Latest Odisha News

ପାଚିକା-ସହାୟିକାମାନଙ୍କୁ ଭତ୍ତା ବାଣ୍ଟିଲେ ମୁଖମନ୍ତ୍ରୀ, ଶାଢ଼ି ପାଇଁ ଦେଲେ ୫୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ରାଜ୍ୟର ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା ପାଚିକା-ସହାୟିକା ମାନଙ୍କ ପାଇଁ ୧୧୭.୭୩ କୋଟି  ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଶାଢ଼ି ପାଇଁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି । ଆର୍ଥିକ ସହାୟତା ଭାବେ ୧୧୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ସାଢି ପାଇଁ ୫୦୦ ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯାଇଛି । ରାଜ୍ୟର ଏକ ଲକ୍ଷ ନଅ ହଜାର ପାଚିକାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫.୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି, ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୃଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି । ୫୦ ହଜାରରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପଢୁଛନ୍ତି । ଆପଣମାନେ ମା ପରି ଏ ସବୁ ପିଲାମାନଙ୍କର ଖାଇବା ଦାୟିତ୍ୱ ନେଇଛନ୍ତି । ତେଣୁ ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

୪୭୩୦ ମିଶନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନ୍ୟାନ୍ୟ ସବୁ ଦାୟିତ୍ୱ ପରି ଏ ଦାୟିତ୍ୱ ମଧ୍ୟ ଆପଣମାନେ ଭଲ ଭାବରେ ପାଳନ କରୁଛନ୍ତି । ମିଶନ ଶକ୍ତିର ସୁନାମ ଦିନକୁ ଦିନ ବଢି ଚାଲିଛି ବୋଲି ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଜରିଆରେ ମା ମାନଙ୍କ ସଶକ୍ତିକରଣ ପାଇଁ ଉଦ୍ୟମ ଜାରି ରହିବ ।

ପାଚିକା ଓ ସହାୟିକାମାନଙ୍କୁ ଖାଦ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ତାଲିମ ଦିଆଯାଇଛି ବୋଲି ପ୍ରକାଶ କରି ସେମାନେ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଅଭିଭାଷଣ ଦେଇ ରାଜ୍ୟରେ ଚାଲିଥିବା ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଗୁଡିକରେ ଉପସ୍ଥାପନ ଓ ପୃଷ୍ଟିହୀନତା ଦୂର କରିବାରେ  ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ୱଥି. ଏସ୍.  ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡାଲ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ୫୦, ୮୬୨ଟି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୫.୫୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ୪୭୩୦ ମିଶନ ଶକ୍ତି ଗୋଷ୍ଠୀର ୧.୦୯ ଲକ୍ଷ ପାଚିକା ଓ ସହାୟିକାମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସାମିଲ ଅଛନ୍ତି । ପୂର୍ବରୁ ୨୦୧୭-୧୮ ମସିହାରେ ସେମାନଙ୍କ ପାଇଁ  ଶାଢ଼ି ଭତ୍ତା ବାବଦରେ ଜଣ ପିଛା ୨୫୦ ଟଙ୍କା ମଞ୍ଜୁର କରାଯାଇଥିଲା ।

Leave A Reply

Your email address will not be published.