Latest Odisha News

BREAKING NEWS

ନବୀନ ପଟ୍ଟନାୟକ ଶାସନ କରିବାର ଅଧିକାର ହରାଇଛନ୍ତି: ଅମିତ ଶାହା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବିଷୋଦଗାର କରିବା ଯେଉଁଠି ଛାଡ଼ି ଯାଇଥିଲେ, ଆଜି ପୁରୀରେ ଅନୁଷ୍ଠିତ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ସେଉଠୁ ପୁଣି ବିଷ ଓଗାଳିବା ଆରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଓଡ଼ିଶା ସରକାର ରାଜ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ ମୂଳକ ଯୋଜନାକୁ ଠିକ୍ ରୂପେ କାର୍ଯ୍ୟକାରୀ ନକରି ସରକାରୀ ଉଦାସୀନତା ପ୍ରତି ଅଙ୍ଗୁଳିଠାର କରିବା ଆରମ୍ଭ କରିଥିଲେ । ଏହି ସମାଲୋଚନା ଜାରି ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି, “ଯେଉଁପରି ଭାବେ ଗତ ତିନି ପାଳି ସରକାର ରାଜ୍ୟକୁ ଶାସନ କରୁଛନ୍ତି, ଜଣାପଡ଼ୁଛି ସରକାର ଶାସନ କରିବାର ସମସ୍ତ ଅଧିକାର ହରାଇ ସାରିଛନ୍ତି” ।

ପୁରୀରେ ଆଜିର ବିଶାଳ ଜନ ସମାବେଶକୁ ଲକ୍ଷ୍ୟ କରି ଅମିତ ଶାହା କହିଛନ୍ତି, ଆଜିର ଏହି ବିଶାଳ ଜନ ସମାବେଶରୁ ହିଁ ଜଣା ପଡୁଛି ରାଜ୍ୟ ସରକାର ଜନସାଧାରଣଙ୍କ ବିଶ୍ୱାସ ହରାଇ ସାରିଲେଣି ଏବଂ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବ ।

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶା ଜନସାଧାରଣଙ୍କ ସମର୍ଥନ ଲୋଡ଼ିବା ସହିତ ଜନସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, “ବିଜେପି କ୍ଷମତାକୁ ଆସିଲେ ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ପାରିବ” ।

ପ୍ରଚୁର ଖଣି ଖାଦାନରେ ଭରପୁର ଓଡ଼ିଶା କିପରି ଦାରିଦ୍ର‌୍ୟତା ଦେଇ ଗତି କରୁଛି ତାହାର ବର୍ଣ୍ଣନା କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଅମିତ ଶାହା ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ଏବଂ ଅମିତ ଶାହା ଆଜି ପୁରୀ ଜନସଭାରେ ଉଦବୋଧନ ଦେଇ କହିଛନ୍ତି, ଦୁନୀତିକୁ ରୋକାଯାଇ ପାରିଲେ ରାଜ୍ୟର ଉନ୍ନତି ହୋଇପାରିବ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଏହି ସଭାରେ ରାଜ୍ୟରେ ହେଉଥିବା ଦୁର୍ନୀତି ସମ୍ପର୍କରେ ତାଙ୍କ ବକ୍ତବ୍ୟରେ ସମ୍ବୋଧିତ କରିଥିବା ଦେଖାଯାଇଥିଲା ।

“ଜିଲ୍ଲାପାଳ, ଆଇଏଏସ ଏବଂ ଆଇପିଏସ ଅଫିସରମାନେ ଏଠାରେ ରାଜା ପରି ରହୁଛନ୍ତି,”ବୋଲି କଟାକ୍ଷ କରି ଅମିତ ଶାହା କହିଛନ୍ତି । ବିଜେପି ୨୦୧୯ ନିର୍ବାଚନରେ କ୍ଷମତାକୁ ଆସିବା ସହିତ ଏସବୁର ପରିବର୍ତ୍ତନ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

କେନ୍ଦ୍ର ସରକାରଙ୍କ ପାଣ୍ଠିକୁ ଅଫିସରମାନେ ଆତ୍ମସାତ୍ କରୁଛନ୍ତି ବୋଲି ଏହି ସଭାରେ ଅମିତ ଶାହା ଅଭିଯୋଗ କରିଛନ୍ତି । ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି, “ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ରର ବିଜେପି ସରକାରଙ୍କ ଠାରୁ ରାଜ୍ୟ ସରକାର ୪,୪୫,୮୬୫ କୋଟି ଟଙ୍କା ପାଇଛନ୍ତି । ମାତ୍ର ଏହି ପାଣ୍ଠି ଗରିବ, ଚାଷୀ, ମହିଳା, ଦଳିତ ତଥା ଆଦିବାସୀ ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିନାହିଁ ।” ବୋଲି ଅମିତ ଶାହା କହିଛନ୍ତି ।

ରାଜ୍ୟରେ ଗତ ତିନିବର୍ଷ ମଧ୍ୟରେ ୧୪ ଜଣ ବିଜେପି କର୍ମୀଙ୍କର ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ଅଧ୍ୟକ୍ଷ ଶ୍ରୀ ଶାହା । ଏହା ବିଜେପିକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଅଟକାଇ ପାରିବ ନାହିଁ, ବୋଲି କହିଛନ୍ତି ଅମିତ ଶାହା ।

“ନରେନ୍ଦ୍ର ମୋଦି ସରକାର ‘ମେକିଂ ଇଣ୍ଡିଆ’ ଧାରାରେ କାର୍ଯ୍ୟ କରୁଥିବା ବେଳେ କଂଗ୍ରେସ ଏବଂ ସମସ୍ତ ବିରୋଧି ଦଳଗୁଡ଼ିକ ‘ବ୍ରେକିଂ ଇଣ୍ଡିଆ’ ପରି କାର୍ଯ୍ୟ କରୁଛନ୍ତି,” ବୋଲି ବିରୋଧିଦଳଙ୍କ ଉପରେ ବିଷୋଦଗାର କରି ଏହି ସଭାରେ ସମ୍ବୋଧିତ ବିଜେପି ରାଷ୍ଟ୍ରୀ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

Leave A Reply

Your email address will not be published.