Latest Odisha News

BREAKING NEWS

ଖାଇଗଲେ ପିଡ଼ିଏସ ଚାଉଳ, ବାବୁଙ୍କ ଦରମା ବନ୍ଦ କଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବଡ଼ ଧରଣର ପିଡ଼ିଏସ ଚାଉଳ ଘୋଟାଲା । ୬ ଟି ପଞ୍ଚାୟତର ୯ ହଜାରରୁ ଉର୍ଦ୍ଧ୍ୱ ଗରୀବ ହିତାଧିକାରୀଙ୍କ ହଜାର ହଜାର କୁଇଣ୍ଟାଲ ମାଗଣା ପିଡ଼ିଏସ ଚାଉଳକୁ ବାଣ୍ଟିକୁଣ୍ଟି ଖାଇଗଲେ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ବାବୁ ମାନେ । କିନ୍ତୁ ଏବେ ନିଦ ଭାଙ୍ଗିଲା ଜିଲ୍ଲା ପ୍ରଶାସନର । ଆଉ ଏବେ ନିଆଗଲା ଦୁର୍ନୀତି ବିରୋଧି ଆକ୍ସନ । ୬ ଟି ପଞ୍ଚାୟତର ପିଇଓ, ଯୋଗାଣ ସହାୟକଙ୍କ ସହ ବ୍ଲକ ଯୋଗାଣ ଅଧିକାରୀଙ୍କ ଦରମା ବନ୍ଦ କଲେ ନବରଙ୍ଗପୁର ଜିଲ୍ଲାପାଳ। ସେପଟେ ରସ୍ତା ମଝିରେ ସରକାରୀ ବାବୁଙ୍କୁ ହେବାକୁ ପଡ଼ିଛି ହଟହଟା । ମହିଳା ହିତାଧିକାରୀ ମାନେ ପଞ୍ଚାୟତ ଅଧିକାରୀଙ୍କ ବାଟ ଓଗାଳି ଚଉଳ ପାଇଁ ଜିଦ୍ ଧରି ବସିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ୬ ଟି ପଞ୍ଚାୟତ ଯଥା କଣ୍ଟାଗାଁ, କାମତା, ଅଞ୍ଚଳଗୁମ୍ମା, କଂଗରା, ପୂଜାରିଗୁଡା ଓ ଦିଗି ଅଞ୍ଚଳର ହିତାଧିକାରୀଙ୍କ ଜୁନ ମାସର ମାଗଣା ପିଡ଼ିଏସ ଚାଉଳ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏହି ପଞ୍ଚାୟତର ଶତାଧିକ ଗରିବ ହିତାଧିକାରୀ ମାନେ ଏପ୍ରିଲ, ମଇ ଓ ଜୁନ ମାସର ଚାଉଳ ପାଇବାପାଇଁ ଥିବାବେଳେ ହିତାଧିକାରୀ ମାନଙ୍କୁ କେବଳ ଏପ୍ରିଲ ଓ ମଇ ମାସର ଚାଉଳ ଦିଆଯାଇଛି । ହିତାଧିକାରୀ ମାନେ ଜୁନ ମାସର ଚାଉଳ ବିଷୟରେ ପଚାରିଲେ ପଞ୍ଚାୟତ କତ୍ତୃପକ୍ଷ ଧମକାଇବା ସହ ଯାହା ଦିଆଯାଉଛି ତାହାନିଅ, ଅନ୍ୟମାନେ ନେଉଛନ୍ତି ତମେବି ନେବାକୁ ବାଧ୍ୟ ବୋଲି କହୁଛନ୍ତି।

ଏ ନେଇ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କଲେ, ଯୋଗାଣ ଅଧିକାରୀ ମଧ୍ୟ ଅନୁରୂପ କଥା କହୁଛନ୍ତି। ଗରିବ ହିତାଧିକାରୀ ମାନେ କିଛି ଉପାୟ ନପାଇ ଚୁପହୋଇ ରହିବାକୁ ବାଧ୍ୟ ହେଉଛନ୍ତି । କାମତା ପଞ୍ଚାୟତ ନିର୍ବାହୀ ଅଧିକାରୀ ହିତାଧିକାରୀଙ୍କ ରସିଦ କାଟିବା ପରେ ମଧ୍ୟ ଚାଉଳ ସରିଯାଇଥିବା କହି ସେମାନଙ୍କୁ ଫେରାଇଦିଆଯାଉଥିବା ଅଭିଯୋଗ ହୋଇଛି । ସେପଟେ ମହିଳା ହିତାଧିକାରୀ ମାନେ ପଞ୍ଚାୟତ ଅଧିକାରୀଙ୍କ ବାଟ ଓଗାଳି ଚାଉଳ ଦିଅ ତା’ପରେ ଏଠାରୁ ଯାଅ ବୋଲି ଜିଦ୍ ଧରି ବସିଥିଲେ। ଅନେକ କାକୁତି ମିନତି ପରେ ଶେଷରେ ପଞ୍ଚାୟତ ପିଇଓଙ୍କୁ ଛାଡିଥିଲେ ମହିଳା ମାନେ।

Leave A Reply

Your email address will not be published.