ୍‍ କରି, ଫୋନ ନମ୍ବର ଓ ମୋବାଇଲ ନମ୍ବର ଦ୍ୱାରା ସୂଚେଇ ଦେବା ଦରକାର । କିନ୍ତୁ ବାବୁମାନେ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର କାହାକୁ ଦିଅନ୍ତିନି । ଯଦି ବି ପାଇଲେ, ତେବେ ଅଜଣା ନମ୍ବରରୁ କଲ ଗଲେ, ସେମାନେ ଉଠାନ୍ତି ନାହିଁ ସାଧାରଣତଃ ।

ମନେ କରନ୍ତୁ- ମନ୍ତ୍ରୀଙ୍କ ପାଖକୁ ଯିବେ ଦେଖା କରିବାକୁ । ସବୁ ମନ୍ତ୍ରୀ ବି ସଚିବାଳୟରେ ବସନ୍ତି । ତାଙ୍କ ଅଫିସ ସେଇଠି । ତାଙ୍କ ସାମ୍ନା ଦୁଆର ସବୁବେଳେ ଭିତରୁ ବନ୍ଦ ହୋଇଥିବ । ମାନେ କେହି ସିଧାସଳଖ ଭିତରକୁ ପଶି ପାରିବ ନାହିଁ । ଯଦିଓ ମନ୍ତ୍ରୀଙ୍କ ଅଗଣାରେ ଆଜିକାଲି ବେଶ କଡ଼ା ସୁରକ୍ଷାବ୍ୟବସ୍ଥା ରହୁଛି । ତେଣୁ ମନ୍ତ୍ରୀଙ୍କ କିରାଣୀ, ଷ୍ଟେନୋ, ବ୍ୟକ୍ତିଗତ ସଚିବ ବସୁଥିବା ଘର ଦେଇ ଆପଣ ପଶିବେ । ସେମାନେ କେହି ଅନେଇବେ ନାହିଁ । ଯଦି ବି ଅନେଇଲେ ଏମିତି ଦୃଷ୍ଟିରେ ଚାହିଁବେ, ଲାଗିବ- ଏଠିକି ଆସିବା ବୋଧେ ଭୁଲ ହୋଇଗଲା । ମନେ କରନ୍ତୁ ମନ୍ତ୍ରୀଙ୍କ ପାଖକୁ ଯିବାକୁ ଆପଣଙ୍କୁ ସୁବିଧା ମିଳିଗଲା ଓ ଆପଣ ଗଲେ- ଦେଖିବେ ସେଠି ସବୁ ସମୟରେ ବିଧାୟକ, ପୁରୁଣା ବିଧାୟକ, ପୂର୍ବତନ ବିଧାୟକ, ତାଙ୍କ ନିର୍ବାଚନମଣ୍ଡଳୀର ବ୍ଲକ ଅଧ୍ୟକ୍ଷ ସେଠି ଆଡ୍ଡା ଜମେଇ ଥିବେ । ସେମାନେ ପୁଣି ପାଟ ପଟୁଆର ନେଇ ଆସିଥିବେ । ଫଳରେ ସାଧାରଣ ମେହେନତି ମଣିଷଟେ ଦରଖାସ୍ତ ଖଣ୍ଡକ ଧରି ସେଇଠି ଛିଡ଼ା ହେବ । ଯଦିଓ ଆମେ ବାରବାର କହି ଆସିଛୁ- ଗଣତନ୍ତ୍ରରେ ଲୋକେ ହିଁ ଶାସନକର୍ତ୍ତା । ଦରଖାସ୍ତ ପାଇଲା ପରେ ଉତ୍ତର ଆସିବ- ପିଏସ୍‍ଙ୍କୁ ଦେଇ ଦିଅନ୍ତୁ । ମୁଁ ଦେଖିବି ।

ଏତିକିରେ ସାକ୍ଷାତ ସରିଲା ।

ତେଣୁ ନାଁ ବଦଳେଇ ଦେଲେ କଣ ହେବ ? କାମ କରିବାର ଶୈଳୀ ବଦଳି ପାରିବ କି ? ଲୋକଙ୍କ ପାଇଁ କାମ କରିବାକୁ ବାବୁମାନେ ଚାକିରି ପାଇଛନ୍ତି ବୋଲି ତାଙ୍କ ମାନସିକତାରେ କେବେ ଏମିତି ଚିନ୍ତା ଆସିବ କି? ସେମାନେ କେବେ ସେଇ ଅନୁସାରେ କାମ କରିବେ କି? ଲୋକ ପ୍ରତିନିଧିମାନେ କେବେ ସତରେ ଭାବିବେ କି ଲୋକଙ୍କ ପାଇଁ ଜିତି ଲୋକଙ୍କ କାମ କରିବାକୁ ସେମାନେ ଆସିଛନ୍ତି?

ଏତିକି ଚିନ୍ତାଧାରା ବଦଳି ଗଲେ, ଆଉ କିଛି ବଦଳାଇବା ଦରକାର ପଡ଼ନ୍ତା ନାହିଁ ।

Leave A Reply

Your email address will not be published.