Latest Odisha News

BREAKING NEWS

ମରଣ ମୁହଁରୁ ଫେରିଲେ ଯୁବକ: ଅନ୍ଧାର ରାତିରେ ଅଗ୍ନିଶମ କର୍ମଚାରୀଙ୍କ ସାହସିକତା ଯୋଗୁଁ ବଞ୍ଚିଗଲା ଅମୂଲ୍ୟ ଜୀବନ

ଭୁବନେଶ୍ୱର: ମରଣ ମୁହଁରୁ ଫେରିଲେ ଯୁବକ । ରାତି ଅଧର ନିସ୍ତବ୍ଧତା ଭିତରେ ରାଜଧାନୀ ଉପକଣ୍ଠ ଟଙ୍କପାଣି ବ୍ରିଜ୍ ଉପରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । କୌଣସି କାରଣକୁ ନେଇ ମାନସିକ ଭାରସାମ୍ୟ ହରାଇ ଜଣେ ୨୧ ବର୍ଷୀୟ ଯୁବକ ଭରା ନଦୀକୁ ଡେଇଁ ପଡ଼ିଥିବା ବେଳେ, ଠିକ୍ ସମୟରେ ଦେବଦୂତ ସାଜି ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ନିଜ ଜୀବନକୁ ବାଜି ଲଗାଇ, ଅନ୍ଧାର ରାତି ଓ ନଦୀର ପ୍ରଖର ସ୍ରୋତକୁ ଖାତିର ନକରି ଯୁବକଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଛି ବାଲିଅନ୍ତା ଅଗ୍ନିଶମ ବାହିନୀ ।

ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଘଟିଥିଲା ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ । ଚାରିଆଡ଼େ ଘନ ଅନ୍ଧାର ଛାଇ ରହିଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ୍ ଥିଲା । ଠିକ୍ ଏହି ସମୟରେ ଟଙ୍କପାଣି ବ୍ରିଜ୍ ଉପରୁ କୁଆଖାଇ ନଦୀର ଗଭୀର ଜଳରାଶି ମଧ୍ୟକୁ ଡେଇଁ ପଡ଼ିଥିଲେ ଯୁବକ ଜଣକ । ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ସୂର୍ଯ୍ୟ ନାରାୟଣ ଜେନା ବୋଲି ଜଣାପଡ଼ିଛି । କୌଣସି ସୂତ୍ରରୁ ଏହି ଅଘଟଣ ସମ୍ପର୍କରେ ଖବର ପାଇବା ମାତ୍ରେ କାଳବିଳମ୍ବ ନକରି ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ବାଲିଅନ୍ତା ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ । ଷ୍ଟେସନ ଅଫିସର ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ଯୁଦ୍ଧକାଳୀନ ଉଦ୍ଧାର କାର୍ଯ୍ୟ ବା ‘ଅପରେସନ୍ ରେସ୍କ୍ୟୁ’।

ଅନ୍ଧାର ରାତି ଓ ନଦୀରେ ଥିବା ପାଣିର ପ୍ରଖର ସ୍ରୋତ ଉଦ୍ଧାର କାର୍ଯ୍ୟରେ ବଡ଼ ପ୍ରତିବନ୍ଧକ ସାଜିଥିଲା। ପାଣି ଭିତରେ ଯୁବକଙ୍କୁ ଖୋଜି ବାହାର କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ଥିଲା । ଶେଷରେ ବୁଡ଼ିଯାଉଥିବା ଅବସ୍ଥାରେ ସୂର୍ଯ୍ୟ ନାରାୟଣଙ୍କୁ ଠାବ କରାଯାଇ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିଲା ।

ଉଦ୍ଧାର ପରେ ତାଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବା ସହ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ପଡ଼ି କିମ୍ବା କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

Leave A Reply

Your email address will not be published.