ଓଡ଼ିଶା ମନ୍ତ୍ରୀମଣ୍ଡଳ ହେବ ପୁନର୍ଗଠନ : ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ
ଏହାରି ଭିତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇସାରିଥିବା ଜଣାପଡ଼ିଛି । ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ୨୦୧୯ ନିର୍ବାଚନରେ ବିଜେଡି ସରକାରକୁ ଆସିବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିନଥିଲେ ନବୀନ ।
ପୂର୍ବରୁ ବାରମ୍ବାର ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ବିଳମ୍ବିତ ହୋଇଥିଲା । କିନ୍ତୁ ଏବେ ଦଳର ସବୁ ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।
ତେବେ ଆସନ୍ତାକାଲି ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବାର ଅନେକ ସମ୍ଭାବନା ରହିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଶେଷ ହୋଇଥିବାବେଳେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅଦଳବଦଳ ହେବ ନବୀନଙ୍କ ମନ୍ତ୍ରିମଣ୍ଡଳ ।
ସେପଟେ କେଉଁ ମନ୍ତ୍ରୀ ରହୁଛନ୍ତି, କେଉଁ ମନ୍ତ୍ରୀ ବାଦ ପଡ଼ୁଛନ୍ତି, କାହାକୁ ନୂଆ ଦାୟିତ୍ୱ ମିଳିବ ତାହା ପରେ ସ୍ପଷ୍ଟ ହୋଇଯିବ । ତେବେ ବିରୋଧୀ ଯେଉଁ ମନ୍ତ୍ରୀଙ୍କ ବିରୋଧରେ ଅଧିକ ଅଭିଯୋଗ ଆଣୁଛନ୍ତି, ତାଙ୍କୁ ମଧ୍ୟ ଟିମ୍ରୁ ବାହାର କରାଯାଇପାରେ ବୋଲି ସୂଚନା ମିଳିଛି ।
ଯାହା ଦର୍ଶାଉଛି ଏଥର ଖୁବଶୀଘ୍ର ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିପାରନ୍ତି ନବୀନ ।
Comments are closed.