Latest Odisha News

BREAKING NEWS

ଆଗକୁ ଏହି ସ୍କୁଲରେ ବ୍ୟାନ୍ ହେବ ବୁର୍ଖା ଓ ନିକାବ:ନୂଆ ବିଲ୍ ଆଣିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ

ଇଟାଲୀ: ଇଟାଲୀ ସ୍କୁଲରେ ବ୍ୟାନ ହେବ ବୁର୍କା ଓ ନିକାବ । ଇଟାଲୀର ସ୍କୁଲଗୁଡ଼ିକରେ ବୁର୍କା ଓ ନିକାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ। ଏହା ସହିତ ସ୍କୁଲର ପ୍ରତ୍ୟେକ ଶ୍ରେଣୀଗୃହରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସୀମିତ କରିବା ପାଇଁ ସରକାର ଅତି ଶୀଘ୍ର ଏକ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି।

ରୋମରେ ଆୟୋଜିତ ‘ବ୍ରଦର୍ସ ଅଫ୍ ଇଟାଲୀ’ର ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ ‘ଜିଓଭେନ୍ତୁ ନାସନାଲେ’କୁ ସମ୍ବୋଧିତ କରି ମେଲୋନୀ ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇଟାଲୀକୁ ଆସି ନିଜ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଯେକୌଣସି ବିଦେଶୀ ନାଗରିକଙ୍କୁ ଦେଶର ଭାଷା, ସଂସ୍କୃତି ଓ ନିୟମକୁ ସମ୍ମାନ ଦେବାକୁ ପଡ଼ିବ । ଏହା ନିଶ୍ଚିତ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ କଠୋର ନିୟମ ଲାଗୁ କରାଯିବ।

ପ୍ରସ୍ତାବିତ ନିୟମ ଅନୁଯାୟୀ, ସ୍କୁଲ ପରିସରରେ ମୁହଁ ଢାଙ୍କୁଥିବା ବୁର୍କା ଓ ନିକାବ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ, ତେବେ ହିଜାବ ବାବଦରେ କୌଣସି ନିର୍ଦ୍ଦିଷ୍ଟ ଉଲ୍ଲେଖ କରାଯାଇ ନାହିଁ। ଏହାଛଡ଼ା, ଇଟାଲୀୟ ସମାଜ ଓ ଶିକ୍ଷା ବ୍ୟବସ୍ଥା ସହ ଖାପ ଖୁଆଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ଇଟାଲୀୟ ଭାଷା ଶିଖିବା ବାଧ୍ୟତାମୂଳକ କରାଯିବ।

ମେଲୋନୀଙ୍କ ଏହି କଠୋର ଆଭିମୁଖ୍ୟକୁ କିଛି ମୁସଲିମ୍ ସଂଗଠନ ଓ ମାନବାଧିକାର ଗ୍ରୁପ୍ ସମାଲୋଚନା କରିଥିବା ବେଳେ ବିରୋଧୀ ଦଳ ଏହାକୁ ରାଜନୈତିକ ଫାଇଦା ପାଇଁ କରାଯାଉଥିବା ରଣନୀତି ବୋଲି କହିଛନ୍ତି। କ୍ୟାବିନେଟ୍ ମଞ୍ଜୁରୀ ପରେ ଏହି ବିଲ୍ ସଂସଦରେ ଆଗତ ହେବ।

Comments are closed.