Latest Odisha News

BREAKING NEWS

ଓଡ଼ିଶାରେ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି ଦେଇଛି ନାଲକୋ

ନୂଆଦିଲ୍ଲୀ: ଓଡ଼ିଶାରେ ନାଲକୋ ୬୩୩ ବିସ୍ଥାପିତ ପରିବାରକୁ ନିଯୁକ୍ତି ଦେଇଛି । କୋରାପୁଟର ଦାମନଯୋଡ଼ି ଏବଂ ଅନୁଗୁଳ ନାଲକୋ ପ୍ରକଳ୍ପ ପାଇଁ ୬୩୫ଟି ପରିବାର ବିସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଟି ପରିବାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପରିବାରକୁ ନିଯୁକ୍ତିଗତ ଥଇଥାନ କରାଯାଇଛି ।

କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସଂସଦରେ ଏହି ସୂଚନା ଦେଇଛନ୍ତି । ପ୍ରଶ୍ନକାଳରେ ଲିଖିତ ଭାବେ ମନ୍ତ୍ରୀ ଯୋଶୀ ଏହି ସୂଚନା ଗୃହକୁ ପ୍ରଦାନ କରିଛନ୍ତି ।

ଦାମନଯୋଡ଼ିରେ ୬୦୦ ପରିବାର ଏବଂ ଅନୁଗୁଳରେ ୩୫ ଟି ପରିବାର ପୈତୃକ ସ୍ଥାନରୁ ବିସ୍ଥାପିତ ହୋଇଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ (RPDAC) କମିଟି ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ବିସ୍ଥାପିତଙ୍କ କ୍ଷତିକୁ ସମୀକ୍ଷା କରାଯାଉଛି । ମହାନଦୀ କୋଲ ଫିଲ୍ଡ ଲିମିଟେଡ (MCL) ଦ୍ୱାରା ହୋଇଥିବା ଜମି ଅଧିଗ୍ରହଣ ବିରୋଧରେ ଆରଫିସିଟିଏଲଏଆରଆର (RFCTLARR Act, 2013) ଅନୁସାରେ ବିସ୍ଥାପିତଙ୍କ କ୍ଷତି ଆକଳନ କରାଯାଉଛି ।

ସିବିଏ ୧୯୫୭ ଅନୁସାରେ (CBA (A&D) Act, 1957) ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଦାମନଯୋଡ଼ିରେ ୬୦୦ଟି ପରିବାର ମଧ୍ୟରୁ ୫୯୯ ଜଣଙ୍କୁ ନାଲକୋରେ ନିଯୁକ୍ତି ମିଳିଛି । ବଳକା ଗୋଟିଏ ନିଯୁକ୍ତିର ପାରିବାରିକ ବିବାଦ ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ନିକଟରୁ ନିଯୁକ୍ତି ଅନୁମତି ମିଳିନି ।

ଅନୁଗୁଳରେ ନିଯୁକ୍ତି ପାଇବାକୁ ଥିବା ୩୫ ଜଣଙ୍କ ମଧ୍ୟରୁ ୩୪ ଜଣଙ୍କୁ ନିଯୁକ୍ତି ମିଳିଯାଇଛି । ଏବଂ ବଳକା ଜଣେ ନିଯୁକ୍ତି ବଦଳରେ ଆର୍ଥିକ କ୍ଷତିପୂରଣ ଲାଭ କରିଛନ୍ତି ବୋଲି ନାଲକୋ ପକ୍ଷରୁ କୁହାଯାଇଥିବା ମନ୍ତ୍ରୀ ଉତ୍ତରରେ ଉଲ୍ଳେଖ କରିଛନ୍ତି ।

ଅନ୍ୟପଟେ ମହାନଦୀ କୋଲ ଫିଲ୍ଡ ଲିମିଟେଡ (MCL) ୧୬ ହଜାର ୨୯୭ଟି ପରିବାର ବିସ୍ଥାପିତ ହେବେ ବୋଲି ଚିହ୍ନଟ କରାଯାଇଛି । ତହିଁରୁ ୧୧ ହଜାର ୮୩୭ ଜଣଙ୍କୁ ଥଇଥାନ ସୁବିଧା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୮ ହଜାର ୨୪୮ ପରିବାର ନିଜ ଗ୍ରାମରୁ ବିସ୍ଥାପିତ ହୋଇଛନ୍ତି । ୧୧ ହଜାର ୮୩୭ ଟି ପରିବାର ମଧ୍ୟରୁ ୩୪୫୫ ଟି ପରିବାରକୁ ଥଇଥାନ ସ୍ଥଳରେ ଜାଗା ଚିହ୍ନଟ କରି ଦିଆଯାଇଛି । ୮ ହଜାର ୩୮୨ ଜଣଙ୍କୁ ବିସ୍ଥାପନ ବଦଳରେ ଆର୍ଥିକ କ୍ଷତିପୂରଣ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.