Latest Odisha News

ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ

ପୁରୀ: କରୋନା ଥମିଗଲା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଦୀର୍ଘ ଦୁଇ ବର୍ଷ ପରେ ବଡ଼ ଦାଣ୍ଡକୁ ଆସିବେ ମହାପ୍ରଭୁ । ଏବେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମହାପ୍ରଭୁଙ୍କ ନବଯୌବନ ବେଶ ଦେଖି ଆତ୍ମହରା ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ଅଣସର ପରେ ମହାବାହୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ।

ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସେପଟେ ରଥଯାତ୍ରା ପାଇଁ ପ୍ରଶାସନ କରିଛି ସ୍ବତନ୍ତ୍ର ପ୍ରସ୍ତୁତି । ଆତଙ୍କବାଦୀ ମୁକାବିଲା ପାଇଁ ହୋଇଛି ମକଡ୍ରିଲ୍ ।

କରୋନା ପାଇଁ ଦୁଇବର୍ଷ ଧରି ବଞ୍ଚିତ ଥିବା ଭକ୍ତଙ୍କୁ ମିଳିଛି ଭକ୍ତିର ଆଶ୍ବସ୍ତି । ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ପାଇଁ ଭୋରୁ ଜମିଥିଲା ଅସମ୍ଭାଳ ଭିଡ଼ । ୭ଟା ୧୫ରୁ ପରିମାଣିକ ଦର୍ଶନ ପରେ ସର୍ବସାଧାରଣଙ୍କୁ ମିଳିଥିଲା ଦର୍ଶନ ଅନୁମତି । ୧୦ଟା ୧୦ ପର୍ଯ୍ୟନ୍ତ ନବଯୌବନ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ ।

ସେବାୟତଙ୍କ ସହଯୋଗ ଓ ସମନ୍ବୟ ଯୋଗୁ ସଅଳ ହୋଇଥିଲା ନୀତିକାନ୍ତି । ସିଂହଦ୍ବାର ଦେଇ ପ୍ରବେଶ କରିଥିଲେ ଶ୍ରଦ୍ଧାଳୁ । ଅନ୍ୟ ୩ ଦ୍ବାରରେ ହୋଇଥିଲା ପ୍ରସ୍ଥାନ ବ୍ୟବସ୍ଥା । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ କରିଥିଲେ ବ୍ୟାପକ ପ୍ରସ୍ତୁତି । ଭକ୍ତଙ୍କ ସମାଗମ ପାଇଁ ବ୍ୟାରିକେଡକୁ ବଢାଯିବା ସହିତ ସ୍ଥିତି ଉପରେ କଡ଼ା ନଜର ରଖିଥିଲେ ବରିଷ୍ଠ ଅଧିକାରୀ ।

ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ କରାଯାଇଥିଲା ସମସ୍ତ ପ୍ରକାର ବନ୍ଦୋବସ୍ତ ।  କାଲି ଅର୍ଥାତ ଗୁରୁବାର ଉଭା ଯାତ୍ରା । ତାପର ଦିନ ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହି ସମୟରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପ୍ରତି ସଜାଗ ଅଛି ପ୍ରଶାସନ । ଆତଙ୍କବାଦ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି ସ୍ବତନ୍ତ୍ର ଟିମ୍ ।

Leave A Reply

Your email address will not be published.